ବ୍ରଜରାଜନଗରରେ ପ୍ରଚାର ଶେଷ, ବୁଥରେ ପହଞ୍ଚିଲେ ପୋଲିଂ କର୍ମଚାରୀ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ସଂପୂର୍ଣ୍ଣ ହୋଇଛି। ରବିବାର ସକାଳୁ  ରିସିଭିଂ ସେଣ୍ଟର କରାଯାଇଥିବା ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟରୁ ପୋଲିଂ କର୍ମଚାରୀମାନେ ନିଜ ନିଜ ବୁଥ୍‌ ଅଭିମୁଖେ ଭୋଟ୍‌ ଗ୍ରହଣ ସାମଗ୍ରୀ ନେଇ ପ୍ରସ୍ଥାନ କରିଛନ୍ତି। ନିର୍ବାଚନମଣ୍ଡଳୀର ସୁମୁଦାୟ ୨୭୯ ବୁଥ୍‌ରେ ଏହି ପୋଲିଂ କର୍ମଚାରୀ ପହଞ୍ଚି ସାରିଥିବା ଜିଲ୍ଲାପାଳ ସରୋଜ ସାମଲ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି। ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ ଅଫିସର, ୩ ଜଣ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।

ଏଥିରେ ୩୧୪ ଜଣ ଲେଖାଁଏ ପ୍ରିଜାଇଡିଂ ଅଫିସର, ପ୍ରଥମ ପୋଲିଂ ଅଫିସର, ଦ୍ବିତୀୟ ପୋଲିଂ ଅଫିସର ଓ ତୃତୀୟ ପୋଲିଂ ଅଫିସର ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଜୟ ଜେନା କହିଛନ୍ତି। ସେହିଭଳି ଭୋଟ୍‌ ଗ୍ରହଣ କେନ୍ଦ୍ର ପାଇଁ ଏକ ହଜାର ପୁଲିସ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ୨୭୯ ଭୋଟ ‌ଗ୍ରହଣକେନ୍ଦ୍ର ମଧ୍ୟରୁ ୬୦ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବରେ ଚିହ୍ନଟ କରାଯାଇଛି। ୩୦ଟି ବୁଥ୍‌କୁ ମଡେଲ ବୁଥ୍‌ ଓ ୫ଟି ବୁଥ୍‌କୁ ପିଙ୍କ ବୁଥ୍‌ କରାଯାଇଛି। ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି ଯେ ନିର୍ବାଚନ କମିସନଙ୍କ ଦ୍ବାରା ପ୍ରଦତ୍ତ ଆଚରଣବିଧିକୁ ପାଳନ କରିବା ପାଇଁ ସବୁ ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି। ୧୪୫ଟି ବୁଥରେ ୱେବ୍‌ କାଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି। ୩୧ ତାରିଖ ସକାଳ ୭ ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହେବା ପାଇଁ ବ୍ୟବସ୍ଥା କରାଯାଇଛି।

ସମୁଦାୟ ନିର୍ବାଚନମଣ୍ଡଳୀକୁ ୩୧ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟରରେ ସେକ୍ଟର ଅଫିସର ଓ ସେକ୍ଟର ମାଜିଷ୍ଟ୍ରେଟ ନିଯୁକ୍ତ କରାଯାଇଛି। ୨୫ଟି ମୋବାଇଲ ଟିମ୍‌ ଗଠନ କରାଯାଇଛି। ୧୦ଟି ଟିମ୍‌ ମଦ, ଅସ୍ତ୍ରଶସ୍ତ୍ର ଓ ଅନୈତିକ କାର୍ଯ୍ୟକଳାପ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ୧୦ଟି ସର୍ଭିଲେନ୍ସ ଟିମ୍‌ ଗଠନ କରାଯାଇଛି। ଆଜି ସନ୍ଧ୍ୟା ୬ ଟାରୁ ପ୍ରଚାର ଶେଷ ହୋଇ ଯାଇଥିବା ବେଳେ ନିର୍ବାଚନ ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର