ଭୁବନେଶ୍ୱର : ବିମୁଦ୍ରାକରଣ ପରବର୍ତ୍ତୀ ଅଚଳାବସ୍ଥା ସମୟରେ ଲୋକେ ଟଙ୍କା ପାଇଁ ଲାଇନ୍‌ ଲଗାଇଥିଲେ। କୁହାଗଲା, କଳାଧନ ଆଣିବା ପାଇଁ ଏ ବ୍ୟବସ୍ଥା। ଏବେ କଟକ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ପାଇଁ ତାର ପରିବାର ଲୋକେ ପଇସା ଉଠାଇ ପାରୁନାହାନ୍ତି। ଏମ୍‌ଟିଏମ୍‌ରେ ଟଙ୍କା ନାହିଁ। ୨୦୦୦ ଟଙ୍କିଆ ଗାଏବ୍‌ ହୋଇଗଲାଣି। ଏବେ କ’ଣ ଟଙ୍କା ଦେଶ ବାହାରକୁ ଚାଲିଗଲା କି? ହଠାତ୍‌ କାହିଁକି ଏମିତି ପରିସ୍ଥିତି ସୃଷ୍ଟି ହେଲା। ବାସ୍ତବ ସ୍ଥିତି ସଂପର୍କରେ ଅର୍ଥମନ୍ତ୍ରୀ ଗୃହକୁ ଜଣାନ୍ତୁ।

Advertisment

ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏମିତି ଢଙ୍ଗରେ ଏଟିଏମ୍‌ରେ ଟଙ୍କା ଅଭାବ ସଂପର୍କରେ ଆଜି ଶୂନ୍ୟକାଳରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ନେଇ ବିଧାନସଭାରେ କଂଗ୍ରେସ ଓ ବିଜେଡି ବିଧାୟକମାନେ କମ୍ପମାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଛିଡା କରାଇବା ସହିତ ନିରବ ମୋଦି ମାମଲା ଭିତରକୁ ଟାଣିଥିଲେ ପ୍ରଧାନମନ୍ତ୍ରୀଙ୍କୁ। ଅନ୍ୟପକ୍ଷରେ ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ରଖିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ପ୍ରଶଂସା କରିଥିଲେ।

ଆଜି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ଶ୍ରୀ ଶତପଥୀ ରାଜ୍ୟରେ ଏଟିଏମ୍‌ରେ ଟଙ୍କା ଅଭାବ ସଂପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ, ଓଡ଼ିଶାରେ ଏଟିଏମ୍‌ରେ ଲମ୍ବା ଲାଇନ୍‌ ଲାଗିଛି। ୨ହଜାର ଟଙ୍କା ଗାଏବ୍‌ ହୋଇଗଲାଣି। ଶିଳ୍ପପତି, ପୁଞ୍ଜିପତି ଲୁଟି ଖାଉଛନ୍ତି, ସାଧାରଣ ଲୋକେ କ୍ଷତି ସହୁଛନ୍ତି। ଓଡ଼ିଶାରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସରକାର ତୁରନ୍ତ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନଙ୍କୁ ଡାକନ୍ତୁ। ଏ ସଂପର୍କରେ ଗୃହରେ ଆଲୋଚନା ହେଉ। ବିଜେଡି ବିଧାୟକ ଦେବାଶିଷ ନାୟକ କହିଥିଲେ, ନିରବ ମୋଦି ୧୨ହଜାର କୋଟି ଟଙ୍କା ଲୁଟିଥିବା କୁହାଯାଉଛି। ବାସ୍ତବରେ ଏହାର ପରିମାଣ ୩୦ ହଜାର କୋଟିରୁ ଅଧିକ ହେବ। ହଜାର ଟଙ୍କିଆ କଳା ହୋଇଗଲା, ଏବେ ଦୁଇ ହଜାର ଟଙ୍କିଆର କଣ ହେଲା? ରାଜ୍ୟରେ ଅତ୍ୟନ୍ତ ଶୋଚନୀୟ ପରିସ୍ଥିତି ସୃଷ୍ଟି ହେଲାଣି। ଆର୍ଥିକ ଜରୁରି ପରିସ୍ଥିତି ଘୋଷଣା କରାଯିବା ବେଳ ଆସିଛି। ଅର୍ଥନୀତି ଭୁଶୁଡି ପଡିଲାଣି। ପଇସା ଆମର, ସେମାନେ ମନଇଚ୍ଛା କାଟିଦେବେ? ଏଲ୍‌ଆଇସି ପ୍ରିମିୟମ, ସ୍ପିଡ୍‌ ପୋଷ୍ଟରେ ବି ଜିଏସ୍‌ଟି ଦେବାକୁ ପଡିବ? ଟୋଲଗେଟ୍‌ ଜରିଆରେ ୧୨ଶହ କୋଟି ଟଙ୍କା ନେଲେଣି।

ବିଧାୟକ ମହେଶ ସାହୁ ଉଦ୍‌ବେଗ ପ୍ରକାଶ କରି କହିଥିଲେ, ଆମ ଧନ ଉପରେ କାହାର ମନ ରହିବା ଉଚିତ୍‌ ନୁହେଁ। ଲୋକଟିଏ ସୁବିଧା ଅସୁବିଧା ପାଇଁ ଅର୍ଥ ରଖିଥାଏ। ଆବଶ୍ୟକ ବେଳେ ଖର୍ଚ୍ଚ କରିବ। କିନ୍ତୁ କି ବିିଚିତ୍ର ପରିସ୍ଥିତି ହୋଇଛି। ଆମ ଧନ ଆମେ ଖର୍ଚ୍ଚ କରିପାରିବୁ ନାହିଁ? ଚାରି ପାଞ୍ଚ ଦିନ ପରେ ସ୍ଥିତି ସୁଧାର ଆସିବ ବୋଲି କୁହାଯାଉଛି। ଆବଶ୍ୟକ ବେଳେ କାମରେ ଲାଗିବନି ଯଦି ଜଣେ ପଇସା ସଞ୍ଚୟ କରିବ କାହିଁକି? ଏହି ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ବାଚସ୍ପତି ଅର୍ଥ ଧାର ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ।

ବିଜେପି ବିଧାୟକ ଦଳ ନେତା ଶ୍ରୀ ସିଂହଦେଓ କିନ୍ତୁ କେନ୍ଦ୍ର ସରକାରଙ୍କୁ ସୁରକ୍ଷା ଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ଗତକାଲି ବିଦେଶରେ ଯେଉଁ ଭଳି ବକ୍ତବ୍ୟ ରଖିଛନ୍ତି, ସେଥିରେ ସମଗ୍ର ବିଶ୍ୱରେ ଭାରତବର୍ଷର ମୁଣ୍ଡ ଉଚ୍ଚା ହୋଇଛି। ଏମିିତିରେ ବି ଏଟିଏମ୍‌ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ତାଙ୍କ ମତ ରଖିସାରିଛନ୍ତି। ଏଣୁ ଏ ପ୍ରସଙ୍ଗ ଉଠାଇ କେହି ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିବା ଆବଶ୍ୟକ ନୁହେଁ। ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର କହିସାରିଲେଣି ବୋଲି ଶ୍ରୀ ସିଂହଦେଓ କହିଥିଲେ।