‘ଶଲାବୁଢ଼ା’ ଆଉ ନାହାନ୍ତି, ପରଲୋକରେ ଅଟଳ ବିହାରୀ ପଣ୍ଡା

ସମ୍ବଲପୁର : ପ୍ରଖ୍ୟାତ ଅଭିନେତା, ନାଟ୍ୟକାର, ନିର୍ଦେଶକ, ଗୀତିକାର ତଥା ଔପନ୍ୟାସିକ ଅଟଳ ବିହାରୀ ପଣ୍ଡା(୯୨ ବର୍ଷ) ଆଉ ନାହାନ୍ତି। ଶୁକ୍ରବାର ରାତି ୩ଟା ୪୫ରେ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅଟଳଙ୍କ ବିୟୋଗ‌ରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ୮୩ ବର୍ଷ ବୟସରେ ‘ଶଲାବୁଢ଼ା’ର ସିରିଜ୍‌ର ତିନୋଟି ଯାକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଶୀର୍ଷକୁ ପହଞ୍ଚିଥିବା ଅଟଳ ବିହାରୀ ପଣ୍ଡା ସାଧାରଣରେ ‘ଶଲାବୁଢ଼ା’ ଭାବରେ ପରିଚିତ ଥିଲେ।

୯୨ ବର୍ଷ ବୟସ୍କ ଅଟଳ ପଣ୍ଡା ଶେଷ ଯାଏ ବେଶ ଚଳଚଞ୍ଚଳ ଥିଲେ। ମାତ୍ର ଗତ ମେ ୧୬ ତାରିଖ ପତ୍ନୀ ଲଳିତା ପଣ୍ଡାଙ୍କ ବିୟୋଗରେ ମ୍ରିୟମାଣ ହୋଇ ଅଟଳ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ମେ ୧୮ ତାରିଖରେ ତାଙ୍କୁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା। ମଧୁମେହ ରୋଗରେ ଆକ୍ରାନ୍ତ ଅଟଳଙ୍କ ଅମ୍ଳଜାନ ସ୍ତର ସହିତ ସୋଡିୟମ୍‌, ପଟାସିୟମ୍‌ ବି ହ୍ରାସ ପାଇବାରେ ଲାଗିଥିଲା।

ତେବେ ସୁସ୍ଥ ଅନୁଭବ କରିବା ପରେ ଡାକ୍ତର ଗତ ୩୦ ତାରିଖ ଦିନ ତାଙ୍କୁ ଡିସ୍‌ଚାର୍ଜ କରିଥିଲେ। ଜୁନ୍ ୧ ତାରିଖ ଦିନ ପୁଣି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଭିମ୍‌ସାରରେ ଭର୍ତ୍ତି କରିବାକୁ ପଡ଼ିଥିଲା। ସେ ତାଙ୍କ ପଛରେ ୩ ପୁଅ ଆର୍ତ୍ତତ୍ରାଣ ପଣ୍ଡା, ଅଶ୍ବିନୀ ପଣ୍ଡା, ଅରୁଣ ପଣ୍ଡା ଏବଂ ୩ ଝିଅ ଋକ୍ମିଣୀ, ବିଷ୍ଣୁପ୍ରିୟା ଓ ହରିପ୍ରିୟାଙ୍କ ସହିତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି। ଆଜି ଗାଁବୁର୍ଲାସ୍ଥିତ ମହାନଦୀ ତଟ ଶଶ୍ମାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ‌ହୋଇଛି। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପଦ୍ନନାଭ ବେହେରା, ତହସିଲଦାର ଲକ୍ଷ୍ମଣ ଅମାତ, ଭିମ୍‌ସାରର ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ପହଂଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଜନ୍ମିତ ଅଟଳ ବିହାରୀ ପଣ୍ଡା ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସମ୍ବଲପୁରୀ ତଥା ଓଡ଼ିଆ ସାହିତ୍ୟ, ମଞ୍ଚ ନାଟକ ସହିତ କଳା ସଂସ୍କୃତି କ୍ଷେତ୍ର ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ କଟକ କଳା ବିକାଶ କେନ୍ଦ୍ରରେ ମଞ୍ଚସ୍ଥ ଅଟଳଙ୍କ ନାଟକ ଦେଖି ବିମୋହିତ ହୋଇଯାଇଥିଲେ। ଜଳସେଚନ ବିଭାଗର ଚାକିରିରୁ ଅବସର ନେବା ପରେ ମଝିଆ ପୁଅ ଆଇନଜୀବୀ ଅଶ୍ବିନୀ ପଣ୍ଡାଙ୍କ ସହ ବୁର୍ଲାରେ ରହୁଥିବା ଅଟଳଙ୍କ ନିକଟରେ ବୟସ ହାର ମାନିଥିଲା। ୮୩ ବର୍ଷ ବୟ‌ସରେ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଶଲାବୁଢ଼ା’ରେ ଅଭିନୟ କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିବା ଅଟଳ ବେଶ୍ ଚଳଚଞ୍ଚଳ ଥିଲେ। ତାଙ୍କ ଅଭିନୀତ ପରବର୍ତ୍ତୀ ଦୁଇଟି ଚଳଚ୍ଚିତ୍ର ‘ଆଦିମ ବିଚାର ଓ ‘ଶଲାବୁଢ଼ାର ବଦ୍‌ଲା ଜାତୀୟ ପୁରସ୍କାର ଲାଭ କରିଛି।

ସୁନ୍ଦର ସଂଳାପ ଓ ନିଖୁଣ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବା ଅଟଳଙ୍କ ନାଟ୍ୟ ଜୀବନ ଆରମ୍ଭ ହୋଇଥିଲା ମାତ୍ର ୧୩ ବର୍ଷ ବୟସରେ। ନିଜ ଗାଁ ବିନିକାରେ ମଞ୍ଚସ୍ଥ ନାଟକ ‘ରାଜା ହରିଶ୍ଚନ୍ଦ୍ରରେ ହରିଶ୍ଚନ୍ଦ୍ରଙ୍କ ପତ୍ନୀଙ୍କ ଭୂମିକାରେ ସେ ଅଭିନୟ କରିଥିଲେ। ଏକଦା ଅଟଳଙ୍କ ଅଭିନୟ ଓ ନୃତ୍ୟ ଦେଖି ସୋନପୁରର ମହାରାଣୀ ଏତେ ମୁଗ୍‌ଧ ହୋଇଯାଇଥିଲେ ଯେ, ତାଙ୍କୁ ସୋନପୁର ନେଇଯାଇ ନିଜ ପାଖରେ ରଖି ମହାରାଜା ହାଇସ୍କୁଲରେ ପାଠ ପଢ଼ାଇ ଥିଲେ। କେବଳ ସେତିକି ନୁହେଁ, ମହାରାଣୀ ଯେତେବେଳେ ଯୁଆଡେ ବୁଲିବାକୁ ଗଲେ ବି (କଲିକତା, ବମ୍ବେ ଆଦି ସ୍ଥାନ) ଅଟଳଙ୍କୁ ସାଂଗ‌ରେ ନେଇଯାଉଥିଲେ। ଶିକ୍ଷା ସମାପ୍ତି ପରେ ସେ ବୁର୍ଲାରେ ଜଳସେଚନ ବିଭାଗରେ ଚାକିରି ଜୀବନ ଆରମ୍ଭ କରିଥିଲେ। ‌ସେ ଏକସଂଗରେ ସମ୍ବଲପୁରୀ ଓ ସୁଗମ ସଂଗୀତ ନିମନ୍ତେ ଆକାଶବାଣୀ ସମ୍ବଲପୁର ଓ କଟକ କେନ୍ଦ୍ରର ସ୍ବୀକୃତିପ୍ରାପ୍ତ ଗୀତିକାର ମାନ୍ୟତା ପାଇଥିଲେ। ୨୨ ଜୁନ୍ ୧୯୬୬ରେ ବୁର୍ଲା ଭାରତୀ କଳା ବିକାଶ ମଣ୍ଡପରେ ପ୍ରଥମେ ମଞ୍ଚସ୍ଥ ହୋଇଥିବା ତାଙ୍କ ରଚିତ ସମ୍ବଲପୁରୀ ନାଟକ ‘ଫଟା କପାଲ୍ ଆଲୋଡ଼ନ ସୃଷ୍ଟି କରିଥିଲା। ୧୯୭୪ ମସିହାରେ ପ୍ରକାଶିତ ହୋଇଥିବା ‘ଫଟା କପାଲ୍‌ ହେଉଛି ପ୍ରଥମ ପ୍ରକାଶିତ ପୂର୍ଣ୍ଣାଙ୍ଗ ସମ୍ବଲପୁରୀ ମଞ୍ଚ ନାଟକ। ‘ଭଏଁଷ୍‌ ଆଗେ ନାଗଧୁନି ହେଉଛି ତାଙ୍କର ଅନ୍ୟତମ ଚର୍ଚ୍ଚିତ ସମ୍ବଲପୁରୀ ନାଟକ। ୧୯୪୪ ମସିହାରୁ ଆରମ୍ଭ ହୋଇଥିବା ନାଟ୍ୟ ଜୀବନରେ ସେ ଶହେରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ୬୫ଟି ମଞ୍ଚ, ଯାତ୍ରା ଓ ବେତାର ନାଟକ ରଚନା କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ‘ଶଲାବୁଢ଼ା, ‘ଆଦିମ ବିଚାର ଫିଲ୍ମ ପାଇଁ ସଂଳାପ ମଧ୍ୟ ଲେଖିଥିଲେ। ଅନ୍ୟ ଦୁଇ ଚଳଚ୍ଚିତ୍ର ଭଳି ‘ଶଲା ବୁଢ଼ାର୍‌ ବଦଲାରେ ମୁଖ୍ୟ ଭୂମିକାରେ ଜୀବନ୍ତ ଅଭିନୟ କର ସେ ବେଶ୍ ପ୍ରଶଂସିତ ହୋଇଥିଲେ। ୨୦୧୩ ମସିହାରେ ସାହିତ୍ୟ ସାଧନା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। ୨୦୧୯ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଡିଲିଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ‘ଶଲା ବୁଢ଼ା ଫିଲ୍ମ ପୂର୍ବରୁ ସେ ଦୂରଦର୍ଶନରେ ପ୍ରସାରିତ ‘ଡଂଗର ତଲେ ଡମୁରା ବାବା ଟେଲିଫିଲ୍ମରେ ଅଭିନୟ କରିଥିଲେ। ‘ଦେବୀ ତାଙ୍କର ପ୍ରଶଂସିତ ଉପନ୍ୟାସ ହୋଇଥିବାବେଳେ ବାନ୍ଦୁ ଉବାଚ(୧ମ, ୨ ୟ ଖଣ୍ଡ) ତାଙ୍କର ଆତ୍ମଜୀବନୀ ପୁସ୍ତକ ରହିଛି। ଜଣେ ଗୀତିକାର ଭାବରେ ମଧ୍ୟ ସୁନାମ ଅର୍ଜନ କରିଥିବା ଅଟଳଙ୍କ ରଚିତ ସମ୍ବଲପୁରୀ ଗୀତ ‘ ଇମା ଗୋ ମୁଇଁ କେନ୍‌ଥେଇ ଧର୍‌ମି ଆମର୍‌ ବାବୁର ବୁଆରର ନାଆଁ ଟା? ବହୁମାତ୍ରା ଆଦୃତ ହୋଇଛି। ‘ସମ୍ବାଦ- ଜୁଗାର ପତ୍ରିକା ବାର୍ଷିକ ଉତ୍ସବ ଅବସରରେ ସମ୍ବଲପୁର ଅଶୋକା ଟକିଜ୍ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅଟଳ ପଣ୍ଡାଙ୍କୁ ପ୍ରଥମ ‘ଜୁଗାର ସମ୍ମାନରେ ପ୍ରଦାନ କରାଯାଇଥିଲା।

ଅଟଳଙ୍କ ନାଟ୍ୟପ୍ରେମରେ ମହତାବ
ଜଳସେଚନ ବିଭାଗରେ ଚାକିରି କରୁଥିବା ଅଟଳ ବିହାରୀ ପଣ୍ଡାଙ୍କୁ ବୁର୍ଲାରୁ କଟକସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟକୁ ଅଫିସ୍‌ ଅଧୀକ୍ଷକ ଭାବେ ବଦଳି ହୋଇଥିଲା। ସେଠାରେ କିନ୍ତୁ ତାଙ୍କୁ କେତେକ କର୍ମଚାରୀଙ୍କ ବିରୋଧ ଓ ଅସହଯୋଗର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ, ସେ ହାର ମାନିବା ବ୍ୟକ୍ତି ନଥିଲେ। କାର୍ଯ୍ୟାଳୟରେ ଅଧିକାଂଶ କର୍ମଚାରୀ କଳାସଂସ୍କୃତି ପ୍ରେମୀ ହୋଇଥିବା ଜାଣିବା ପରେ ସେମାନଙ୍କ ସହଯୋଗ ହାସଲ କରିବାକୁ ଏକ ନାଟକ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟାଳୟର କେତେକ କର୍ମଚାରୀ ଓ ସେଠାକାର କିଛି କଳାକାରଙ୍କ ସହିତ ମିଶି ନାଟକ ‘ମଣି ସଂହାର ପ୍ରସ୍ତୁତ କରିଥି‌ଲେ। ଅଟଳ ତାଙ୍କ ରଚିତ ଏହି ନାଟକରେ ସେ ନିଜେ ଅଭିନୟ ମଧ୍ୟ କରିଥିଲେ। ସାମୁଏଲ ସାହୁଙ୍କ ନିର୍ଦ୍ଦେଶିତ ଏହି ନାଟକ ଏତେ ଭଲ ଭାଗିଥିଲା ଯେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନାଟକ ଦେଖିଥିଲେ। ନାଟକ ଶେଷ ହେବା ପରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଜରିଆରେ ଅଟଳଙ୍କୁ ଡକାଇ ଥିଲେ। କାଳେ କିଛି ଭୁଲ୍ ଯାଇଥିବା ଭାବି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗଲାବେଳେ ଅଟଳ ଭୟଭୀତ ଅବସ୍ଥାରେ ଥିଲେ। ମାତ୍ର ଡ.ମହତାବ ତାଙ୍କର ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କ ନିମନ୍ତେ ୬ଟି ନାଟକ ଲେଖିବାକୁ କହିଥିଲେ। ବାଘ ମାତିଛି, ଏବେ ବି ଏ ସମାଜ ବ୍ୟାଧିଗ୍ରସ୍ତ, ସାମନ୍ତବାଦର କବର ତଳେ, ଆଖିଲୁହ ବି କଥା କହେ, ଚରି ଆଚାରି ବ୍ରହ୍ମଚାରୀ ଓ ମହୁଆ ଷଣ୍ଢ ଆଦି ନାଟକ ରଚନା କରିଥିଲେ। ବିଶ୍ବଜନନୀ ଗଣନାଟ୍ୟ ଦ୍ବାରା ଏସବୁ ନାଟକ ମଞ୍ଚସ୍ଥ ହୋଇଥିଲା। ‘ବାଘ ମାତିଛି ସେସମୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ନାଟକ ଶାଳପଦାରେ କ୍ରମାଗତ ୨ ଦିନ ଧରି ମଞ୍ଚସ୍ଥ ହୋଇଥିଲା। ଦ୍ବିତୀୟ ଦିନରେ ୨ଟି ସୋ ସରିବା ପୁଣି ତୃତୀୟ ସୋ ପାଇଁ ଦର୍ଶକମାନେ ଅନୁରୋଧ କରିଥିଲେ। ମାତ୍ର ଥକି ଯାଇଥିବା କଳାକାରମାନେ ଆଉ ଅଭିନୟ କରିବା ଅବସ୍ଥାରେ ନଥିଲେ। ନାଟକ ପରିବେଷଣ ପାଇଁ ମନା କରିବାରୁ ଉତ୍ୟକ୍ତ ଲୋକଙ୍କ ମଧ୍ୟରୁ କେହି ଫାଙ୍କା ଗୁଳିଚାଳନା କରିଥିଲା। ସେଠାରେ ବ୍ୟାପକ ଭଂଗାରୁଜା ବି ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଅଟଳ ଏବଂ ନିର୍ଦ୍ଦେଶକ ସାମୁଏଲ ସାହୁ ପ୍ରାଣ ବିକଳରେ ସେଠାରୁ କୌଣସି ପ୍ରକାରେ ଲୁଚି କଟକ ଚାଲି ଆସିଥିଲେ।

ଅଟଳବିହାରୀ ପଣ୍ଡାଙ୍କ ନାଟ୍ୟ ସମ୍ଭାର
ଫଟା କପାଲ, ଗୁଲେକ ଧନ୍ଦା, ଲେଞ୍ଜାତାରା, ପଦ୍ମଶ୍ରୀ, ଫଟା ମାନ୍ଦଲ, କୁମ୍‌ନା ଭିତରେ ଡେଁଡୁ, ଭଏଷଁ ଆଗେ ନାଗୁଧୁନି, ଡୁମେର ରଜା, ମଣି ସଂହାର, ଭାଗ୍ୟଚକ୍ର, ଜୀବନ ମୃତ୍ୟୁ, ଏହି ସବୁ ଉପତ୍ୟକ ଏକ ବିରାଟ ଅରଣ୍ୟ, ବାବୁ କହିଛନ୍ତି ସେ ଘରେ ନାହାନ୍ତି, ସେମାନେ ପକ୍ଷୀ, ଆଗୋ ଶୁଣୁଛ, ଡଙ୍ଗାଘାଟ, ଅନ୍ୟ ଏକ ଅପରାହ୍ନ, କ୍ଲାନ୍ତ ଅପରାହ୍ନ, ସ୍ବଭାବ ଛାଡ଼ିବି କେମନ୍ତେ, ଗଛ, ଇ ଲୋ, ଯଖା, ସଦ୍‌ଗତି, ଏବେ ବି ଏ ସମାଜ ବ୍ୟାଧିଗ୍ରସ୍ତ, ସାମନ୍ତବାଦର କବର ତଳେ, ଆଖିଲୁହ ବି କଥା କହେ, ଚରି ଆଚାରି ବ୍ରହ୍ମଚାରୀ ଓ ମହୁଆ ଷଣ୍ଢ।

ସମ୍ମାନ ଓ ସମ୍ବର୍ଦ୍ଧନା
ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ(ସମ୍ବଲପୁର ବିଶ୍ବବିଦ୍ୟାଳୟ), ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ, ପଶ୍ଚିମ ଓଡ଼ିଶା ଗୌରବ ସମ୍ମାନ, ଓଡ଼ିଶା ଯାତ୍ରା ଗୌରବ ସମ୍ମାନ ଓ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସମ୍ମାନ(ପଞ୍ଚସଖା ଏକା‌‌ଡ଼େମୀ, ଗୋପାଳପୁର, ବାଲେଶ୍ବର), ପଞ୍ଚମ ବେଦ ସମ୍ମାନ(ଭୁବନେଶ୍ବର), ସେତୁ ସମ୍ମାନ(ସମ୍ବଲପୁର), ଘନଶ୍ୟାମ ରଥ ସ୍ମୃତି ସମ୍ମାନ(ସେତୁ, ସମ୍ବଲପୁର), ବଳଭଦ୍ର ସୂପକାର ସ୍ମାରକୀ ପୁରସ୍କାର( ଯୁବ ଉଦୟନ, ସମ୍ବଲପୁର), କୋଶଳ ରତ୍ନ ଉପାଧି( ପଶ୍ଚିମାଞ୍ଚଳ ସାମ୍ବାଦିକ ସଂଘ), ନାଟ୍ୟଜ୍ୟୋତି ସମ୍ମାନ(ସମ୍ବଲପୁର ବିଶ୍ବବିଦ୍ୟାଳୟ ନାଟ୍ୟ ସଂସଦ), କୋଶଳ ଗୌରବ ନାଟ୍ୟ ସମ୍ମାନ, ସାଇଟ୍‌ ସାଂସ୍କୃତି ପରିଷଦ, ବଲାଂଗୀର, ଭାଗୀରଥି ନେପାକ ସ୍ମୃତି ସମ୍ମାନ(ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ), ଭୂମିକା ସମ୍ମାନ, ପହଲି ପରଶ ନାଟ୍ୟ ସମ୍ମାନ, କଲ୍‌ଚରାଲ ଏସୋସିଏସନ୍, ସମ୍ବଲପୁର, ନାଟ୍ୟ ବାରିଧି ସମ୍ମାନ( ଓଡ଼ିଶା ଥିଏଟର ଏକାଡେମି), କୋଶଳ ଭାରତୀ ସମ୍ମାନ( କୋଶଳ ସାଂସ୍କୃତିକ ସମାଜ), ଅରୁନ୍ଧତୀ ସମ୍ମାନ( ଅରୁନ୍ଧତୀ କଳା ସଂସଦ), ‘ସମ୍ବାଦ ଜୁଗାର ସମ୍ମାନ ସହିତ ଆହୁରି ଅନେକ।

ସମ୍ବନ୍ଧିତ ଖବର