ପୁରୀ : ନୂଆବର୍ଷ ପୂର୍ବରୁ ନବବଧୂ ଭଳି ସଜେଇ ହୋଇଥିଲା ଐତିହ୍ୟ ସମ୍ପନ୍ନ ଅଠରନଳା। ରଙ୍ଗ ବେରଙ୍ଗ ଆଲୁଅରେ ଝଟକିଥିଲା ସମଗ୍ର ନାଳ ଏବଂ ତତ୍ସଂଲଗ୍ନ ପାର୍କ। ମାତ୍ର ଦୁଇମାସ ପୂରିନି, ରଙ୍ଗ ଫିକା ପଡ଼ିଗଲା। ରଙ୍ଗିନ ଆଲୁଅ ମାଳା ସିନା ଅସ୍ଥାୟୀ ଥିଲା, ମାତ୍ର ଅଠରନଳା ମଧ୍ୟରେ ଆଲୋକମାଳା ସଂଲଗ୍ନ ଯେଉଁ ୨ଟି ପାଣି ଫୁଆରା ଥିଲା ତାହା ଏବେ ଅଚଳ। ଗତ ନବକଳେବର ସମୟରେ ଅଠରନଳାକୁ ଲାଗି ଯେଉଁ ଉଦ୍ୟାନ ହୋଇଥିଲା ତା’ ମଧ୍ୟରେ ଥିବା ବୈଠକୀ ଫାଟି ଆଁ କଲାଣି। ଆଲୁଅ ଖୁଣ୍ଟରୁ ଲାଇଟ୍ ଭାଙ୍ଗି ପଡ଼ିଛି। ଅଠରନଳାକୁ ଘେରି ରହିଥିବା ପିଣ୍ଡି କାନ୍ଥ କିଛି ସ୍ଥାନ ଭାଙ୍ଗିରୁଜି ଗଲାଣି। ନୂଆବର୍ଷ ବେଳେ ଯେଉଁ ରୂପ ଓ ରଙ୍ଗରେ ଏହାର ପୁନରୁଦ୍ଧାର କରାଯାଇଥିଲା, ସେ ରଙ୍ଗ କିନ୍ତୁ ଏବେ ଅପସରି ଆସିଲାଣି।
ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସ୍ଆଇ)ସଂସ୍ଥା ଅଧୀନରେ ଥିବା ଅଠରନଳା ପାଇଁ ଅବଢ଼ା ଯୋଜନାରେ ୫ କୋଟି ଟଙ୍କାର ବଜେଟ୍ ହୋଇ ନିକଟରେ କାମ କରାଯାଇଥିଲା। ଦଳ ଭର୍ତ୍ତି ନାଳକୁ ଉଦ୍ଧାର କରି ଏହାର ସୌନ୍ଦର୍ଯ୍ୟୀକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା। ମୂଷା ନଈରୁ ମଧ୍ୟ ଦଳ ସଫା କରାଯାଇଥିଲା। ମୂଷା ନଈ ମଧ୍ୟରେ ଦଣ୍ଡାୟମାନ ବିଶାଳ ଗରୁଡ଼ ମୂର୍ତ୍ତିକୁ ସୁସଜ୍ଜିତ କରାଯାଇଥିଲା। ତେବେ ଗରୁଡ଼ଙ୍କ ମୂର୍ତ୍ତି ତଳ ନଈ ଏବେ ପୁଣି ଦଳରେ ଭର୍ତ୍ତି ହୋଇଗଲାଣି। ଅଠରନଳା ଜଳରାଶିରେ ବି ଧୀରେଧୀରେ ଦଳ ମାଡ଼ିଲାଣି। ଏହା ମଧ୍ୟରେ ଏବେ ବି ପୂଜା ସାମଗ୍ରୀ ଆଣି ଲୋକେ ଫୋପାଡ଼ି ଦେଇ ଯାଉଛନ୍ତି। ତେଣୁ ସେଦିନ ଲୋକେ ନୂଆବର୍ଷ ପୂର୍ବରୁ ଯେଉଁ ଝଲକ ଦେଖିଥିଲେ ତାହା ଧୀରେଧୀରେ ମଳିନ ପଡ଼ିଗଲାଣି। ଏବେଠୁ ଯଦି ପୁଣି ଏହି ସ୍ଥିତି ପ୍ରତି ପ୍ରଶାସନ ଯତ୍ନବାନ ନହୁଏ, ଯାହା ବି ଅଛି ତାହା ବି ବିଗିଡ଼ିଯିବା ଆଶଙ୍କା ଦେଖା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/atharanala.jpg)