ପୌର ନିର୍ବାଚନ ସମୀକ୍ଷା କଲେ ଅତନୁ, ବାଣ୍ଟିଲେ ବିଜୟର ଗୁରୁମନ୍ତ୍ର

ରାୟଗଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ବଚ୍ଛ ଶାସନର ବାର୍ତ୍ତାକୁ ନିର୍ବାଚନୀ ମୁଦ୍ଦା କର। ବିକାଶର ତାଲିକା ଭୋଟରଙ୍କ ନିକଟରେ ପହଞ୍ଚାଓ। ବିରୋଧୀଙ୍କୁ ଦୁର୍ବଳ ନ ଭାବି ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କର। ବୁଥସ୍ତରରେ ଭୋଟ ହାର ବୃଦ୍ଧି ଦିଗରେ ପଦକ୍ଷେପ ନିଅ।

ରାୟଗଡ଼ା ଗସ୍ତରେ ଆସି ପୌର ନିର୍ବାଚନ ସ୍ଥିତି ସମୀକ୍ଷା କରି ଦଳୀୟ ନେତାଙ୍କୁ ଏପରି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ। ଗତକାଲି ଗଜପତିରେ ନିର୍ବାଚନୀ ସମୀକ୍ଷା ସାରି ରାତିରେ ଶ୍ରୀ ନାୟକ ରାୟଗଡ଼ାରେ ପହଞ୍ଚିଥିଲେ। ଆଜି ସକାଳେ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବାସ ଭବନରେ ପହଞ୍ଚି ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରି ବିରୋଧୀ କଂଗ୍ରେସ ଓ ବିଜେପିର ରଣନୀତି ସଂପର୍କରେ ପଚାରି ବୁଝିଥିଲେ। ଗତ ୨୫ ବର୍ଷ ହେଲା ରାୟଗଡ଼ା ପୌର ପରିଷଦ ବିଜେଡି ଅକ୍ତିଆରରେ ଥିବାରୁ ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଐତିହାସିକ ବିଜୟ ହାସଲ କରିବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ରାଓ କହିଥିଲେ।

ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥୀ ପି. ମହେଶ ପଟ୍ଟନାୟକ ପର୍ଯ୍ୟବେକ୍ଷକ ଶ୍ରୀ ନାୟକଙ୍କୁ ସାକ୍ଷାତ କରି ସହଯୋଗ ଲୋଡିଥିଲେ। ମତଦାନ ପାଇଁ ଖୁବ୍ କମ୍ ସମୟ ହାତରେ ଥିବାରୁ ପୌରାଧ୍ୟକ୍ଷ ପ୍ରାର୍ଥୀ ସମେତ କାଉନସିଲର ପ୍ରାର୍ଥୀ ପ୍ରଚାରକୁ ଗୁରୁତ୍ବ ଦେବା ପାଇଁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଏଥି ସହିତ କଂଗ୍ରେସ, ବିଜେପି ଶିବିରରେ ଥିବା ଅସନ୍ତୁଷ୍ଟ ନେତାଙ୍କୁ ଦଳରେ ସାମିଲ୍ କରି ବିଜେଡି ଭୋଟ ହାର ବଢ଼ାଇବାକୁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି। ରାୟଗଡ଼ା ସମୀକ୍ଷା ପରେ ଗୁଣପୁରରେ ପହଞ୍ଚିଥିଲେ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ। ଜିଲ୍ଲା ସଭାପତି ସୁଧୀର ଦାଶ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ଉପସ୍ଥିତିରେ ଦଳୀୟ କର୍ମକର୍ତ୍ତା ଓ ପ୍ରାର୍ଥୀଙ୍କ ସହ ଆଲୋଚନା କରିଥିଲେ।

ଦଳୀୟ ପୌରାଧ୍ୟକ୍ଷ ପ୍ରାର୍ଥୀ ସଂଯୁକ୍ତା ସାହୁଙ୍କ ସମେତ ଅନ୍ୟ ପ୍ରାର୍ଥୀ ଶ୍ରୀ ନାୟକଙ୍କୁ ସାକ୍ଷାତ କରିଥିଲେ। ଗୁଣପୁରରେ ବିଜେଡିର ବୃହତ ବିଜୟ ଦିଗରେ ସଭିଁଏ ଆପ୍ରାଣ ଉଦ୍ୟମ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି। ସେହିପରି ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ ଶ୍ରୀ ନାୟକ। ଗୁଣପୁର ଓ ଗୁଡାରିରେ ବିଜେଡିର ବିଜୟ ସୁନିଶ୍ଚିତ କରିବା ଦିଗରେ ଦଳର ନେତା, କର୍ମୀ ଲାଗିଥିବା ଜିଲ୍ଲା ସଭାପତି ଶ୍ରୀ ଦାଶ ପ୍ରକାଶ କରିଥିଲେ। ୩ ପୌରାଞ୍ଚଳର ସମୀକ୍ଷା କରିବା ପରେ ଚଳିତ ପୌର ନିର୍ବାଚନରେ ବିଜେଡି ରାୟଗଡ଼ା, ଗୁଣପୁର, ଗୁଡ଼ାରିରେ କାଉନସିଲ୍ ଗଠନ କରିବା ସହ ଅଧ୍ୟକ୍ଷ ପଦବିକୁ ଅକ୍ତିଆର କରିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର