ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ବ୍ୟସ୍ତବହୁଳ ସଦର ଥାନା ଅନ୍ତର୍ଗତ ବିଟିଏମ୍ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ୍କୁ ଜେସିବିରେ ତାଡ଼ି ନେଇଥିଲେ ଦୁର୍ବୃତ୍ତ। ସୂଚନା ମିଳିବା ପରେ ପୁଲିସ ଏକାଧିକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। କେଇ ଘଣ୍ଟା ଭିତରେ ଏଟିଏମ୍ ମେସିନ୍ ଓ ଚୋରିରେ ବ୍ୟବହୃତ ଜେସିବିକୁ ପୁଲିସ ହନୁକାନି ନିକଟରୁ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି। ଏ ସଂପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଜେସିବି ମାଲିକ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ବିଟିଏମ୍ ଛକସ୍ଥିତ କେ. ଶ୍ରୀନୁ ରାଓଙ୍କ ଘର ତଳେ ଥିବା ଏହି ଏଟିଏମ୍ ସେଣ୍ଟରକୁ ଜେସିବି ପଶି ମେସିନ୍ ତାଡ଼ି ନେଇଥିଲା। ଶବ୍ଦ ଶୁଣି ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମେସିନ୍ଟି ଚୋରି ହୋଇ ସାରିଥିଲା। ସେପଟେ ଘର ମାଲିକ ଶ୍ରୀ ରାଓଙ୍କଠାରୁ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା। ବ୍ୟାଙ୍କ୍ର ଏଟିଏମ୍ ପରିଚାଳନା କରୁଥିବା ସଂସ୍ଥା ମଧ୍ୟ ଆସି ଥାନାରେ ଏତଲା ଦେଇଥିଲା। ମେସିନ୍ ସହିତ ମୋଟ ୨୭ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ତଦନ୍ତ କରିବା ବେଳକୁ ଘଟଣାରେ ବ୍ୟବହୃତ ଜେସିବି (ଓଡି୨୩- ୩୮୭୭) ଚୋରି ସ୍ଥାନରୁ ମାତ୍ର କେଇ ମିଟର ଦୂରତାରେ ଥିବା ୟୁପିର ଫୁଲଚନ୍ଦ କୁମାରଙ୍କର ବୋଲି ଜଣାପଡ଼ିଥିଲା। ପୁଲିସ ଫୁଲଚନ୍ଦ କୁମାରଙ୍କୁ ପଚାରିବା ବେଳକୁ ଗତକାଲି ରାତି ପ୍ରାୟ ୨ଟା ବେଳେ ସେ ପରିସ୍ରା କରିବାକୁ ଉଠିଥିବା ବେଳେ ତାଙ୍କ ଜେସିବି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ ବୋଲି ସୂଚନା ଦେଇଥିଲେ। ଯାହା ଶ୍ରୀ କୁମାରଙ୍କ ଭୂମିକାକୁ ସନ୍ଦେହ ଘେରକୁ ଆଣିଥିଲା। ଚୋରି ହୋଇଥିବା ଏଟିଏମ୍ ଓ ଉକ୍ତ ଜେସିବି ହନୁକାନିସ୍ଥିତ ଜେସିବି ଚାଳକଙ୍କ ଘର ନିକଟରୁ ହିଁ ପୁଲିସ ପାଇଥିଲା। ମାତ୍ର ଅଭିଯୁକ୍ତମାନେ ଯଦି ଟଙ୍କା ନେବା
ଉଦ୍ଦେଶ୍ୟରେ ଏଟିଏମ୍ ମେସିନ୍ ତାଡ଼ିଥିଲେ ତେବେ କାହିଁକି ଅନ୍ୟ କୌଣସି ଗାଡ଼ିରେ ମେସିନ୍କୁ ନ ନେଇ ଅଧିକ ବେଗରେ ଯାଇପାରୁନଥିବା ଜେସିବିରେ ନେଇଥିଲେ। ସେହିପରି ସଙ୍ଗେ ସଙ୍ଗେ ଟଙ୍କା ଭର୍ତ୍ତି ମେସିନ୍କୁ ଲୁଚାଇବା ପରିବର୍ତ୍ତେ ଘଟଣାସ୍ଥଳରୁ ମାତ୍ର ୨ କିମି ଦୂରତାରେ ଜେସିବି ସହିତ କାହିଁକି ବାହାରେ ଛାଡ଼ିଦେଇଥିଲେ, ସେସବୁ ପ୍ରଶ୍ନ ଏବେ ବି ଅସମାହିତ ହୋଇରହିଛି। ଏ ନେଇ ସଦର ଥାନାଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତଙ୍କୁ ପଚରାଯିବାରୁ ପୁଲିସ ମଧ୍ୟ ଏହି ସବୁ ପ୍ରଶ୍ନର ଉତ୍ତର ପାଇଁ ଅଭିଯୁକ୍ତଙ୍କୁ ପଚରାଉଚରା କରୁଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/21/IGNaGNsRy86dIqvyer8n.jpg)