କଟକ: କଟକ ଜିଲ୍ଲା ଆଠଗଡ଼ ବ୍ଲକ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ଘରୁ ହୀରା ହାର ସମେତ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି। ଶ୍ରୀ ସାହୁଙ୍କ ୨ଟି କୋଠା, ଗୋଟିଏ ଫ୍ଲାଟ୍, ୩ଟି ପ୍ଲଟ, ୪୭ ଲକ୍ଷ ଟଙ୍କାର ଜମା, ୬ ଲକ୍ଷ ୧୧ ହଜାର ଟଙ୍କା, ସୁନା ୪୫୨ ଗ୍ରାମ, ଦୁଇଟି ଚାରିଚକିଆ ଗାଡ଼ି ଇତ୍ୟାଦି ରହିଛି। ମୋଟ ଆୟର ଅତିରିକ୍ତ ୧୩୨ ପ୍ରତିଶତ ସଂପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।
ଭିଜିଲାନ୍ସ ପକ୍ଷରୁ ଗତକାଲି ଆଠଗଡ଼ ବିଡିଓ ଶ୍ରୀ ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଆଜି ତାଙ୍କୁ ଗିରଫ କରି ଭୁବନେଶ୍ବର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହୁ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ଯାଞ୍ଚ ସମୟରେ ଖୋର୍ଧା ପୁରୁଣା ଥାନା ନିକଟରେ ଏକ ମହଲା କୋଠା, ନୟାଗଡ଼ ରାଜ୍ସୁନାଖଳାରେ ଗୋଟିଏ ତିନି ମହଲା କୋଠା(୧୮ ଶହ ବର୍ଗଫୁଟ), ଭୁବନେଶ୍ବର ଗୌତମନଗରରେ ଆବାସିକ ଘର, ଖୋର୍ଧା ଓ ନୟାଗଡ଼ ରାଜସୁନାଖଳାରେ ୩ଟି ପ୍ଲଟ, ନଗଦ ୬ ଲକ୍ଷ ୧୧ ହଜାର ୭୭୦ ଟଙ୍କା, ସୁନା ଓ ହୀରା ମିଶାଇ ମୋଟ ୪୫୨ ଗ୍ରାମ, ୧ କେଜି ରୁପା, ମ୍ୟୁଚୁଆଲ୍ ଫଣ୍ଡ, ବ୍ୟାଙ୍କ୍ ଓ ବୀମାକୁ ମିଶାଇ ମୋଟ ୪୭ ଲକ୍ଷ ୨୪ ହଜାର ୮୫୩ ଟଙ୍କା ଠାବ ହୋଇଛି। ଏଥିସହ ଦୁଇଟି ଚାରି ଚକିଆ ଓ ୩ଟି ଦୁଇ ଚକିଆ ଗାଡ଼ି ଜବତ ହୋଇଛି। ଜବତ ଗାଡ଼ିର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହାବାଦ୍ ଘରକରଣା ସାମଗ୍ରୀର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଶ୍ରୀ ସାହୁ ପୂର୍ବରୁ ନରସିଂହପୁର ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିଲେ।