ଭିମ୍‌ସାର୍‌ରୁ ଘରକୁ ଫେରିଲେ ଅଟଳ ବିହାରୀ ପଣ୍ଡା

ସମ୍ବଲପୁର : ବର୍ଷିଆନ୍ ଅଭିନେତା ତଥା ନାଟ୍ୟକାର ‘ଶଳାବୁଢ଼ା’ ଫେମ୍‌ ଅଟଳ ବିହାରୀ ପଣ୍ଡା ରବିବାର ବୁର୍ଲା ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି। ତେବେ ଡିସ୍‌ଚାର୍ଜ ହେବା ପରେ ବି ଘରେ ତାଙ୍କର ଚିକିତ୍ସା ଜାରି ରହିବ ବୋଲି ଜଣାପଡ଼ିଛି। ସେ ୧୨ ଦିନ ଧରି ଭିମସାର୍‌ ମେଡିସିନ୍‌ ବିଭାଗର ଏକ କ୍ୟାବିନ୍‌ରେ ଚିକିତ୍ସିତ ହେଉଥିଲେ।

ଶଳାବୁଢ଼ା, ଆଦିମ୍ ବିଚାର୍ ଭଳି ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ସିନେମାରେ ଚମତ୍କାର ଅଭିନୟ କରି ଚର୍ଚ୍ଚିତ ହୋଇଥିବା ଏହି ୯୦ ବର୍ଷୀୟ କଳାକାରଙ୍କ ରକ୍ତସର୍କରା ସ୍ତର ବୃଦ୍ଧି ପାଇବା ତଥା ହିମୋଗ୍ଲୋବିନ୍, ସୋଡିୟମ୍, ପୋଟାସିୟମ୍ କମିଯିବା କାରଣରୁ ଗତ ୧୯ ତାରିଖ ରାତିରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେତେବେଳେ ତାଙ୍କ ଅବସ୍ଥା ଗୁରୁତର ‌ଥିଲା। ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲାପାଳ ଶୁଭମ୍ ସକ୍‌ସେନା ଭିମସାର୍‌ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ। ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର୍ ବୁଟୁଙ୍ଗେଶ୍ବର ପ୍ରଧାନଙ୍କ ତତ୍ତ୍ବାବଧାନରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲା। ଶେଷରେ ଶ୍ରୀ ପଣ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆସିଛି।

ଚିକିତ୍ସା ଓ ସମସ୍ତ ସହଯୋଗ ପାଇଁ ଶ୍ରୀ ପଣ୍ଡାଙ୍କ ପରିବାର ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍‌ସେନା, ଡା. ବୁଟୁଙ୍ଗେଶ୍ବର ପ୍ରଧାନ, ଡା. ବିକେ କୁଲୁ, ଡା. ଏ ଠାକୁର, ଡା. ପିଆର୍‌ ରାଇକା, ଡା. ସୁଦର୍ଶନ ପୋଥାଲଙ୍କ ସମେତ ସବୁ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର