ଖେଲୋ ଇଣ୍ଡିଆ କ୍ରୀଡ଼ାରେ ନୈରାଶ୍ୟ: ବିଶ୍ୱବିଦ୍ୟାଳୟରୁ ବାହାରୁନାହାନ୍ତି କ୍ରୀଡ଼ାବିତ୍‌

ଭାଗ ନେଲେନି ୨୦ରୁ ଅଧିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଓଡ଼ିଶାରେ କ୍ରୀଡ଼ାର ପ୍ରଚାର ପ୍ରସାର କରାଯାଉଥିବା ନେଇ ରାଜ୍ୟ ସରକାର ଡେଙ୍ଗୁରା ପିଟୁଛନ୍ତି। ଭୁବନେଶ୍ବରକୁ କ୍ରୀଡ଼ା ରାଜଧାନୀ କରାଯିବ ବୋଲି କହୁଛନ୍ତି। ୨୦୧୮ ହକି ବିଶ୍ବକପ୍‌ ପରି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଛନ୍ତି। ୨୦୨୩ ହକି ବିଶ୍ବକପ୍‌ ବି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି। ମାତ୍ର ଭଲ କ୍ରୀଡ଼ାବିତ୍‌ ତିଆରି କରିବାରେ ସେତେଟା ସଫଳ ହୋଇପାରି ନାହାନ୍ତି, ଯାହାକି ସଦ୍ୟ ସମାପ୍ତ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଦ୍ବିତୀୟ ସଂସ୍କରଣରୁ ସ୍ପଷ୍ଟ ଜଣାପଡ଼ିଛି। ୨୦ଟି ଖେଳରେ ୮୫୨ ପଦକ ପାଇଁ ପ୍ରତିଯୋଗିତା ହୋଇଥିବା ବେଳେ ଓଡ଼ିଶାରୁ ମାତ୍ର ୪ଟି ବିଶ୍ବବିଦ୍ୟାଳୟ ମୋଟ ୧୦ଟି ପଦକ ପାଇବାରେ ସକ୍ଷମ ହୋଇଛନ୍ତି। ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟକୁ ମିଶାଇ ରାଜ୍ୟରେ ୨୪ରୁ ଅଧିକ ବିଶ୍ବବିଦ୍ୟାଳୟ ରହିଥିବା ବେଳେ ମାତ୍ର ୪ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସଫଳ ହେବା କ୍ୟାମ୍ପସରେ କିଭଳି କ୍ରୀଡ଼ାର ବିକାଶ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ପ୍ରତିଯୋଗିତାରେ ମୋଟ ୫ଟି ବିଶ୍ବବିଦ୍ୟାଳୟ ଭାଗନେଇଥିଲେ। କିଟ୍‌ ଡିମ୍‌ଡ ବିଶ୍ବବିଦ୍ୟାଳୟ ସମେତ ୪ଟି ସରକାରୀ ବିଶ୍ବବିଦ୍ୟାଳୟ ନିଜ ଛାତ୍ରଛାତ୍ରୀଙ୍କୁ ପଠାଇଥିଲେ। ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପଦକ ଖାତା ଖୋଲିଥିବା ବେଳେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟ ରମାଦେବୀ ଛାତ୍ରୀମାନେ ବ୍ରୋଞ୍ଜ ପଦକଟିଏ ବି ହାସଲ କରିବାକୁ ସମର୍ଥ ହୋଇପାରି ନାହାନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ ସର୍ବାଧିକ ୬ଟି ପଦକ ପାଇଥିଲା। ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ରାଜ୍ୟର ବହୁ ନାମକରା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତି ସେତେଟା ଆଗ୍ରହ ଦେଖାଇ ନାହାନ୍ତି।

insidesport.in

ଏଥର କ୍ରୀଡ଼ା ପ୍ରତିଯୋଗିତାରେ ମୋଟ ୨୫୯ ସ୍ବର୍ଣ୍ଣ, ୨୫୮ ରୌପ୍ୟ ଓ ୩୩୫ ବ୍ରୋଞ୍ଜ ପଦକ ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ସେଥିମଧ୍ୟରୁ କିଟ୍‌ ବିଶ୍ବବିଦ୍ୟାଳୟ ୨ଟି ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ତାଲିକାର ୨୯ତମ ସ୍ଥାନରେ ରହିଛି। ଦୁଇଟି ରୌପ୍ୟ ପଦକ ସହ ଉତ୍କଳ ବିଶ୍ବବିଦ୍ୟାଳୟ ୮୨ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗୋଟିଏ ରୌପ୍ୟ ପଦକ ସହ ୯୫ତମ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟ ଗୋଟିଏ ବ୍ରୋଞ୍ଜ ପଦକ ସହ ୧୦୯ତମ ସ୍ଥାନରେ ରହିଛି। କିଟ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଅଲିମ୍ପିଆନ୍‌ ଦୂତି ଚାନ୍ଦ ଆଥଲେଟ୍‌କ୍ସିରେ ଗୋଟିଏ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଭାରୋତ୍ତୋଳିକା ସ୍ନେହା ସୋରେନ୍‌ କିଟ୍‌ ପକ୍ଷରୁ ପ୍ରତିନିଧିତ୍ବ କରି ସ୍ବର୍ଣ୍ଣ ପାଇଛନ୍ତି। ସନ୍ତରଣରେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ପ୍ରତ୍ୟାଶା ରାୟ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରି ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି।

ଚଳିତବର୍ଷ ପ୍ରଥମ ଥର ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ‌ହୋଇଥିଲା। ଏଭଳି ପ୍ରତିଯୋଗିତା ‌ଦ୍ବାରା କ୍ୟାମ୍ପସରେ ଲୁଚି ରହିଯାଉଥିବା ଦକ୍ଷ କ୍ରୀଡ଼ାବିତ୍‌ମାନେ ପଦାକୁ ଆସିବା ସହ ଜାତୀସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶାକୁ ଗର୍ବିତ କରିବେ ବୋଲି ଆଶା କରାଯାଉଥିଲା। ମାତ୍ର ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ବିଶ୍ବବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଶିକ୍ଷାବିତ୍‌ଙ୍କ ମତରେ ପିଲାମାନେ ଆଗଭଳି ଆଉ କ୍ରୀଡ଼ା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। କ୍ୟାମ୍ପସରେ କ୍ରୀଡ଼ା ଭିତ୍ତିଭୂମି ଦୁର୍ବଳ ହୋଇଥିବା ବେଳେ ପାଠପଢ଼ା ଓ ନାଚଗୀତ ଉପରେ ଛାତ୍ରଛାତ୍ରୀ ଅଧିକ ଫୋକସ୍‌ କରୁଛନ୍ତି।

କ୍ୟାମ୍ପସରେ କିଭଳି କ୍ରୀଡ଼ାକୁ ଗୁରୁତ୍ବ ଦିଆଯାଉଛି ତାହା ରାଜ୍ୟ ସର୍ବପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଅନୁମେୟ। ୩୦ ବର୍ଷ ହେଲା ଏଠାରେ କ୍ରୀଡ଼ା ଶିକ୍ଷକ ନାହାନ୍ତି। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କୁ ଆଣି କାମଚଳା ଭାବେ କାର୍ଯ୍ୟ ତୁଲାଯାଉଥିଲା। ଏବେ ଏହି ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ହେବା ପରେ ସେ ବି ଆଉ ଆସୁନାହାନ୍ତି। ଇନ୍‌ଡୋର ହଲ୍‌ ରହିଥିଲେ ମଧ୍ୟ ଶିଖାଇବାକୁ କେହି ନାହାନ୍ତି। ଅଧିକାଂଶ ସାମଗ୍ରୀ ଅଚଳ। କ୍ରୀଡ଼ା ଶିକ୍ଷକ ନ ଥିବା ବେଳେ କିଛି ବିଶ୍ବବିଦ୍ୟାଳୟରେ ଜଣେ ଲେଖାଏ ଫିଜିକାଲ ଏଜୁକେସନ ଅଫିସର(ପିଇଓ) ରହିଛନ୍ତି। ପୁରୁଷ ପିଇଓ ରହିଥିବାରୁ ଛାତ୍ରୀମାନେ ସେତେଟା ଉତ୍ସାହ ଦେଖାଉନାହାନ୍ତି। କିଟ୍‌ ପରି ଘରୋଇ ବିଶ୍ବବିଦ୍ୟାଳୟରେ ବ୍ୟାପକ ଖେଳ ପଡ଼ିଆ ରହିଥିବା ବେଳେ ବାଲେଶ୍ବରସ୍ଥିତ ଫକୀରମୋହନ, ବାରିପଦାସ୍ଥିତ ଏମ୍‌ଏସ୍‌ସିବି, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରି ସରକାରୀ ଶିକ୍ଷାନୁଷ୍ଠାନରେ ଖେଳିବାକୁ ପଡ଼ିଆ ହିଁ ନାହିଁ। ଯେଉଁଥିପାଇଁ ଏମ୍‌ଏସ୍‌ସିବିରେ ଅନୁଷ୍ଠିତ ଆନ୍ତଃ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ବାରିପଦାର ଭିନ୍ନ ଭିନ୍ନ ତିନିଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କିଟ୍‌ ବାଜି ମାରିଥିବା ବେଳେ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ବହୁ ପଛରେ ପଡ଼ିଥିଲେ। କ୍ୟାମ୍ପସରେ କ୍ରିଡ଼ାର ବିକାଶ ଲାଗି ଉଚ୍ଚଶିକ୍ଷା ବିଭାଗର କୌଣସି ସ୍ବତନ୍ତ୍ର ବଜେଟ୍‌ ନ ଥିବା ବେଳେ କ୍ରୀଡ଼ା ବିଭାଗ ବି ଆନ୍ତରିକତା ଦେଖାଉ ନାହିଁ। ଜିଲ୍ଲାସ୍ତରୀୟ କ୍ରୀଡ଼ା ପାଇଁ କ୍ରୀଡ଼ା ବିଭାଗ ସହାୟତା ଯୋଗାଉଥିବା ବେଳେ ବିଶ୍ବବିଦ୍ୟାଳୟକୁ କୌଣସି ସ୍ବତନ୍ତ୍ର ଅନୁଦାନ ଦିଆଯାଉ ନାହିଁ।

ସମ୍ବନ୍ଧିତ ଖବର