ଆଠଗଡ଼ କୃଷି ଋଣ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ମାମଲା

କଟକ : ଆଠଗଡ଼ କୃଷି ଋଣ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଆଠଗଡ ବ୍ଲକ ଅନ୍ତର୍ଗତ ଗୁରୁଡିଝାଟିଆ ଗ୍ରାମର ତିନି ଜଣ ଚାଷୀ ଗତ ୨୭ରେ ବିଧାନସଭା ସମ୍ମୁଖରେ ଦେହରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିରୋଧରେ ଏହି ଚାଷୀମାନେ ସଂଗିନ ଅଭିଯୋଗ ଆଣିବା ସହିତ ଆତ୍ମାହୁତି ଉଦ୍ୟମ କରିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ କାବୁ କରି ନେଇଥିଲେ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ତତ୍କାଳୀନ ସଭାପତିଙ୍କ କାର୍ଯ୍ୟକାଳ ଭିତରେ ଚାଷୀଙ୍କ ନାଁରେ ଜାଲିଆତି କରି କୋଟି କୋଟି ଟଙ୍କା ଋଣ ଉଠାଯାଇଥିଲା। ଏଭଳି ଜାଲିଆତି ସଂକ୍ରାନ୍ତରେ ଜାଣିବା ପରେ ଚାଷୀମାନେ କଟକ ଜିଲ୍ଲାପାଳ, ଏସ୍‌ପି ଓ ସମବାୟ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କେବଳ ଗୁରୁଡିଝାଟିଆ ସମବାୟ ସମିତିର ସମ୍ପାଦକ ଓ ଅନ୍ୟମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ପ୍ରଶାସନ ଚୁପ୍ ବସିଛି। ଏବେ ଋଣ ପରିଶୋଧ ପାଇଁ ବ୍ୟାଙ୍କ୍ ଚାଷୀଙ୍କୁ ଧମକ ଦେଉଛି। ଯେଉଁ ଋଣ ଅର୍ଥ ଚାଷୀ ନେଇ ନାହାନ୍ତି ତାକୁ କିପରି ପରି‌ଶାଧ କରିବେ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏହି ଋଣ ଜାଲିଆତି ଘଟଣାରେ ବହୁ ବଡ ବଡ ଲୋକ ସଂପୃକ୍ତ ଥିବା ଅଭିଯୋଗ ରହିଥିବା ବେଳେ ରାଜ୍ୟ ସରକାର ଚୁପ୍ ବସିଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଘଟଣାର ସିବିଆଇ, ଏସଆଇଟି କିମ୍ବା ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ କରାଗଲେ ସତ ପଦାକୁ ଆସିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲରେ ମୁଖ୍ୟ ଶାସନ ସଚିବ, ସମବାୟ ବିଭାଗ, ସମବାୟ ରେଜିଷ୍ଟ୍ରାର, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍, କୃଷି ସଚିବ, କେନ୍ଦ୍ର ସରକାର, ସିବିଆଇ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର