ଏଟିଏମ୍‌ ଭାଙ୍ଗି ୨୨ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

କାର୍ ଜବତ, ଲୁଟେରାଙ୍କୁ ଧରିବା ପାଇଁ ପୁଲିସର ଚଢ଼ଉ

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳ‌ରେ ଦୁର୍ବୃତ୍ତମାନେ ଏକ ଏଟିଏମ୍‌କୁ ଭାଙ୍ଗି ୨୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଲୁଟେରାଙ୍କୁ ଧରିବା ନିମନ୍ତେ ତନାଘନା ଚଳାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମେଡିକାଲ୍‌ ଛକଠାରେ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଏଟିଏମ୍‌ କାଉଣ୍ଟର ରହିଛି। ରବିବାର ରାତିରେ ଲୁଟେରାମାନେ କାଉଣ୍ଟର ଭିତରେ ପଶି ଗ୍ୟାସ୍‌ କଟର୍‌ ସାହାଯ୍ୟରେ ଏଟିଏମ୍‌ ମେସିନକୁ କାଟିଦେଇଥିଲେ। ଏହାପରେ ସେଥିରେ ଥିବା ୨୨ ଲକ୍ଷ ୧୭ ହଜାର ୯ ଶହ ଟଙ୍କା ନେଇଯାଇଥିବା ଜଣାଯାଇଛି। ଏ ସଂପର୍କରେ ଖବରପାଇ ଢେଙ୍କାନାଳ ଏସ୍‌ପି ଏଲ୍. ଦିବ୍ୟା.ଭି, ଏସ୍‌ଡିପିଓ ବିକାଶ ବେଉରା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ସେହିପରି ରବିବାର ରାତିରେ ଗଁଦିଆ ପୁଲିସ ଦ୍ରୁତଗତିରେ ଯାଉଥିବା ଏକ କାର୍‌କୁ ସନ୍ଦେହରେ ପିଛା କରିବା ସମୟରେ ଚାଳକ ଉକ୍ତ ଗାଡ଼ିକୁ ପାଖ ଇଲେଇଜଙ୍ଗ କାଜୁ ବଗିଚାରେ ଛାଡ଼ି ଦେଇ ପଳାଇଥିଲା। ଉକ୍ତ କାର୍‌କୁ ପୁଲିସ ଜବତ କରି ଥାନାକୁ ଆଣିଛି। ଏହି କାର୍‌ ସହିତ ଏଟିଏମ୍‌ ଲୁଟେରାଙ୍କର କିଛି ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଘଟଣା ସମ୍ପର୍କରେ ଗଁଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ କହିଛନ୍ତି, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯିବା ସହିତ ଏଟିଏମ୍‌ ଲୁଟେରାଙ୍କୁ ଧରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଜୋର୍‌ଦାର୍‌ ଚଢ଼ଉ କରାଯାଇଛି।

ସମ୍ବନ୍ଧିତ ଖବର