ଅତାବିରା: ସୋମବାର ସକାଳୁ ଅତାବିରା ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଏଥର ଅଧ୍ୟକ୍ଷ ପଦ ପାଇଁ ୪ ଜଣ ଓ ୧୨ଟି ୱାର୍ଡରେ ୩୯ ଜଣ ପ୍ରାର୍ଥୀ/ପ୍ରାର୍ଥୀନୀ ମଇଦାନରେ ଅଛନ୍ତି। ଅଧ୍ୟକ୍ଷ ପଦ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ସମେତ ଜଣେ ସ୍ବାଧୀନ ପ୍ରାର୍ଥୀ ଛିଡ଼ା ହୋଇଥିବା ବେଳେ ୱାର୍ଡ ନମ୍ବର ୨, ୩, ୮ରେ ତିନି ଦଳର ପ୍ରାର୍ଥୀ ବ୍ୟତୀତ ଜଣେ ଲେଖାଏଁ ସ୍ବାଧୀନ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ୧୨ ୱାର୍ଡ ବିଶିଷ୍ଟ ଏହି ବିଜ୍ଞାପିତ ପରିଷଦରେ ପୁରୁଷ ୬,୭୪୩ ଓ ମହିଳା ୬,୭୭୭ ଭୋଟର୍। ଅର୍ଥାତ ମୋଟ୍ ୧୩, ୫୨୦ ଜଣ ଭୋଟର୍ ପ୍ରାର୍ଥୀଙ୍କ ଭାଗ୍ୟର ଫଇସଲା କରିବେ। ଅତାବିରା ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ପୁରୁଷ ଭୋଟର୍ ଠାରୁ ମହିଳାଙ୍କ ଭୋଟର ସଂଖ୍ୟା ୩୪ ଅଧିକ ରହିଛନ୍ତି। ମତଦାତାଙ୍କ ସଂଖ୍ୟା ୧୩ ହଜାରରୁ ଉର୍ଦ୍ଧ୍ବ ଥିବାରୁ ୧୬ଟି ମତଦାନ କେନ୍ଦ୍ର କରାଯାଇଛି। ସୋମବାର ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଦାନ ହେବ। ଅତାବିରା ସରକାରୀ ବାଳିକା ହାଇସ୍କୁଲରେ ମହିଳାଙ୍କ ପାଇଁ ପିଙ୍କ୍ ବୁଥ୍ କରାଯାଇଛି। ୧୬ଟି ବୁଥ୍ ପାଇଁ ୩୨ଟି ଇଭିଏମ୍ ରହିବ। ସେକ୍ଟର ଅଫିସରଙ୍କ ପାଖରେ ୪ଟି ଅତିରିକ୍ତ ଇଭିଏମ୍ ରହିବ।
ରବିବାର ବ୍ଳକ୍ ଅଫିସରୁ ପୋଲିଂ ପାର୍ଟିମାନେ ନିଜ ନିଜ ମତଦାନ କେନ୍ଦ୍ରକୁ ଇଭିଏମ୍ ନେଇ ଯାଇଛନ୍ତି। ନିର୍ବାଚନ ପରିଚାଳନା ପାଇଁ ପ୍ରତି ସ୍କୁଲରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ ନିଯୁକ୍ତ ହୋଇଛନ୍ତି। ଅତାବିରା କଲେଜ୍ ମତଦାନ କେନ୍ଦ୍ର ପାଇଁ ବିଜେପୁର ତହସିଲଦାର ଆତ୍ତତ୍ରାଣ ଥାଟି, ସରକାରୀ ବାଳିକା ଉଚ୍ଚ ହାଇସ୍କୁଲର ୩ଟି ବୁଥ ପାଇଁ ବରଗଡ଼ ତହସିଲଦାର ପ୍ରସନ୍ନ ମହାପାତ୍ର, ଭାଲୁପାଲି ବୁଥ ନମ୍ବର ୩, ୪ ପାଇଁ ଡେପୁଟି କଳେକ୍ଟର ସଂଜୀବ ମେହେର, ଅତାବିରା ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଥ ନମ୍ବର ୫, ୭ ପାଇଁ ସୋହେଲା ବିଡ଼ିଓ ବିଶ୍ବରଂଜନ କର, ଭୋଇପୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଥ ନମ୍ବର ୬ ପାଇଁ ଭଟଲି ତହସିଲଦାର ଜି. ରଶ୍ମୀ ରେଖା, ବୈମାନଟିକ୍ରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ ନମ୍ବର ୧୦ ପାଇଁ ବରପାଲି ତହସିଲଦାର ରୁକ୍ମଣ ମେହେର, ଲାଦରପାଲି ବନ୍ଧପଡ଼ା ପ୍ରାଥମିକ ବିଦ୍ୟାଳୟରେ ବୁଥ ନମ୍ବର୧୧ ପାଇଁ ଅମ୍ବାଭୋନା ତହସିଲଦାର ପରିକ୍ଷିତ ସାହୁ, ଲାଦରପାଲି ସେବାଶ୍ରମ ବୁଥ ନମ୍ବର ୧୨ ଓ ୧୩ ପାଇଁ ବରପାଲି ବିଡିଓ ପ୍ରସନ୍ନ ପାଣ୍ଡେ, ରେଂଗାଲିପାଲି ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ ନମ୍ବର ୧୪,୧୫ ପାଇଁ ଝାରବନ୍ଧ ତହସିଳଦାର ସୀତାରାମ ଭୋଇ ଓ କାଣ୍ଡପାଲି ପ୍ରାଥମିକ ବିଦ୍ୟାଳୟରେ ବୁଥ ନମ୍ବର ୧୬ ପାଇଁ ସୋହେଲା ତହସିଲଦାର ହରିଓମ ଭୋଇ ମାଜିଷ୍ଟ୍ରେଟ ଭାବେ ସ୍ବତନ୍ତ୍ର ଦାୟିତ୍ବରେ ରହିବେ।
ବୁଥ ନମ୍ବର ୫, ୧୧, ୧୬କୁ ସମ୍ବେଦନଶୀଳ ଓ ବୁଥ ନମ୍ବର ୧, ୧୪, ୧୫କୁ ଅତିସମ୍ବେନଶୀଳ ବୁ୍ଥ୍ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ୪ ପ୍ଳାଟୁନ ସଶସ୍ତ୍ର ପୁଲିସ ଫୋର୍ସ ନିଯୋଜନ କରାଯାଇଛି। ପ୍ରତି ବୁଥରେ ପର୍ଯ୍ୟାପ୍ତ ବନ୍ଧୁକଧାରୀ ଯବାନ ନିୟୋଜନ କରିବା ପାଇଁ ଅଢ଼େଇ ପ୍ଳାଟୁନ ଫୋର୍ସ ରିଜର୍ଭରେ ରଖାଯାଇଛି। ଆଜିଠାରୁ କଡ଼ା ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/election-eeee.jpg)