ଭୁବନେଶ୍ୱର : ମା’ଙ୍କ ଇଚ୍ଛା ଥିଲା ପୁଅ ଓଏଏସ୍‌ ଅଫିସର ହେବ। ଗରିବ ଲୋକଙ୍କ ସେବା କରିବ। ସେମାନଙ୍କ ହାତ ପାହାନ୍ତାରେ ସ୍ବାସ୍ଥ୍ୟ, ଶିକ୍ଷା ପହଞ୍ଚାଇବ। ଆଉ ମା’ଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ପୁଅ ବି ଦିନରାତି ଏକ କରି ଦେଇଥିଲା। ପ୍ରଥମ ପ୍ରୟାସରେ ସଫଳତା ମିଳି ନ ଥିଲା। ଦ୍ବିତୀୟ ଓ ତୃତୀୟ ଥର ବି ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଲା। ତା’ପରେ ବି ମନବଳ ଭାଙ୍ଗି ନ ଥିଲେ। ବରଂ ଚେଷ୍ଟା ଜାରି ରଖିଥିଲେ। ପରିଣାମ ସ୍ବରୂପ ସଦ୍ୟ ପ୍ରକାଶିତ ଓଏଏସ୍‌ ପରୀକ୍ଷା ଫଳରେ ୭୪ତମ ସ୍ଥାନ ହାସଲ କରିଛନ୍ତି। ଏଭଳି କୃତିତ୍ବର ଅଧିକାରୀ ହୋଇଛନ୍ତି ଗଜପତି ଜିଲ୍ଲା ଲୁହାଗୋଡ଼ି ଗ୍ରାମର ଅତନୁ କୁମାର ପାତ୍ର। ଅତନୁ ମା’ କୃଷ୍ଣା ପାତ୍ରଙ୍କ ସ୍ବପ୍ନ ସାକାର କରିଛନ୍ତି ସତ, ହେଲେ ଖୁସି ଦେଖିବାକୁ ତାଙ୍କ ମା’ ଆଉ ନାହାନ୍ତି।

Advertisment

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସ୍‌କେସିଜି କଲେଜରୁ ସ୍ନାତକ ପଢ଼ା ପରେ ଅତନୁ ଖଲ୍ଲିକୋଟ କଲେଜରେ ଗଣିତରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ। ପାଠପଢ଼ା ଶେଷ ହେବା ପରେ ମା’ଙ୍କ ପ୍ରେରଣାରେ ଓଏଏସ୍‌ ହେବା ଲକ୍ଷ୍ୟରେ ୨୦୧୫ରୁ ଆରମ୍ଭ କରିଥିଲେ ଅଭିଯାନ। ପ୍ରଥମେ ଦିଲ୍ଲୀରେ ଯାଇ ଗୋଟିଏ ବର୍ଷ ସିଭିଲ୍‌ ସର୍ଭିସ୍‌ ପାଇଁ କୋଚିଂ ନେଇଥିଲେ। ସେଠାରୁ ତାଲିମ ନେବା ପରେ ଭୁବନେଶ୍ବର ଫେରି ଆସିଥିଲେ। ଏଠାରେ ଥିବା ବିଭିନ୍ନ ‌ଘରୋଇ ଶିକ୍ଷାନୁଷ୍ଠାନରେ ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ଆରମ୍ଭ କଲେ। ପ୍ରଥମେ ପ୍ରଥମେ କଷ୍ଟ ହୋଇଥିଲା। ଭୁବନେଶ୍ବରରେ ରହିବା, ଚାକିରି କରିବା ସହ ଓଏଏସ୍‌ ପାଇଁ ପ୍ରସ୍ତୁତ ହେବା ସମସ୍ୟା ସୃଷ୍ଟି କରିଥିଲା। ତା’ ଭିତରେ ବି ଓଏଏସ୍‌ ହେବାର ନିଶା ଲାଗି ରହିଥିଲା। ଯେଉଁଥିପାଇଁ ଏକାଧିକ କୋଚିଂ ସେଣ୍ଟରରେ ପିଲାଙ୍କୁ ପଢ଼ାଇବା ସହ ନିଜେ ମଧ୍ୟ ଅଭ୍ୟାସ ଜାରି ରଖିଲେ। ପରିଣାମ ସ୍ବରୂପ ଏବେ ସଫଳତା ପାଇଛନ୍ତି। ୨୦୨୦ ମାର୍ଚ୍ଚରେ ଓଏଏସ୍‌ ପ୍ରିଲିମିନାରି ପରୀକ୍ଷା ଦେଇଥିଲେ। ଡିସେମ୍ବରରେ ମେନ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ଅକ୍ଟୋବରରେ ମା’ଙ୍କ ଦେହାନ୍ତ ହୋଇଥିଲା। ଏଭଳି ଏକ ଖବର ଶୁଣିବା ପରେ ମାନସିକ ଭାବେ ଅତନୁ ଭାଙ୍ଗି ପଡ଼ିଥିଲେ ସତ, ହେଲେ ହାରି ନ ଥିଲେ। ବରଂ ମନୋବଳ ଦୃଢ଼ କରି ଆଗକୁ ମାଡ଼ି ଚାଲିଥିଲେ। ଓଏଏସ୍‌ ହେବା ନିଶା, ସବୁ ଦୁଃଖକୁ ପଛ‌ରେ ପକାଇ ଦେଇଥିଲା।

ସଫଳତା ନେଇ ଅତନୁ କହିଛନ୍ତି ଯେ ମା’ଙ୍କର ଗୋଟିଏ ଇଚ୍ଛା ଥିଲା କି, ମୁଁ ଓଏଏସ୍ ଅଫିସର ହୁଏ। ତେବେ ଓଏଏସ୍‌ ପରୀକ୍ଷା ଚାଲିଥିବା ସମୟରେ ମୋ ମା’ଙ୍କର ଦେହାନ୍ତ ହୋଇଯାଇଥିଲା। ତଥାପି ମା’ଙ୍କର ସ୍ୱପ୍ନ ପୂରଣ କରିବାକୁ ପରୀକ୍ଷା ଦେଇଥିଲି। ଆଉ ଆଜି ଯାହା ବି କିଛି ପାଇଛି ତାହା କେବଳ ମା’ଙ୍କ ଆଶୀର୍ବାଦରୁ ହିଁ ସମ୍ଭବପର ହୋଇପାରିଛି। ସଫଳତାର ସମସ୍ତ ଶ୍ରେୟ ମୋ ମା’ଙ୍କୁ ଦେବି। ମା’ ଥିଲେ ଆଜି ନିଶ୍ଚିତ ଭାବେ ଖୁସି ହୋଇଥାନ୍ତା। ମା’ ସବୁବେଳେ ମୋତେ କୁହନ୍ତି ଧର୍ଯ୍ୟ ରଖ, ନିଷ୍ଠା ଓ ଦୃଢ଼ ବିଶ୍ବାସ ହିଁ ସଫଳତା ଆଣି ଦେବ। ମା’ଙ୍କ ପରେ ଯଦି କାହାକୁ ଶ୍ରେୟ ଦେବାକୁ ଚାହେଁ, ସେ ହେଉଛନ୍ତି ମୋ ବାପା ଭିକାରୀ ଚରଣ ପାତ୍ର ଓ ଭଉଣୀ ଅର୍ଚ୍ଚନା ପାତ୍ର। ସେମାନଙ୍କର ବିନା ସହଯୋଗରେ ମୁଁ କେବେ ବି ଏ ସଫଳତା ପାଇ ପାରି ନ ଥାନ୍ତି। ମୋର ମା’ଙ୍କର ଉପଦେଶକୁ ମନେରଖି ମୁଁ ଗୋଟିଏ ଭଲ ଅଫିସର୍ ହେବାକୁ ଚେଷ୍ଟା କରିବି। କିଭଳି ଭାବେ ସମାଜର ମଙ୍ଗଳ ହୋଇପାରିବ ସେଦିଗରେ କାମ କରିବି।