ସମ୍ବଲପୁର : ଟଙ୍କା ସହିତ ପୂରା ଏଟିଏମ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସମ୍ବଲପୁର-ଝାରସୁଗୁଡ଼ା ରାଜ୍ୟ ରାଜପଥ କଡ଼ ମାଝୀପାଲିରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏହି ଏଟିଏମ୍କୁ ସମ୍ପୂର୍ଣ୍ଣ ଭାବେ ତାଡ଼ିନେଇ ଚମ୍ପଟ ମାରିଛନ୍ତି। ଏଟିଏମ୍ରେ ୨୦ ଲକ୍ଷ ୬୭ ହଜାର ୫ ଶହ ଟଙ୍କା ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣା ଘଟିବାର ୧୫ ଘଣ୍ଟାରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ସଂପର୍କରେ ପୁଲିସ ଟେର୍ ପାଇପାରିନାହିଁ।
ଗତକାଲି ରାତିରେ ବର୍ଷା ହେଉଥିଲା। ଏହାର ସୁଯୋଗ ନେଇ ମାଝୀପାଲି ଫାଣ୍ଡିଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପୂରା ଏଟିଏମ୍କୁ ଦୁର୍ବୃତ୍ତମାନେ ତାଡ଼ି ନେଇଯାଇଥିଲେ। ଏଥିସହ କାଉଣ୍ଟରରେ ଥିବା କ୍ୟାମେରାର ସଂଯୋଗ ବି କାଟି ଦେଇଥିଲେ। ସକାଳ ପର୍ଯ୍ୟନ୍ତ ଏହାର କୌଣସି ସୂଚନା ସୁଦ୍ଧା ପାଇ ପାରି ନଥିଲା ପୁଲିସ । ସ୍ଥାନୀୟ ଲୋକଙ୍କଠାରୁ ଜାଣିବାପରେ ଶାସନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଏହାପରଠାରୁ ତନାଘନା ଚଳାଇଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ସ୍ଥାନୀୟ ଲୁଟେରାଙ୍କ ସହାୟତାରେ ରାଜ୍ୟ ବାହାରର କୌଣସି ଗ୍ୟାଙ୍ଗ୍ ଏହି ଘଟଣା ଘଟାଇଥିବା ପୁଲିସ ସନ୍ଦେହ କରୁଛି। ଏଥିରେ ଚାରିପାଞ୍ଚ ଜଣ ସଂପୃକ୍ତ ଥିବା ଅନୁମାନ କରାଯାଉଛି ବୋଲି ସଦର ଏସ୍ଡିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି।
ଗୁରୁବାର ଦିନ ଏଟିଏମ୍ରେ ବ୍ୟାଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା ଲୋଡ୍ କରାଯାଇଥିଲା। ବୋଧହୁଏ, ଏହାଉପରେ ଦୁର୍ବୃତ୍ତମାନେ ନଜର ରଖିଥିଲେ। ଫଳରେ, ଯୋଜନାବଦ୍ଧ ଭାବେ ଏଟିଏମ୍ ଲୁଟ୍ କରିଥିବା ପୁଲିସ ଅନୁମାନ କରୁଛି। ଏଟିଏମ୍ ନିକଟରେ ପଡ଼ିଥିବା ଏକ ପ୍ଲାଷ୍ଟିକ୍ ରଶିରେ ମେସିନ୍ କଢ଼ାଯାଇଥିବା ପୁଲିସ ସନ୍ଦେହ କରୁଛି। କେଉଁ ଗାଡ଼ିରେ ନେଇଛନ୍ତି ପୁଲିସ ସେ ସଂପର୍କରେ ଛାନ୍ଭିନ୍ ଚଳାଇଛି। ତେବେ, ଦୁର୍ବୃତ୍ତମାନେ ଏଟିଏମ୍ ନେବାପାଇଁ ଏକ ପିକ୍ଅପ୍ ଭ୍ୟାନ୍ ଚୋରି କରିଥିଲେ। ଯାନ୍ତ୍ରିକ ତ୍ରୁଟି କାରଣରୁ ଗାଡ଼ିଟି ଷ୍ଟାର୍ଟ ନହେବାରୁ ତାକୁ ରାସ୍ତା ଉପରେ ଛାଡ଼ିଦେଇ ଅନ୍ୟ ଏକ ଗାଡ଼ିରେ ନେଇଥିବା ପୁଲିସ ଜାଣିବାକୁ ପାଇଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏସ୍ବିଆଇର ଏଟିଏମ୍ ତାଡ଼ି ନେଇଗଲେ। ଅଥଚ, ଆଲର୍ଟ କଲ୍ ଗଲାନାହିଁ। କୌଣସି ଏଟିଏମ୍ ବନ୍ଦ ହେଲେ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ମୁଖ୍ୟ କାର୍ଯ୍ୟାଳୟକୁ ତୁରନ୍ତ ଆଲର୍ଟ କଲ୍ ଯିବା କଥା। ତା’ପରେ ଏଟିଏମ୍ ଯାଞ୍ଚ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସୂଚନା ମିଳିବା କଥା। କିନ୍ତୁ, ଆଲର୍ଟ କଲ୍ କିମ୍ବା ମେସେଜ୍ ଯାଇ ନଥିବାରୁ ଦୁର୍ବୃତ୍ତମାନଙ୍କ ଏଟିଏମ୍ ତାଡ଼ିବା ବିଷୟରେ କର୍ତ୍ତୃପକ୍ଷ କିଛି ଜାଣିପାରିଲେ ନାହିଁ। ପୁଲିସର ସୂଚନା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ୍ ଲୁଟ୍ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପୂର୍ବରୁ ଠେମରାରେ ମଧ୍ୟ କେହି ଦୁର୍ବୃତ୍ତ ପଥରରେ ଛେଚି ଏଟିଏମ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ସେ ଘଟଣାରେ ମଧ୍ୟ କୌଣସି ଆଲର୍ଟ ମେସେଜ୍ ଯାଇ ନଥିଲା।
ଉଲ୍ଲେଖଯୋଗ୍ୟ; ଚିପ୍ ଲଗାଇ, ପିନ୍ ଗେଞ୍ଜି, ପାତ ବ୍ୟବହାର କରି ଏଟିଏମ୍ରୁ ଟଙ୍କା ଲୁଟ୍ କରାଯାଇଥିବାର ବହୁତ ନଜିର ରହିଛି। କିନ୍ତୁ ଟଙ୍କା ଲୁଟ୍ ପାଇଁ ସମ୍ପୂର୍ଣ୍ଣ ଏଟିଏମ୍କୁ ତାଡ଼ି ନେଇଯିବା ଭଳି ଘଟଣା ସାରା ରାଜ୍ୟରେ ବିରଳ। ଭୁବନେଶ୍ବର ଧଉଳି ଥାନା ଶିଶୁପାଳଗଡ଼ସ୍ଥିତ ଏଟିଏମ୍ ତାଡ଼ି ଲୁଟ୍ ଘଟଣା ପରେ ଏହା ହେଉଛି ରାଜ୍ୟରେ ଦ୍ବିତୀୟ ଘଟଣା। ଶିଶୁପାଳଗଡ଼ ଲୁଟ୍ ଘଟଣାରେ ପୁଲିସକୁ ସେଭଳି ଆଖିଦୃଶିଆ ସଫଳତା ମିଳି ନଥିବା ବେଳେ ସମ୍ବଲପୁରରେ ସଂଘଟିତ ଗତରାତିର ଏହି ଘଟଣା ରାଜ୍ୟ ପୁଲିସ ପାଇଁ ଆଉଥରେ ଆହ୍ବାନ ପାଲଟିଛି।