ପୁରୀ : ନୂଆବର୍ଷ ପୂର୍ବରୁ ନୂଆବୋହୂ ଭଳି ସଜେଇ ହେବ ଅଠରନଳା। ବଗିଚା ସାଙ୍ଗକୁ ବଡ଼ ବଡ଼ ସ୍ବାଗତ ତୋରଣ ତିଆରି ହେବ। ଆଲୋକମାଳାରେ ସମ୍ପୂର୍ଣ୍ଣ ଅଠରନଳାର ସାଜସଜା କରାଯିବ। ଓବିସିସି ଏହି ସୌନ୍ଦର୍ଯ୍ୟୀକରଣ କାମ କରିବ। ଓବିସିସିକୁ ଏହି ଅନୁମତି ପ୍ରଦାନ କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ)। ଖୁବଶୀଘ୍ର ବି ଏହି କାମ ଆରମ୍ଭ ହେବ। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଅଠରନଳା ଯେହେତୁ ଐତିହ୍ୟ କୀର୍ତ୍ତିରାଜି ଅନ୍ତର୍ଭୁକ୍ତ ରହିଛି, ସେ ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି। ବର୍ଷକ ତଳେ ଅଠରନଳାର ସୁରକ୍ଷା ପାଇଁ ଏଥିରେ ଯାନବାହନ ଚଳାଚଳ ବନ୍ଦ କରି ଦିଆଯାଇଛି। ଏହା ସାଙ୍ଗକୁ ନାନାଦି ସୋ’ ଗଛ ଲଗାଇ ଏହାର ସୌନ୍ଦର୍ଯ୍ୟୀକରଣ କରାଯାଇଛି। ଇତିମଧ୍ୟରେ ଏହି ସୌନ୍ଦର୍ଯ୍ୟୀକରଣ କାମ ନଷ୍ଟ ହେବାରେ ଲାଗିଲାଣି। ଏହି ଦୃଷ୍ଟିରୁ ଅଠରନଳାର ସ୍ଥାୟୀ ସୌନ୍ଦର୍ଯ୍ୟୀକରଣ ପାଇଁ ଓବିସିସି କିଛିଦିନ ତଳେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର କାର୍ଯ୍ୟାଳୟକୁ ଚିଠି ଲେଖିଥିଲା। ଗତ ସେପ୍ଟେମ୍ବର ୨୯ ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଓବିସିସିକୁ ଏହି ଅନୁମତି ପ୍ରଦାନ କରିଛି। ଯେଉଁଥିରେ ଗଛ ଲଗାଇବା, ବଗିଚା ତିଆରି କରିବା, ଆଲୋକୀକରଣ କରିବା, ପଙ୍କ କାଢ଼ିବା ଆଦି କାର୍ଯ୍ୟ ପାର୍ଇ ଅନୁମତି ରହିଛି। କିନ୍ତୁ ଯାହା ବି କାମ ହେବ, ଏଏସ୍ଆଇକୁ ଜଣାଇ କରିବାକୁ ଚିଠିରେ କୁହାଯାଇଛି।