ଏଟିଏମ କାଟି ଲୁଟି ନେବା ଘଟଣା : ଇଣ୍ଟରନେଟ ଆଲାରାମ୍‌ ସଂଯୋଗ ପାଇଁ ବ୍ୟାଙ୍କକୁ ଚିଠି ଲେଖିଲା କମିସନରେଟ ପୁଲିସ

ଭୁବନେଶ୍ବର : ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଏଟିଏମ୍ କାଟି ପାଖାପାଖି ୨ କୋଟି ଟଙ୍କା ଲୁଟି ନେଇ ସାରିଲେଣି ଦୁର୍ବୃତ୍ତ। ପ୍ରଥମେ ଭଦ୍ରକ ପରେ ବା‌ଲେଶ୍ବର, ଗଞ୍ଜାମ, ରାଉରକେଲା, କଟକ, ବାରିପଦା ଓ ଖୋର୍ଧାରେ ଏଭଳି ଘଟଣା ପୁଲିସ ବିଭାଗକୁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏହା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗଙ୍କ କାମ ବୋଲି ପୁଲିସ ଜାଣି ପାରିଛି। କ୍ରାଇମ ବ୍ରାଞ୍ଚ ମଧ୍ୟ ଲୁ‌ଟେରା ଗ୍ୟାଙ୍ଗ ପଛରେ ପଡ଼ିଛି। କିନ୍ତୁ ଏଯାଏ ଏହି ଏଟିଏମ ମେସିନ କଟା ଗ୍ୟାଙ୍ଗ ଠାବ କରିବାକୁ ସକ୍ଷମ ହୋଇ ପାରିନାହିଁ ପୁଲିସ। କିଛି ଦିନ ତଳେ ଖଣ୍ଡଗିରି ଥାନା ଅଧୀନ ଗଣ୍ଡମୁଣ୍ଡା ଆହ୍ଲାବାଦ୍‌ ବ୍ୟାଙ୍କରେ ଏଭଳି ଲୁଟପାଟ ଉଦ୍ୟମ ହେଉଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୁଲିସକୁ ଦେଖି ଲୁଟେରାମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ।

ତଦନ୍ତବେଳେ ପୁଲିସ ଜାଣିବାକୁ ପାଇଥିଲା କି ଗଣ୍ଡମୁଣ୍ଡାରେ ଥିବା ଏହି ଏଟିଏମ୍‌ରେ ଇଣ୍ଟରନେଟ୍ ଆଲାରାମ ବ୍ୟବସ୍ଥା ଥିଲା। ଲୁଟେରାମାନେ ମେସିନକୁ ଗ୍ୟାସ କଟରରେ କାଟୁକାଟୁ ତୁରନ୍ତ ଖବର ବ୍ୟାଙ୍କର ଆଲାରାମ ସିଷ୍ଟମକୁ ପଳାଇଥିଲା। ଆଉ ଏହା ପରେ ପରେ ବ୍ୟାଙ୍କରୁ ଖଣ୍ଡଗିରି ଥାନାକୁ ଖବର ଦିଆଯାଇଥିଲା। ଫଳରେ ଏକ ବଡ଼ ଧରଣର ଲୁଟ ଫେଲ ମାରିଥିଲା।

ଇଣ୍ଟରନେଟ୍‌ ଆଲାରାମ ବ୍ୟବସ୍ଥାର ଫାଇଦା ପୁଲିସ ଜାଣିବା ପରେ ଏବେ କମିସନରେଟ ପୁଲିସ ପକ୍ଷରୁ ସମସ୍ତ ରା‌ଷ୍ଟ୍ରାୟତ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଚିଠି କରାଯାଇଛି। କୁହାଯାଇଛି ସମସ୍ତ ଏଟିଏମରେ ଏଭଳି ଇଣ୍ଟରନେଟ୍‌ ଆଲାରାମ ସଂଯୋଗ କରିବାକୁ। ଫଳରେ ଆଗାମୀ ଦିନରେ ଏଭଳି ଏଟିଏମ ମେସିନ କାଟି ଟଙ୍କା ଲୁଟି ନେବା ଭଳି ଘଟଣା ଉପରେ ରୋକ ଲଗାଇ ହେବ। ଏହା ଛଡ଼ା ସମସ୍ତ ଏଟିଏମ କାଉଣ୍ଟର୍‌ରେ ସୁରକ୍ଷାକର୍ମୀ ମୁତୟନ କରିବାକୁ ମଧ୍ୟ ପୁଲିସ ବ୍ୟାଙ୍କ କର୍ତୃପକ୍ଷଙ୍କୁ କହିଛି।

ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ପାଳନ କରୁ ନାହାନ୍ତି। ବାରମ୍ବାର ସେମାନଙ୍କ ସୁରକ୍ଷା ସମ୍ପର୍କରେ ପରାମର୍ଶ ଦେଲେ ମଧ୍ୟ ସେମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସମସ୍ତ ପ୍ରମୁଖ ବ୍ୟାଙ୍କ‌େର ଆଲାରାମ ସିଷ୍ଟମ ସ୍ଥାନୀୟ ଥାନା ସହିତ ସଂଯୋଗ କରିବାକୁ ନିୟମ ଥିଲେ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ଏହା କରୁ ନାହାନ୍ତି। ସେହିପରି ଗ୍ରାହକଙ୍କ ବ୍ୟତୀତ ଅନ୍ୟମାନେ ଏଟିଏମ କାଉଣ୍ଟର୍‌ ଭିତରକୁ ନ ପଶିବାକୁ ଡୋର୍‌ରେ ସ୍ବାଇପ୍‌ ବେସ୍‌ଡ ଏଣ୍ଟ୍ରି ସିଷ୍ଟମ ଲାଗୁ କରିବାକୁ ବ୍ୟାଙ୍କକୁ କୁହାଯାଇଥିଲେ ମଧ୍ୟ ତାହା ହୋଇ ପାରିନାହିଁ।

ସେହିପରି ଯେଉଁଠି ନିକାଞ୍ଚନ ଓ ଫାଙ୍କା ଜାଗାରେ ଏଟିଏମ୍‌ କାଉଣ୍ଟର୍‌ ରହିଛି ସେଠାରେ ଦିନ ଓ ରାତି ସମୟରେ ପୁଲିସ ପାଟ୍ରୋଲିଂ କଡ଼ା କରିବାକୁ କୁହାଯାଇଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ପ୍ରକାଶଥାଉକି ଏଟିଏମ ମେସିନ କାଟି ଟଙ୍କା ଲୁଟୁଥିବା ଗ୍ୟାଙ୍ଗ ରାଜ୍ୟ ବାହାରର ହୋଇ ଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇ ପଡ଼ୁଛି। ଏହା ଛଡ଼ା ସେମାନେ ଯେଉଁଠି ବି ଏଟିଏମ ଲୁଟ କରୁଛନ୍ତି, ସେଠାରେ ଲାଗିଥିବା ସିସି କ୍ୟା‌ମେରାକୁ ନଷ୍ଟ କରିଦେବା ସହିତ ହାର୍ଡଡିସ୍କ ନେଇ ଯାଉଛନ୍ତି। ଗୋଟିଏ ସହରରେ ଲୁଟ କରିବା ପରେ ପୁଣି ଥରେ ମାସକ ପରେ ଅନ୍ୟ ଏକ ସହରକୁ ଟା‌ର୍ଗେଟ କରୁଛି ଏହି ଗ୍ୟାଙ୍ଗ୍। ଗୁଜୁରାଟ, ଦିଲ୍ଲୀ, ମୁମ୍ବାଇ ପରେ ଏହି ଗ୍ୟାଙ୍ଗ ଏବେ ଓଡ଼ିଶାରେ ଲୁଟପାଟ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର