‘ଜୀବନ ଶାଶ୍ୱତ ଓ ଅମୃତମୟ’, ଅତିବଡ଼ୀ ପୁରସ୍କାରରେ ସମ୍ମାନିତ ହେଲେ ରାମଚନ୍ଦ୍ର ବେହେରା

ସାହିତ୍ୟ ଏକାଡେମି ପକ୍ଷରୁ ଅତିବଡ଼ୀ ପୁରସ୍କାର ପ୍ରଦାନ, ସାରସ୍ୱତ ସାଧନା ପାଇଁ ୧୫ ଜଣ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ବୁଧବାର ଓଡ଼ିଶା ସାହିତ୍ୟ ଏକାଡେମିର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମିର ସର୍ବୋଚ୍ଚ ପୁରସ୍କାର ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡକ୍ଟର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି। ସଂସ୍କୃତି ଭବନଠାରେ ନିରାଡ଼ମ୍ବର ଭାବେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଡ. ବେହେରାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏଥିସହ ସାରସ୍ୱତ ସାଧନା ଓ ଓଡ଼ିଆ ବାଣୀଭଣ୍ଡାରକୁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ/ସାଧିକାଙ୍କୁ ମଧ୍ୟ ମାନପତ୍ର, ଉପଢୌକନ ଓ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଅତିବଡ଼ୀ ପୁରସ୍କାରରେ ଭୂଷିତ ହେବା ପରେ ବିଶିଷ୍ଟ କଥାକାର ଡ.ବେହେରା ଜୀବନ ଶାଶ୍ୱତ ଓ ଅମୃତମୟ ବୋଲି ଉଲ୍ଲେଖ କରିବା ସହିତ ଲେଖକୀୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କୋଭିଡ୍‌ କଟକଣା ସତ୍ତ୍ବେ ସଂସ୍କୃତି ବିଭାଗ କଳାକାର, ଶିଳ୍ପୀ, ସାହିତ୍ୟିୟକମାନଙ୍କୁ ଉତ୍ସାହିତ, ସମ୍ବର୍ଦ୍ଧିତ କରିବାରେ ନିରନ୍ତର ଭାବେ ପ୍ରୟାସ କରିଆସୁଛି ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଏଥିପ୍ରତି ରହିଥିବା ସ୍ୱୀକୃତି ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ।

କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ସାରସ୍ୱତ ବ୍ୟକ୍ତିତ୍ୱମାନେ ହେଲେ ରାସେଶ୍ୱରୀ ମିଶ୍ର, ମହେଶ୍ୱର ମୂଳିଆ, ଜୀବନକୃଷ୍ଣ ମହାପାତ୍ର, ନିର୍ମଳପ୍ରଭା ନାୟକ, ରାଧାବିନୋଦ ନାୟକ, କୃପାସିନ୍ଧୁ ନାୟକ, ସ୍ୱରାଜ୍ୟ ଲକ୍ଷ୍ମୀ ମିଶ୍ର, ବାଇଧର ସାହୁ, ଦିଗରାଜ ବ୍ରହ୍ମା, ବାବାଜୀ ଚରଣ ପଟ୍ଟନାୟକ, ଗିରିଜା ଶଙ୍କର ଶର୍ମା, ସୌଭାଗିନୀ ମିଶ୍ର, ଦେବେନ୍ଦ୍ର କୁମାର ଦାଶ, ଅଶୋକ କୁମାର ପଟ୍ଟନାୟକ ଓ ରୁଦ୍ର ନାରାୟଣ ପୃଷ୍ଟି ପ୍ରମୁଖ। ଏକାଡେମିର ସଭାପତି ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଓ ଅତିରିକ୍ତ ଶାସନ ସଚିବ ତଥା ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ। ଏକାଡେମିର ସଚିବ ପ୍ରବୋଧ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କୋଭିଡ କଟକଣା ପଇଁ ସର୍ବାଧିକ ମାତ୍ର ୨୦ ଜଣଙ୍କୁ ନେଇ ବୈଠକ କରାଯିବାର କଟକଣା ଥିବା ବେଳେ ଯଥେଷ୍ଟ ଅଧିକ ଲୋକଙ୍କ ସମାଗମ ହୋଇଥିବା ଅଭିଯୋଗ ହୋଇଥିଲା।

ଏଠାରେ ପ୍ରକାଶଯୋଗ୍ୟ, ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟବ୍ୟାପୀ ପ୍ରବନ୍ଧ, ବକ୍ତୃତା, ସାହିତ୍ୟ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜନ କରାଯାଇ ଗତ ୨୫ ତାରିଖ ଏକାଡେମି ସ୍ୱନକ୍ଷତ୍ର ଦିବସରେ ପୁରସ୍କୃତ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଥିରେ ୧୧୮୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଜୟୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳମାନଙ୍କ ଜରିଆରେ ପୁରସ୍କୃତ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା କଥା ସୂଚିତ କରାଯାଇଥିଲା। ତେବେ ଏକାଡେମିର ପୁରସ୍କାର ୨୮ତମ ପୁରସ୍କାର ବିତରଣୀ ଉତ୍ସବକୁ ଏହାର ପ୍ରତିଷ୍ଠା ଦିବସରେ ନକରି ୩ ଦିନ ଘୁଞ୍ଚାଇବାର ଯଥାର୍ଥତାକୁ ତଥ୍ୟାଭିତ୍ତିକ ମହଲରେ ପ୍ରଶ୍ନ କରିଛନ୍ତି। ଯଦି ସଟ୍‌ଡାଉନ୍‌ କିମ୍ବା ଅନ୍ୟ କୌଣସି ଅନିବାର୍ଯ୍ୟ କାରଣରୁ ତାରିଖ ଘୁଞ୍ଚାଇବାକୁ ପଡ଼ିଲା, ଅଗଷ୍ଟ ପହିଲାରେ କୋଭିଡ କଟକଣା ନେଇ ସାନି ନିୟମାବଳୀ ଘୋଷିତ ହେବାକୁ ଥିବାରୁ ପୂର୍ଣ୍ଣାଙ୍ଗ ବୈଠକ କରି ସମସ୍ତଙ୍କୁ ସମ୍ପୃକ୍ତ କରିବାର ସମ୍ଭାବ୍ୟ ସୁଯୋଗ ପାଇଁ ଆଉ ଦିନ କେଇଟା ଅପେକ୍ଷା କରିବାରେ ଅସୁବିଧା ନ ଥିଲା ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର