ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗ ଆଦିକୁ ନେଇ ଆଲୋଚନା ଚାଲିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ବାହିନୀପତି। ଆଜି ପ୍ରଶ୍ନକାଳରେ ବିଭିନ୍ନ ପ୍ରଶ୍ନର ଉତ୍ତର କ୍ରମରେ ମନ୍ତ୍ରୀ ରଖିଥିବା ତଥ୍ୟକୁ ନେଇ ସମାଲୋଚନା କରିଥିଲେ ଶ୍ରୀ ମିଶ୍ର ଓ ଶ୍ରୀ ବାହିନୀପତି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ କହିଛନ୍ତି, ‘‘ରାଜ୍ୟରେ ସରକାରୀ ମହାବିଦ୍ୟାଳୟର ସଂଖ୍ୟା ୨୩୭୩। ସେଥିରେ ୩୮୫ ଅଧ୍ୟାପକ ପଦ ଖାଲି ପଡ଼ିଛି। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ସଂଖ୍ୟା ରହିଛି ୨୯୮, ମଞ୍ଜୁରୀ ପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକା ସଂଖ୍ୟା ୨୩୭୩ ରହିଥିବା ବେଳେ ଖାଲି ପଡ଼ିଥିବା ଅଧ୍ୟାପକ ସଂଖ୍ୟା ର ୧୦୬୫। ଅଧ୍ୟାପକ ପଦବୀ ପୂରଣ ଲାଗି ଏସଏସବିଙ୍କୁ ନିର୍ଦେଶ ଦିଆଯାଇଛି।’’
ସେହିପରି କଲେଜର ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର। ସେ କହିଛନ୍ତି, ‘‘କେବିକେ ଜିଲ୍ଳାର ବିକାଶ ତଳ ଆଡୁ ହେଉଛି। ବିକାଶ କଥା କହିବା ବେଳେ ରାଜ୍ୟ ସରକାରଙ୍କୁ ଲାଜ ଲାଗୁନାହିଁ ।’’