ରାଉରକେଲା: ସୋମବାର ବିଳମ୍ବିତ ରାତିରେ ପୁଣି ଝିରପାଣି ଥାନା ଅନ୍ତର୍ଗତ ଜଗଦା ଆଦର୍ଶପାଲୀ ମାର୍କେଟ କମ୍ପ୍ଲେକ୍ସସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଏଟିଏମ୍ରୁ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିବା ବେଳେ ଅଗ୍ନିକାଣ୍ଡରେ ଏଟିଏମ୍ ଜଳିଯାଇଛି। ଦୁର୍ବୃତ୍ତମାନେ ଗ୍ୟାସ୍ ସିଲିଣ୍ଡର ଚାଳିତ କଟର୍ରେ କ୍ୟାସ୍ ଚ୍ୟାମ୍ବର କାଟୁଥିଲାବେଳେ ହଠାତ୍ ଏଟିଏମ୍ରେ ନିଆଁ ଲାଗିବା ଓ ବିସ୍ଫୋରଣ ଭୟରେ ସେମାନେ ଚମ୍ପଟ ମାରିଥିବା ପାରିପାର୍ଶ୍ୱକ ପରିସ୍ଥିତିରୁ ଅନୁମାନ କରାଯାଉଛି। ଏଟିଏମ୍ କାଉଣ୍ଟର ଜଳୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଦମ କଳ ଅଫିସ୍କୁ ଫୋନ କରିବା ପରେ ଅଗ୍ନିଶମ ବାହିନୀ ଭୋର୍ ପ୍ରାୟ ୪ଟାବେଳେ ପହଞ୍ଚି ନିଆଁ ଲିଭାଇଥିଲେ। ସେତେବେଳକୁ ଏଟିଏମ୍ଟି ପ୍ରାୟ ୭୦% ଜଳି ଯାଇଥିଲା। ଆଜି ସକାଳେ ଶାଖା ପରିଚାଳକ ଝିରପାଣି ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ୍ ଘଟଣାସ୍ଥଳରୁ ଅନୁସନ୍ଧାନ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଏହି ଘଟଣାକୁ ମିଶାଇ ଗତ ୨୦ରୁ ୨୩ ତାରିଖ ୪ ଦିନ ମଧ୍ୟରେ ଦୁର୍ବୃତ୍ତମାନେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ଥିବା ୪ଟି ଏଟିଏମ୍ରୁ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି। ଜଳି ଯାଇଥିବା ଏଟିଏମ୍ କାଉଣ୍ଟର ବାହାରେ ଥିବା ଏକ ଟେମ୍ପୋ, ପାଖରେ ଅକ୍ସିଜେନ୍ ଗ୍ୟାସ୍ ସିଲିଣ୍ଡର, ଗ୍ୟାସ୍ ଚାଳିତ କଟର୍ ଓ ଏଟିଏମ୍ ଆଡକୁ ଲମ୍ପିଥିବା ଦରପୋଡ଼ା ଗ୍ୟାସ୍ ପାଇପ୍କୁ ପୁଲିସ୍ ଜବତ କରିଛି। ତେବେ କ୍ୟାସ ଚ୍ୟାମ୍ବରରେ ଥିବା ଟଙ୍କା ନୋଟ୍ ଜଳିଛି କି ସୁରକ୍ଷିତ ଅଛି, ତାହା ଜଣାପଡ଼ି ନାହିଁ। ବୈଷୟିକ ଦଳ ଆସି ଏଟିଏମ୍କୁ ଖୋଲିବା ପରେ ତାହା ସ୍ପଷ୍ଟ ହେବ ବୋଲି ଏସ୍ବିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଲୁଟ୍ ବେଳେ ଜଳିଗଲା ଏଟିଏମ୍
ଟେମ୍ପୋ, ସିଲିଣ୍ଡର, ଗ୍ୟାସ କଟର ଛାଡି ଦୁର୍ବୃତ୍ତ ଫେରାର
/sambad/media/post_attachments/wp-content/uploads/2018/01/balianta-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)