ଆଠଗଡ଼ର ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳନ କରିଲେ ମହିଳା

କଟକ: ଆଜି ହେଉଛି ସାବିତ୍ରୀ ଅମାବାସ୍ୟା।  ଏହି ଅବସରରେ କଟକ ଜିଲ୍ଲାର ଆଠଗଡ଼ରୁ ଆସିଛି ରୋଚକ ଖବର । ଏଠାରେ ସଙ୍ଗରୋଧ କେନ୍ଦ୍ରରେ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସମସ୍ତେ ପାଳନ କରିଥିଲେ ସାମାଜିକ ଦୂରତା । ସଭିଙ୍କ ମୁହଁରେ ଥିଲା ମାସ୍କ । ସଙ୍ଗରୋଧ କେନ୍ଦ୍ରକୁ ଅନ୍ୟ କାହାକୁ ପ୍ରବେଶ ଲାଗି ଅନୁମତି ନ ଥିବାରୁ ସଙ୍ଗରୋଧ କେନ୍ଦ୍ରର ଫାଟକ ନିକଟକୁ ଆସି ଧାଡ଼ିରେ ସାମାଜିକ ଦୂରତା ରକ୍ଷା କରି ଠିଆ ହୋଇଥିଲେ ପ୍ରବାସୀ ଓଡ଼ିଆମାନେ । ସେହିପରି ଧାଡ଼ିରେ ଠିଆ ହୋଇ ସବୁ ମହିଳା ସ୍ୱାମୀଙ୍କ ପୂଜା କରିଛନ୍ତି ।

ଆଠଗଡ଼ର ଖଣ୍ଡହତା ସଙ୍ଗରୋଧ କେନ୍ଦ୍ରରେ ଥିବା ଅନେକ ପ୍ରବାସୀ ଓଡ଼ିଆ ଏବେ ରହୁଛନ୍ତି । ବଡନାଉପୁଟ ସରପଞ୍ଚ ସସ୍ମିତା ରାଉତ ସାବିତ୍ରୀ ବ୍ରତର ଏହି ସମସ୍ତ ବନ୍ଦୋବସ୍ତ କରିଥିବା ଜଣାଯାଇଛି।

ସେପଟେ ଆଜି ସାବିତ୍ରୀ ବ୍ରତ ହୋଇଥିଲେ ମଧ୍ୟ ପୁରୀ ଶ୍ରୀମନ୍ଦିର ଖାଁ ଖାଁ ରହିଛି । ପ୍ରତି ବର୍ଷ ସାବିତ୍ରୀ ବ୍ରତରେ ଯେଉଁଠି ହଜାର ହଜାର ମହିଳାଙ୍କ ଭିଡ଼ ଲାଗି ଥାଏ, ଆଜି ସେହି ଶ୍ରୀମନ୍ଦିରରେ ତାଲାବନ୍ଦ କଟକଣା ଯୋଗୁଁ ଜନଶୂନ୍ୟ ରହିଛି ।

ତେବେ କିଛି ମହିଳା ଭକ୍ତ ବଡ଼ ଦାଣ୍ଡରେ ପତିତପାବନକୁ ଦର୍ଶନ କରି ଭୋଗ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସାହି ଓ ବସ୍ତିରେ ଥିବା ଛୋଟ ଛୋଟ ମନ୍ଦିରରେ କଟକଣାକୁ ମାନି ମହିଳାମାନେ ମୁହଁରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ପାଳନ କରି ସାବିତ୍ରୀ ବ୍ରତ ପାଳନ କରୁଥିବା ପୁରୀରେ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର