ରାଜ୍ୟରେ କୋଭିଡ ରୋଗୀଙ୍କ ସୁସ୍ଥ ହାର ୯୭%

ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨ହଜାର ତଳେ, ୧୫୭୨ ପଜିଟିଭ୍, ୨୦ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ଗତ ୫ଦିନ ହେବ ଦୈନିକ ସଂକ୍ରମଣ ୨ହଜାର ତଳେ ରହିଛି। ହେଲେ ଲଗାତାର ଦୈନିକ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨ହଜାର ତଳକୁ ଖସି ଆସିଛି। ଅନ୍ୟପକ୍ଷରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯୭ ପ୍ରତିଶତକୁ ବୃଦ୍ଧି ପାଇଛି।

ଶୁକ୍ରବାର ଦିନ ରାଜ୍ୟ ସରକାର ୨୪୮୩ ରୋଗୀ କରୋନାରୁ ମୁକ୍ତ ହୋଇଥିବା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୫୩ହଜାର ୯୧୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧୧,୭୭୦ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଜାନୁଆରି ୧୮ତାରିଖରେ ରାଜ୍ୟରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଛୁଇଁବା ପରେ ଧୀରେ ଧୀରେ ସଂକ୍ରମଣ ଖସିବାକୁ ଆରମ୍ଭ କରିଥିଲା। ଏବେ କେବଳ ଖୋର୍ଧା, କଟକ ଓ ସୁନ୍ଦରଗଡ଼ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ଶହେ ତଳେ ରହିଛି। ମାଲକାନଗିରିରେ ଏହା ଏକ ଅଙ୍କକୁ ଖସି ଆସିଲାଣି। ଅପରପକ୍ଷରେ ରାଜ୍ୟରେ କରୋନାର ଘାତକ ପ୍ରଜାତି ଡେଲ୍‌ଟାକୁ ଅପସରଣ କରିବାରେ ସକ୍ଷମ ହୋଇଛି ଓମିକ୍ରନ୍। ଓମିକ୍ରନ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ କମ୍ ମୃତ୍ୟୁ ହେଉଥିବାରୁ ଆକ୍ରାନ୍ତର କିଛିଦିନ ଭିତରେ ରୋଗୀ ସୁସ୍ଥ ହୋଇ ଯାଉଛନ୍ତି। ଯାହାଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟର ସମସ୍ତ ଜିଲ୍ଲା ରେଡ୍ ଜୋନ୍‌ରୁ ମୁକ୍ତ ହୋଇଛନ୍ତି। ଖୋର୍ଧାରେ ୨ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଥିବାରୁ ଜିଲ୍ଲା ୟେଲୋ ଜୋନ୍‌ରେ ରହିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫୭୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୭୪ହଜାର ୫୭୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୨୦ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସରକାରୀ ଘୋଷଣା ହୋଇଛି। ଯାହାଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି। ପୁରୁଣା କୋଭିଡ ଏବେ ଘୋଷଣା ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର