ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ପୁଣି ଏକ ବିବାଦ ଭିତରେ ଛନ୍ଦି ହୋଇଯାଇଛି। ଆନ୍ତଃ ଜିଲ୍ଲା ଦୌଡ଼କୁଦ ପାଇଁ ଭୁବନେଶ୍ବର ଯାଇଥିବା ଆର୍ଏସ୍ପି ଦଳର ଜଣେ ଜୁନିଅର ଛାତ୍ରଙ୍କୁ ତିନି ଜଣ ସିନିଅର ଛାତ୍ର ଯୌନ ନିର୍ଯାତନା ଦେବା ଘଟଣା, ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରକୃତରେ ଆର୍ଏସ୍ପି କ୍ରୀଡ଼ା ବିଭାଗର ଚରମ ତଥା ନିୟମିତ ଅବହେଳା ଯୋଗୁଁ କାରଖାନା ଉଚ୍ଚକର୍ତ୍ତୃପକ୍ଷଙ୍କୁ ଏହି ଅପବାଦ ମୁଣ୍ଡେଇବାକୁ ପଡ଼ିଛି। ସଂପ୍ରତି ହାତଗଣତି କିଛି ବ୍ୟକ୍ତିଙ୍କ ହାତରେ ପରିଚାଳିତ ଆର୍ଏସ୍ପି କ୍ରୀଡ଼ା ବିଭାଗ। ତେବେ ଏହି ଅଧିକାରୀମାନେ ନ୍ୟସ୍ତ ସ୍ବାର୍ଥରେ ମସଗୁଲ ରହୁଥିବାରୁ ଅତିତରେ ଅନେକ ସୁନାମ ଆଣିଥିବା ଆର୍ଏସ୍ପିକୁ କାଠଗଡ଼ା ଭିତରେ ଛିଡ଼ା କରିଦେଇଛି। ଅପରପକ୍ଷରେ ଯୌନ ନିର୍ଯାତନା ଭଳି ସ୍ପର୍ଶକାତର ମାମଲାକୁ ଆର୍ଏସ୍ପି ଉଚ୍ଚ କର୍ତ୍ତୃପକ୍ଷ ଗୁରୁତ୍ବର ସହ ବିଚାରକୁ ନେଇଥିବା ଜଣାପଡ଼ିଛି। ତେବେ ଏନେଇ ଆନୁଷ୍ଠାନିକଭାବେ ଆର୍ଏସ୍ପି ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।
ସୋମବାରର ଯୌନ ନିର୍ଯାତନା ଘଟଣାରେ କୁଆଡ଼େ ମୋଟ୍ ୫ ଜଣ ଅଭିଯୁକ୍ତ ସାମିଲ ଥିଲେ। ଏଥିମଧ୍ୟରୁ ୩ ଜଣ, ଆଶିଷ ପାତ୍ର(ଲମ୍ବଡିଆଁ), ସୂରଜ ଠାକୁର(ଲମ୍ବଡିଆଁ) ଓ ଜଗନ୍ନାଥ ଦାସ(ଦୌଡ଼)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ, ଆଶିଷ ଜଣେ ନାମକରା କ୍ରୀଡ଼ାବିତ୍। ଆର୍ଏସ୍ପିକୁ ପ୍ରତିନିଧିତ୍ବ କରି ରାଜ୍ୟସ୍ତରରେ ଏକାଧିକବାର ଶୀର୍ଷ ସ୍ଥାନ ଦଖଲ କରିଥିବାବେଳେ ଜାତୀୟ ସ୍ତରରେ ମଧ୍ୟ ପଦକ ପାଇଥିଲେ। ଏମିତିକି ଘଟଣାର ପୂର୍ବଦିନ, ଅର୍ଥାତ୍ ଗତ ରବିବାର ଦିନ ଲମ୍ବଡିଆଁ ବର୍ଗରେ ସେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଏବେ ସେ କୋରାପୁଟ ଡାକ ବିଭାଗରେ କାର୍ଯ୍ୟରତ। ଏଠାରେ ପ୍ରଶ୍ନ ଉଠେ, ଆର୍ଏସ୍ପି ଦଳର ଏହି ପୂର୍ବ ଖେଳାଳି ଆଶିଷଙ୍କୁ ରାଉରକେଲା ଦଳର ଖେଳାଳିଙ୍କ ସହ ରହିବାକୁ ଅନୁମତି ମିଳିଲା କେମିତି?
ଜଣେ ବରିଷ୍ଠ ଖେଳାଳିଭାବେ ଆସି ଜୁନିଅର ପିଲାଙ୍କୁ ମାର୍ଗଦର୍ଶନ ଦେବା ସ୍ବାଗତଯୋଗ୍ୟ; କିନ୍ତୁ ଉନ୍ନତ ପ୍ରଦର୍ଶନ ନ କରିବାରୁ ନିର୍ଯାତନା ଦେବା ଭଳି ଦୁତ୍ସାହସ କରିବାକୁ ସେ ମନୋବଳ ପାଇଲେ କେଉଁଠୁ? ଏହି ଘଟଣାର ଅନ୍ୟତମ ବିଡ଼ମ୍ବିତ ଦିଗ ହେଲା, ଏହି ଦଳରେ ଆର୍ଏସ୍ପି ଆ୍ଲେଟିକ୍ସର ମୁଖ୍ୟ କୋଚ୍ଙ୍କ ଅନୁପସ୍ଥିତି। ସାଧାରଣତଃ ମୁଖ୍ୟ କୋଚ୍ ହିଁ ଦଳକୁ ନେଇ ପ୍ରତିଯୋଗିତାରେ ସାମିଲ ହୋଇଥାନ୍ତି। କିନ୍ତୁ ଭୁବନେଶ୍ବର ଯାଇଥିବା ଏହି ଦଳରେ ଜଣେ ଅବସରପ୍ରାପ୍ତ ଆର୍ଏସ୍ପି କର୍ମଚାରୀ ଓ ଅନ୍ୟ ଜଣେ କର୍ମଚାରୀ ମ୍ୟାନେଜର, କୋଚ୍ଭାବେ ଯୋଗଦେଇଥିଲେ। ଏଠାରେ ପ୍ରଶ୍ନ ଉଠେ, ମୁଖ୍ୟ କୋଚ୍ଙ୍କ ବଦଳରେ ଅନ୍ୟ ଦୁଇ ଜଣଙ୍କୁ ପଠାଗଲା କାହିଁକି? ମୁଖ୍ୟ କୋଚ୍ ଅନୁପସ୍ଥିତ ରହିବାକୁ କିଏ ଅନୁମତି ଦେଲେ? କ୍ରୀଡ଼ା ବିଭାଗ ଦାୟିତ୍ବରେ ଥିବା ଆସିଷ୍ଟାଣ୍ଟ୍ ମ୍ୟାନେଜର, ମହାପ୍ରବନ୍ଧକ ଏନେଇ ପ୍ରଶ୍ନ ଉଠାଇଲେନି କ’ଣ ପାଇଁ?
କ୍ରୀଡ଼ା ବିଭାଗ ପାଇଁ ସମଗ୍ର ଆର୍ଏସ୍ପି ନିନ୍ଦିତ ହେବାର ଏହା ପ୍ରଥମ ଉଦାହରଣ ନୁହେଁ; ଏହା ପୂର୍ବରୁ ପ୍ରୀୟାପ୍ରୀତି କରାଯିବାର ଏକାଧିକ ଅଭିଯୋଗ ରହିଛି। ବିଶେଷକରି ରାଉରକେଲା କ୍ରିକେଟ୍ ଦଳ ଚୟନରେ ପାତରଅନ୍ତର କରିବାର ଲମ୍ବା ଇତିହାସ ରହିଛି। ଗତବର୍ଷ ଜଣେ ଉଦୀୟମାନ ସ୍ପିନ୍ ବୋଲରଙ୍କୁ ପର୍ଯ୍ୟାପ୍ତ ମ୍ୟାଚ୍ ଖେଳିବାକୁ ସୁଯୋଗ ଦିଆନଯିବା ଅଭିଯୋଗ ଆସିଥିଲା। ସଂପୃକ୍ତ ବୋଲର ଜଣକ ଚିତ୍ତାକର୍ଷକ ପ୍ରଦର୍ଶନ ଯୋଗୁଁ ଓଡ଼ିଶା ରଣଜୀ କ୍ୟାମ୍ପ୍ରେ ସାମିଲ ହୋଇଥିଲେ। ସେଠାରେ ଛାତିରେ ସାମାନ୍ୟ ସମସ୍ୟା ହେବାରୁ କୋଲକତା ଯାଇ ସଫଳତାର ସହ ଚିକିତ୍ସିତ ହୋଇ ଫେରିଥିଲେ।
ଏହାପରେ ରାଉରକେଲା ବରିଷ୍ଠ କ୍ରିକେଟ୍ ଦଳ ସହ କଳାହାଣ୍ଡି କପ୍ ଖେଳିବାକୁ ଯାଇଥିଲେ। ତେବେ ସେତେବେଳେ ତାଙ୍କୁ ଏକାଧିକ ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇନଥିଲା। ଶତ ପ୍ରତିଶତ ସୁସ୍ଥ ଥିଲେ ସୁଦ୍ଧା ଅସୁସ୍ଥ ଦର୍ଶାଇଥିଲା ଟିମ୍ ମ୍ୟାନେଜମେଣ୍ଟ୍। ଏତଦ୍ବ୍ୟତୀତ ଆଉ ଜଣେ ଯୁବ ପ୍ରତିଭା ଦୁଇଟି ମ୍ୟାଚ୍ରେ ଏକ ଶତକୀୟ ପାରି ସହ ୪୦ ରନ୍ର ଉପଯୋଗୀ ପାରି ଖେଳିଥିଲେ; ତଥାପି ତାଙ୍କୁ ବରିଷ୍ଠ ଦଳରୁ ବାଦ୍ ଦିଆଯାଇଥିଲା। ସେହିଭଳି ୧୬ ବର୍ଷରୁ କମ୍ ଦଳ ଚୟନ ସମୟରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ବିଗତ ଦିନରେ ସଂଘଟିତ ଏଭଳି ଅନେକ ଘଟଣାକୁ ସେତେବେଳେ ଗୁରୁତ୍ବର ସହ ନିଆଯାଇନଥିଲା; ଏଣୁ କ୍ରୀଡ଼ା ବିଭାଗ ଦାୟୀତ୍ବରେ ଥିବା ଅଧିକାରୀ, ଦଳ ଚୟନରେ ଥିବା ପଦାଧିକାରୀଙ୍କ ମନମାନି ଆଶାତୀତ ବୃଦ୍ଧି ପାଇବାରେ ଲାଗିଥିବା ସ୍ପଷ୍ଟ ହୁଏ।