ଭୁବନେଶ୍ୱର : ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା। ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାରେ ଓଡ଼ିଶା ଗସ୍ତର ଏକ ପରୁଣା ଫଟୋ ଟୁଇଟ୍‌ କରି ଇତିହାସର ସ୍ମୃତିକୁ ଉଜ୍ଜୀବିତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଉକ୍ତ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଦିବସରେ ଏହି ଫଟୋଟି ଅନେକ ସ୍ମୃତିକୁ ଉଜ୍ଜୀବିତ କରୁଛି। ଫଟୋଟି ୧୯୯୧-୯୨ ମସିହାର। ଅଟଳଜୀ ଓଡ଼ିଶା ଆସିଥିଲେ। ପାର୍ଟି ଅଫିସ୍‌ରୁ ଓଡ଼ିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା କଲେ। ବିଧାନସଭାର ବାଚସ୍ପତିଙ୍କ ଗ୍ୟାଲେରି‌ରେ କିଛି ସମୟ ବସିବା ପରେ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଅଟଳଜୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚବି ପ୍ୟାରୀମୋହନ ମହାପାତ୍ରଙ୍କ ଜରି‌ଆରେ ତାଙ୍କ ପାଖକୁ ଆସିବାକୁ ଆମନ୍ତ୍ରଣ କଲେ। ବିଜୁବାବୁ ଅଟଳଜୀଙ୍କୁ ପାଛୋଟି ନେଇଥିଲେ। ଅନ୍ତରଙ୍ଗ ଆଳାପ କଲେ। ଏହି ଫଟୋଟିରେ ଅଟଳଜୀ ଓ ବିଜୁ ବାବୁଙ୍କ ସହ ବିଜେପିର ସେ ସମୟର ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢାଲି ଓ ସେ ସମୟର ବିଜେପି ରାଜ୍ୟ ସଭାପତି ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି।

Advertisment

ବାଜପେୟୀଜୀ ବିରୋଧୀ ଦଳର ନେତା ଭାବେ ଓଡ଼ିଶାର କେବିକେ ଅଞ୍ଚଳର ଗରିବୀ ସହ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବୁଲିବା ସହ ଲୋକମାନଙ୍କ ସହ ମିଶୁଥିଲେ। ୧୯୯୯ ମସିହା ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶା ପୁନଃ ନିର୍ମାଣ ପାଇଁ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା। ଦେହବସାନ ପରେ ଆଜି ସେ ଅମର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।