ଅତାବିରା ଏନ୍‌ଏସି ନିର୍ବାଚନ ଶେଷଦିନରେ ୩୧ ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା: ଅତାବିରା ଏନ୍ଏସି ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନରେ ଆଜି କଂଗ୍ରେସ, ବିଜେପି ସମେତ ଆପ୍ ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୩୧ ଜଣ ନାମାଙ୍କନ ଦାଖଲ କରିଛନ୍ତି। ମଙ୍ଗଳବାର ବିଜେଡିର ୧୩ ଜଣଙ୍କ ନାମାଙ୍କନପତ୍ରକୁ ମିଶାଇ ମୋଟ୍ ୪୪ ଜଣ ନିର୍ବାଚନୀ ମଇଦାନରେ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ୱାର୍ଡ ନଂ-୧୨ର ସବିତା ଭୁଏ ନାମାଙ୍କନପତ୍ର ଦାଖଲ କରିଥିଲେ। ସେହିପରି କାଉନସିଲର ପଦ ପାଇଁ ଦୀପକ ରାୟ, ଗୌରୀ ଶଂକର ପଣ୍ଡା, ସରୋଜ ମାଝି, ତପସ୍ବିନୀ ରୋହିଦାସ, ଅକ୍ଷୟ କୁମ୍ଭାର, ସରସ୍ବତୀ ରହିଦାସ, ବଳରାମ ସାହୁ, ନନ୍ଦିନି କୁମ୍ଭାର, ଟଙ୍କଧର ପ୍ରଧାନ, ରିଙ୍କୁ ବାଦି, ସଂଯୁକ୍ତା ବେହେରା ଓ ଜନନୀ ଭୁଏ ଯଥାକ୍ରମେ ୧ ରୁ ୧୨ ନମ୍ବର ୱାର୍ଡ ଲାଗି ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସେହିପରି ବିଜେପିର ଅଧ୍ୟକ୍ଷ ପଦ ପାଇଁ ୱାର୍ଡ ନଂ-୨ର ଲକ୍ଷ୍ମୀ ବେହେରା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଲଲାଟ ଲୁହାଙ୍କଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। କାଉନସିଲର ପଦ ପାଇଁ ସମ୍ପତ କର, ଗଣେଶ ଅଗ୍ରୱାଲ, କୁନି ସେଠ, ପଦ୍ମା ବାଗ, ଶକ୍ତିଦେବ ସାହୁ, ରୀନା ପ୍ରଧାନ, ବିକାଶ ଶର୍ମା, ଗୋପିକା ପ୍ରଧାନ, ଅକ୍ଷୟ ଗଡ଼ତିଆ, କୌଶଲ୍ୟା ଭୋଇ, ରୀନା ସେଠ, ଭାଗ୍ୟବତୀ ବରିହା ଯଥାକ୍ରମେ ୧ ରୁ ୧୨ ନମ୍ବର ୱାର୍ଡ ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଏହାଛଡ଼ା ଅଧ୍ୟକ୍ଷ ପଦ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ୱାର୍ଡ ନଂ-୫ର ସାମନ୍ତ ଭୁଏ, କାଉନସିଲର ଭାବେ ୱାର୍ଡ ନଂ-୨ ମହମ୍ମଦ ହନିବ, ୱାର୍ଡ ନଂ-୩ ନରୋତ୍ତମ ପଣ୍ଡା ଓ ସରୋଜ ପ୍ରଧାନ, ୱାର୍ଡ ନଂ-୪ ସତ୍ୟବତୀ ସାଗର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସ୍ଥାନୀୟ ବାବା ମଠରୁ କଂଗ୍ରେସ ଦଳ ପକ୍ଷରୁ ଏକ ରାଲିରେ ଆସି ନିର୍ବାଚନ ଅଧିକାରୀଙ୍କଠାରେ ନାମାଙ୍କନପତ୍ର କରିଥିଲେ। ଜିଲ୍ଲା ସଭାପତି ନିହାର ରଂଜନ ମହାନନ୍ଦ, ନିପନ ଦାଶ, ରାଜେଶ ଅଗ୍ରୱାଲ, ଉନ୍ନି ନାୟାର, ରବିନାରାୟଣ ପଣ୍ଡା, ବୀରେନ୍ଦ୍ର ବାଙ୍କା ପ୍ରମୁଖ ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ସେହିପରି ବିଜେପି ପ୍ରାର୍ଥୀ/ପ୍ରାର୍ଥିନୀଙ୍କ ଗହଣରେ ରେଂଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁଶାନ୍ତ ମିଶ୍ର, କୁଶ କୁମ୍ଭାର, ଉର୍କୁଲୁ ତାଣ୍ଡି, ମିଲନ ସେଠ, ସୁରେଶ୍ବର ଶତପଥୀ, ରବୀନ୍ଦ୍ର ଦାଶ, ସୁରେନ୍ଦ୍ର ସ୍ବାଇଁ ପ୍ରମୁଖ ଦଳୀୟ ସମର୍ଥକଙ୍କ ସହ ଦୁର୍ଗାମନ୍ଦିର ଦର୍ଶନ ପରେ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ। ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ଆପ୍‌ର ଜିଲ୍ଲା ସଂଯୋଜକ ଭବନୀ ସାହୁ, ରାଜ୍ୟ ସଂପାଦକ ଅମିତାଭ ପାତ୍ର, ଅତାବିରା ନିର୍ବାଚନମଣ୍ଡଳୀ ସଂଯୋଜକ ଜୟକୃଷ୍ଣ ଛୁରିଆ, ବ୍ଲକ୍‌ ଆବାହକ ଯଦୁମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଗତକାଲି ବିଜେଡି ପକ୍ଷରୁ ୧୨ଟି ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ସରିଥିବା ବେଳେ ଆଜି କଂଗ୍ରେସର ୧୩, ବିଜେପିର ୧୩ ଓ ସ୍ବାଧୀନ ଭାବେ ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ୪ ଜଣ, ୧୨ଟି ୱାର୍ଡ ପାଇଁ ୪୦ ଜଣ କାଉନସିଲର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୧୭ ତାରିଖ ଦିନ ପ୍ରାର୍ଥୀପତ୍ର ଯାଂଚ ଥିବାବେଳେ ୧୮ ତାରିଖ କାଏମ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୨୦ ତାରିଖ  ଅପରାହ୍ଣ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଥିବାବେଳେ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ/ପ୍ରାର୍ଥିନୀଙ୍କ ତାଲିକା ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର