ରାଉରକେଲା: କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ଏକାଧିକ ପ୍ରକଳ୍ପ ହାତକୁ ନେଇଛନ୍ତି ରାଜ୍ୟ ସରକାର। ଏଥିମଧ୍ୟରୁ ଅନେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇସାରିଥିବାବେଳେ ଉଦ୍ଘାଟନ ବି ହୋଇସାରିଲାଣି। ଏହି କ୍ରମରେ ପାନପୋଷରେ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମର ସ୍ଥାପନ କରାଯାଇଥିଲା। ଗତ ଡିସେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଖୋଦ୍ ଏହାର ଉଦ୍ଘାଟନ କରିଥିଲେ। ବିଡ଼ମ୍ବନା, ଏଠାରେ ଆବଶ୍ୟକୀୟ ପ୍ରଶିକ୍ଷକ ନିଯୁକ୍ତି ହୋଇପାରିନଥିବାରୁ ସୁବିଧା ପାଇପାରୁନାହାନ୍ତି ସହରର ଉଦୀୟମାନ ଖେଳାଳି। କେବଳ ଭିତ୍ତିଭୂମି ବିକାଶ କରି ଅନ୍ୟାନ୍ୟ ଦିଗକୁ ଭୁଲିଯାଉଥିବାବେଳେ ପ୍ରକଳ୍ପର ଉଦ୍ଦେଶ୍ୟ ସାଧିତ ହୋଇପାରୁନି।
ପାନପୋଷରେ ନିର୍ମିତ ଏହି ଅତ୍ୟାଧୁନିକ ଇନ୍ଡୋର ଷ୍ଟାଡିୟମରେ ୩ଟି ବ୍ୟାଡମିଣ୍ଟନ କୋର୍ଟ, ଭଲିବଲ ଓ ଟେବୁଲ ଟେନିସ ପାଇଁ କୋର୍ଟ, ବ୍ୟାୟାମଶାଳା ଆଦି ରହିଛି। ଏହାସହ ୩୫୦ ଜଣ ଦର୍ଶକ ମ୍ୟାଚ୍ ଦେଖିବା ପାଇଁ ଗ୍ୟାଲେରୀ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଏହାକୁ ଉଦ୍ଘାଟନ ହେବାର ୫ ମାସ ବିତିସାରିଲାଣି, କିନ୍ତୁ ଇଚ୍ଛୁକ କ୍ରୀଡ଼ାବିତ୍ ଭିତରକୁ ପ୍ରବେଶ କରିପାରୁନାହାନ୍ତି। ବିଧିବଦ୍ଧ ତାଲିମ ନେବାରୁ ବଞ୍ଚିତ ହେଉଛନ୍ତି। ପ୍ରକୃତରେ ଯୁବ କ୍ରୀଡ଼ାବିତ୍ଙ୍କୁ ତାଲିମ ଦେବାକୁ ଦୁଇ ଜଣ ବ୍ୟାଡମିଣ୍ଟନ କୋଚ୍ଙ୍କ ସମେତ ଭଲିବଲ କୋଚ, ଜିମ୍ ଇନ୍ଷ୍ଟ୍ରକ୍ଟର ସମେତ ପରିମଳ ବ୍ୟବସ୍ଥା ତଦାରଖ ପାଇଁ କର୍ମଚାରୀ ଆବଶ୍ୟକ। ତେବେ ଏଯାଏଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆବଶ୍ୟକୀୟ ସଂଖ୍ୟକ କୋଚ୍ ଓ କର୍ମଚାରୀ ନିଯୁକ୍ତ କରାଯାଇନି। ଏନେଇ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ପକ୍ଷରୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ କେବେ ସୁଦ୍ଧା କୋଚ୍, କର୍ମଚାରୀ ନିଯୁକ୍ତି ହେବେ, ତାହା ମଧ୍ୟ ସ୍ପଷ୍ଟ ହୋଇନି। ଆନୁସଙ୍ଗିକ ବ୍ୟବସ୍ଥା କରିବା ପୂର୍ବରୁ କେବଳ ଆତ୍ମ ପ୍ରଚାର ଉଦ୍ଦେଶ୍ୟରେ କେବଳ ଏହି ଇନ୍ଡୋର ଷ୍ଟାଡିୟମର ଉଦ୍ଘାଟନ କରାଯିବାକୁ ସହରବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି।
ଏହି ଇନ୍ଡୋର ଷ୍ଟାଡିୟମରେ ପ୍ରଶିକ୍ଷଣ ନେବା, ଅଭ୍ୟାସ କରିବା, ଜିମ୍ ବ୍ୟବହାର ଆଦି ପାଇଁ ସହରବାସୀଙ୍କକୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ। ଏଥିପାଇଁ ଫି’ ଧାର୍ଯ୍ୟ କରାଯାଇଥିଲା। ଆର୍ଏମ୍ସି ପକ୍ଷରୁ ଫେବ୍ରୁଆରୀ ୧୫ ତାରିଖରେ ସଦସ୍ୟତା ପଞ୍ଜିକରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଫେବ୍ରୁଆରୀ ୨୨ରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ନିର୍ଦ୍ଦେଶାନାମା ଅନୁଯାୟୀ, ସଦସ୍ୟତା ଫି’ ବାବଦକୁ ଜଣଙ୍କୁ ହଜାରେ ଟଙ୍କା ପୈଠ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ପ୍ରତ୍ୟେକ ମାସରେ ବ୍ୟାଡମିଣ୍ଟନ୍ କୋଚିଂ ପାଇଁ ୫ ଶହ ଟଙ୍କା, ଜିମ୍ ଫି’ ବାବଦକୁ ୮ ଶହ ଟଙ୍କା, ଭଲିବଲ ପାଇଁ ୨ ଶହ ଓ ଟେନିସ ପାଇଁ ୫ ଶହ ଟଙ୍କା ଦେବାକୁ ପଡ଼ିବ। ଏହି ଇନ୍ଡୋର ଷ୍ଟାଡିୟମରେ ପ୍ରଶିକ୍ଷଣ ନେବାକୁ ଇତିମଧ୍ୟରେ ପ୍ରାୟ ଶହେରୁ ଅଧିକ ଯୁବ କ୍ରୀଡ଼ାବିତ୍ ପଞ୍ଜିକରଣ କରିସାରିଲେଣି; କିନ୍ତୁ ଏ ପର୍ଯ୍ୟନ୍ତ ସେମାନେ ଏହାର ସୁବିଧା ପାଇପାରୁନାହାନ୍ତି। ଯଥାଶୀଘ୍ର କୋଚ୍, କର୍ମଚାରୀ ନିଯୁକ୍ତ କରି ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରଶିକ୍ଷଣ ଦେବାକୁ ଦାବି ଜୋର୍ ଧରିଛି।