ଝୁଲା ଆଠମଲ୍ଲିକ ବିଧାନସଭା ଗାଦି : ଗଙ୍ଗଦେବଙ୍କ ବାଟେ ରାଜକୁମାରଙ୍କ ଏଣ୍ଟ୍ରି

ଅନୁଗୁଳ : ପୁଣି ଝୁଲିଲା ଆଠମଲ୍ଲିକ ଗାଦି। ପୂର୍ବରୁ ବିଜେପି ସମ୍ବଲପୁର ଲୋକସଭା ଅଧୀନସ୍ଥ ପ୍ରାୟ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ସାରି ଦେଇଥିବା ବେଳେ ଆଠମଲ୍ଲିକକୁ ଝୁଲା ସ୍ଥିତିରେ ରଖିଥିଲା। ବିଜେଡି ବି ସେହି ବାଟରେ ଯାଇ ଅଧା ଖଣ୍ଡିଆ ପ୍ରାର୍ଥୀ ଚୟନ କରିଥିଲା। ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଘୋଷଣା ହେଲା, ଅଥଚ ସମ୍ବଲପୁର ଲୋକସଭା ଏବଂ ଆଠମଲ୍ଲିକ ବିଧାନସଭାର କେଁ ଛାଡ଼ିଲାନି। କିନ୍ତୁ ପୂର୍ବତନ ପ୍ରଶାସକ ନଳିନୀ ପ୍ରଧାନଙ୍କୁ ବିଜେଡି ଆଜି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଘୋଷଣା କରି ଗୋଟିଏ ପାଦ ଆଗଭର ହୋଇଥିବା ବେଳେ ଆଠମଲ୍ଲିକ ସ୍ଥିତି ଏ‌େବ ବି ଝୁଲୁଛି। ନିର୍ବାଚନର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗତକାଲି ଆଠମଲ୍ଲିକ ରାଜ ପରିବାର ବିଜେପିକୁ ଏଣ୍ଟ୍ରି କରିଛି। ଭୋଟ୍‌ ଗ୍ରହଣକୁ ଆଉ ମାତ୍ର ୨୦ଟା ଦିନ ବାକି ଥିବା ବେଳେ ଆଠମଲ୍ଲିକ ରାଜକୁମାର ପରେଶ ଦେଓଙ୍କୁ ଦଳରେ ମିଶ୍ରଣ ବିଜେପି ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନଙ୍କୁ ପରୋକ୍ଷରେ ଦଳରେ କୋଣଠେସା ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଉଲ୍ଲେଖଯୋଗ୍ୟ, ଭାଗିରଥୀ ହେଉଛନ୍ତି ବିଜେପି ଅନୁଗୁଳ ଜିଲ୍ଲା ସଭାପତି। ସ୍ବୟଂ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଦୁଇ ଦୁଇ ଥର ବିଧାୟକ ପ୍ରାର୍ଥୀ। ରାଜକୁମାର ପରେଶ ମଧ୍ୟ ଆଠମଲ୍ଲିକର ବାସିନ୍ଦା। କିନ୍ତୁ ଗତକାଲି ରାଜଧାନୀରେ ଆୟୋଜିତ ମିଶ୍ରଣ ପର୍ବରେ ପରେଶଙ୍କ ହାତ ପଦ୍ମ ଧରୁଥିବା ବେଳେ ଭାଗିରଥୀଙ୍କର ସେଠାରେ ଦେଖା ମିଳିଲା ନାହିଁ। ବିଜେପିରେ ପରେଶଙ୍କୁ ଆମଦାନୀ ପୁରୁଖା ନେତା ଭାଗିରଥୀ ନାରାଜ କି? ମିଶ୍ରଣ ପର୍ବରେ ଭାଗିରଥୀଙ୍କ ଅନୁପସ୍ଥିତି ଏମିତି ପ୍ରଶ୍ନ ଏବଂ ବିଜେପିରେ ତାଙ୍କର କୋଣଠେସା ଚର୍ଚ୍ଚାକୁ ଆହୁରି ବଳ ଯୋଗାଉଛି।

ତେବେ ପରେଶଙ୍କ ଏଣ୍ଟ୍ରିରେ ନାରାଜ ଆଲୋଚନାକୁ ଭାଗିରଥୀ ଅସ୍ବୀକାର କରିଛନ୍ତି। ପରେଶଙ୍କ ଯୋଗଦାନ କୁଆଡ଼େ ତାଙ୍କର ସହମତିରେ ହୋଇଛି। ମିଶ୍ରଣ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଭୁବନେଶ୍ବର ଡକାଇ ଏ ପ୍ରସଙ୍ଗରେ ଖୋଦ୍‌ ଆଲୋଚନା କରିଥିଲେ। ତାଙ୍କ ସହମତିରେ ପରେଶଙ୍କ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା ବୋଲି ଭାଗିରଥୀ ‘ସମ୍ବାଦ’କୁ ଗୋଟିଏ ପଟେ ପ୍ରତିକ୍ରିୟା ଦେଇଥିବା ବେଳେ ଅନ୍ୟପଟେ ଆଠମଲ୍ଲିକରୁ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ରଖିଥିବା ରାଜକୁମାରଙ୍କ ମନ୍ତବ୍ୟ ସ୍ବତଃ ପରେଶ-ଭାଗିରଥୀଙ୍କ ରାଜନୈତିକ ତିକ୍ତତାକୁ ପଦାକୁ ଟାଣି ଆଣୁଛି।
ତଥ୍ୟ କହୁଛି, ପରେଶଙ୍କ ଜେଜେ ବାପା କିଶୋର ଚନ୍ଦ୍ର ଦେଓ ଥିଲେ କଂଗ୍ରେସର ନେତା। ଷାଠିଏ ଦଶକରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ, ପିତା ପ୍ରଦୀପ ଚନ୍ଦ୍ର ଦେଓ ଥିଲେ ବିଜେଡି ନେତା। ୨୦୦୦ମସିହାରେ ତାଙ୍କ ହାତ ପାହାନ୍ତାରେ ଟିକେଟ୍‌ ଥିଲା। କିନ୍ତୁ ଚାହୁଁ ଚାହୁଁ ଟିକେଟ୍‌ ହାତଛଡ଼ା ହୋଇଥିଲା। ନିର୍ବାଚନ ଲଢ଼ି ପାରି ନ ଥିଲେ। କିନ୍ତୁ ରାଜ ପରିବାରର ନାତି ପରେଶଙ୍କ ହଠାତ୍ ବିଜେପିରେ ଏଣ୍ଟ୍ରି ପଛରେ ତାଙ୍କ ସମ୍ପର୍କୀୟ ଭାଇ ନୀତେଶ ଗଙ୍ଗଦେବଙ୍କ ହାତ ଥିବା କୁହାଯାଉଛି। ନୀତେଶ ହେଉଛନ୍ତି ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ। ଆଠମଲ୍ଲିକ ବିଧାନସଭା କ୍ଷେତ୍ର ସମ୍ବଲପୁର ଲୋକସଭାର ଅଧୀନ। ତେଣୁ ସମ୍ଭବତଃ ନୀତେଶଙ୍କ କଥାରେ ପରେଶଙ୍କ ଏଣ୍ଟ୍ରି ବିଜେପିକୁ ହୋଇଥାଇ ପାରେ। ଦଳ ତାଙ୍କୁ ବି ନିର୍ବାଚନ ଲଢ଼େଇ ପାରେ ବୋଲି ଆଲୋଚନା ହେଉଛି। ନିର୍ବାଚନୀ ଲଢ଼େଇ ପ୍ରସଙ୍ଗରେ ପରେଶ ମଧ୍ୟ ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି। ଜେଜେ ବାପା କଂଗ୍ରେସ ନେତା ଥିବା ବେ‌େଳ ସେ କାହିଁକି ପଦ୍ମ ଦଳରେ ମିଶିଲେ? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୋଦୀଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ବିଜେପିରେ ଯୋଗ ଦେବାକୁ ମୁଁ ଇଚ୍ଛୁକ ଥିଲି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଡାକରା ପରେ ମୁଁ ଦଳରେ ସାମିଲ ହୋଇଛି। ଦଳ ମୋତେ ଲଢ଼ିବାକୁ କହିଲେ ନିଶ୍ଚିତ ଭାବେ ମୁଁ ଆଠମଲ୍ଲିକରୁ ନିର୍ବାଚନ ଲଢ଼ିବି। ଅତୀତରେ ବିଦେଶୀ ମାଟିର ଲୋକ ଆଠମଲ୍ଲିକର ନେତୃତ୍ବ ନେଇ ଆସିଛନ୍ତି। ଏଥର ଆଠମଲ୍ଲିକବାସୀଙ୍କ ମଧ୍ୟରୁ କାହାକୁ ଠିଆ କରାଇଲେ ଦଳକୁ ଭଲ ଫାଇଦା ମିଳିବ ବୋଲି ସେ ନିଜ ପ୍ରତିକ୍ରିୟାରେ ସମ୍ବାଦକୁ କହିଛନ୍ତି।

ଯଦି ଗଙ୍ଗଦେବଙ୍କ ଇସାରାରେ ପରେଶଙ୍କୁ ଟିକେଟ୍‌ ମିଳେ, ତେବେ ଅନୁଗୁଳରେ କଂଗ୍ରେସରୁ ଆମଦାନୀ ନେତା ପ୍ରତାପ ପ୍ରଧାନଙ୍କ ପାଇଁ ଯେମିତି ଲୁଲୁ ଅମାନ୍ତଙ୍କୁ କୋଣଠେସା ହେବାକୁ ପଡ଼ିଲା, ଭାଗିରଥୀଙ୍କୁ ସମଦଶା ଭୋଗିବାକୁ ପଡ଼ିପାରେ ବୋଲି ରାଜନୈତିକ ମହଲ ଆଶଙ୍କା କରୁଛନ୍ତି।

ସମ୍ବନ୍ଧିତ ଖବର