କଟକ: କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରେ ଗଲା ୩ ମାସ ଭିତରେ ୪ ହାତୀଙ୍କ ଜୀବନ ଗଲାଣି। ହାତୀ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ବନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସତ୍ତ୍ବେ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣା ଏବେ ଉଦ୍ବେଗର କାରଣ ହୋଇଛି। ହାତୀ ଶିକାର କରି ଦାନ୍ତ ଲୁଟିନେବା ଘଟଣା ସବୁ ବ୍ୟବସ୍ଥାକୁ ପ୍ରହସନରେ ପରିଣତ କରିଛି। ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଗିରଫ କରିଥିବାବେଳେ ଲୁଟ୍ ହୋଇଥିବା ଦାନ୍ତ କିନ୍ତୁ ଜବତ ହୋଇପାରିନି। ଏପଟେ ଆଠଗଡ଼ ବନଖଣ୍ଡରେ ହାତୀସଂଖ୍ୟା ଅଧିକ ରହୁଥିବାରୁ ହାତୀଙ୍କ ସ୍ବାଭାବିକ ମୃତ୍ୟୁ ହେଉଥିବା ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି।
ନରସିଂହପୁରରେ ୩ ମାସରେ ମଲେଣି ୪ ହାତୀ
ବାରଭାୟା ଓ ଦେବଭୂଇଁ ଜଙ୍ଗଲରୁ ଶାଗୁଆନ, ଶାଳ ଚାଲାଣ
କିନ୍ତୁ ନିକଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ହାତୀ ମୃତ୍ୟୁ ଓ ଜଙ୍ଗଲରୁ ଶାଗୁଆନ୍ ଗଛ ଲୁଟ୍ ଘଟଣାକୁ ନେଇ ବନ ବିଭାଗ ବିରୋଧରେ ଅଭିଯୋଗ ଆଣିଥିଲେ ସ୍ଥାନୀୟ ଗ୍ରାମାବାସୀ। ଏମିତିକି ଏସବୁ ଘଟଣା ପାଇଁ ବନ ବିଭାଗର କର୍ମଚାରୀଙ୍କୁ ଗ୍ରାମବାସୀ ଦାୟୀ କରିଥିଲେ। କୌଣସି ଖବର ଦେଲେ ନାମ ଗୋପନ ରଖାଯିବ, ଆବଶ୍ୟକ ହେଲେ ଏସ୍ଟିଏଫ୍ ସହାୟତାରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବୁଝାଇଥିଲେ।
ବନ ବିଭାଗ ଦେଉଥିବା ସୂଚନା ଅନୁସାରେ ଗଲା ୧୪ ମାସରେ ୨ଟି ହାତୀଙ୍କର ଅସ୍ବାଭାବିକ ମୃ୍ତ୍ୟୁ ହୋଇଛି। କେତେ ହାତୀଙ୍କର ସ୍ବାଭାବିକ ମୃତ୍ୟୁ ହୋଇଛି ତାର ତଥ୍ୟ ବନ ବିଭାଗ ଦେଇ ନାହିଁ। କିନ୍ତୁ କେବଳ ନରସିଂହପୁରରେ ଏକ ଛୁଆ ହାତୀ ସମେତ ୪ଟି ହାତୀର ମୃତ୍ୟୁ ଘଟିଛି। ନଭେମ୍ବର ୪ ତାରିଖରେ ନରସିଂହପୁର ପୂର୍ବ ବନାଞ୍ଚଳର ସେରମୁଣ୍ଡା ସେକ୍ସନ୍ରେ ୯ବର୍ଷର ଦନ୍ତାହାତୀର ମୃତଦେହ ଜବତ ହୋଇଥିଲା। କିନ୍ତୁ ମୃତ ହାତୀର ଦାନ୍ତ କାଟି ନିଆଯାଇଥିଲା। ସେହିପରି ଜାନୁଆରି ୭ରେ ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଂହା ସେକ୍ସନ ମିଚିକାପୁର ବିଟ୍ର ପୁରୁଣାପାଣି ଖେସରା ସଂରକ୍ଷିତ ଜଙ୍ଗଲରୁ ୨୦ରୁ ୨୫ବର୍ଷର ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଗ୍ରାମାବାସୀ ବନ ବିଭାଗକୁ ଖବର ଦେବାପରେ ତାହାକୁ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।
ସେହିପରି ଗଲା ୨୫ ତାରିଖରେ ମଧ୍ୟ ନରସିଂହପୁର ପୂର୍ବାଞ୍ଚଳ ବନବିଭାଗ ଅଧୀନ ରଙ୍ଗଡ଼ାବ ଗ୍ୟାସ୍ ଅଫିସ୍ ନିକଟରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏହି ୧୫ ବର୍ଷୀୟ ଦନ୍ତାର ମୃତ୍ୟୁ ଘଟିଥିବା କୁହାଯାଉଛି। ଏହି ଘଟଣାରେ ବନ ବିଭାଗ ରଙ୍ଗଡ଼ାବ ଗ୍ରାମର ପଦ୍ମନାଭ ସାହୁଙ୍କୁ ଗିରଫ କରିଥିଲା। ତେବେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗ୍ରାମବାସୀମାନେ ହାତୀ ଶିକାର ଘଟଣାରେ କେଉଁମାନଙ୍କ ସଂପୃକ୍ତି ରହୁଛି ସେ ସଂପର୍କରେ ସେମାନଙ୍କ ପାଖରେ ଖବର ଅଛି ବୋଲି କହିଥିଲେ। ଏପରିକି ପ୍ରକୃତ ଶିକାରୀଙ୍କୁ ଛାଡ଼ି ନିରୀହ ଲୋକଙ୍କୁ ଗିରଫ କରାଯାଉଛି ବୋଲି ସେମାନେ କହିଥିଲେ। ନରସିଂହପୁରରେ ବିସ୍ତୀର୍ଣ୍ଣ ବାରଭାୟା, ଦେବଭୂଇଁ ପଞ୍ଚାୟତର ଶାଗୁଆନ ଓ ଶାଳ ଜଙ୍ଗଲରେ ବି ଅବାଧରେ ଗଛ କାଟି ଚାଲାଣ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏଭଳି ସ୍ଥିତିରେ ଆଠଗଡ଼ ବନଖଣ୍ଡରେ ଥିବା ପାଖାପାଖି ୧୭୦ ହାତୀଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି।
ହାତୀ ଶିକାର ସଂପର୍କରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି କହିଛନ୍ତି ଯେ ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ ଅଭିଯୋଗର ତଦନ୍ତ କରୁଛନ୍ତି। ହାତୀଙ୍କର ସ୍ବାଭାବିକ ମୃତ୍ୟୁ ବି ହେଉଛି। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି ଯେ ହାତୀ ମୃତ୍ୟୁ ସଂପର୍କରେ ଲୋକେ ଅଭିଯୋଗ କରିଛନ୍ତି। ଡିଏଫ୍ଓ ଓ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଏ ସଂପର୍କରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଆବଶ୍ୟକ ପଡ଼େ ଏସ୍ଟିଏଫ୍, ପୁଲିସର ସହାୟତା ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ତିନିବର୍ଷ ତଳେ ଆଠଗଡ଼ ବନଖଣ୍ଡର ବଡ଼ମ୍ବା ଓ ନରସିଂହପୁରରେ ମାଟିତଳୁ ଏସ୍ଟିଏଫ୍ ଦ୍ବାରା ହାତୀଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା।