ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଇଲାକାରେ ଗତ ବିଳମ୍ବିତ ରାତିରେ ଏଟିଏମ୍ ଲୁଟେରା ଆତଙ୍କ ଖେଳାଇଛନ୍ତି। ପ୍ରତାପୁର ଗ୍ରାମ ଛକରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ କାଉଣ୍ଟର୍ର ମେସିନ୍କୁ ଲୁଟେରାମାନେ ଲୁହାକଟର୍ ଦ୍ବାରା ସଂପୂର୍ଣ୍ଣ ଭାବେ ଭାଙ୍ଗି ୯ଲକ୍ଷ ୨୦ହଜାର ଟଙ୍କା ଲୁଟି ନେଇଯାଇଛନ୍ତି। ମେସିନ୍ର ୮୦ ଭାଗ ପୋଡ଼ିଯାଇଛି। ଏଟିଏମ୍ ଭାଙ୍ଗି ଏତେ ପରିମାଣର ଟଙ୍କା ଲୁଟ୍ ଘଟଣା ପୁରୁଷୋତ୍ତମପୁର ଥାନା ଇଲାକାରେ ପ୍ରଥମ ବୋଲି କୁହାଯାଉଛି।
ଗତକାଲି ମେସିନ୍ରେ ୧୦ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିବା ବେଳେ ୮୦ ହଜାର ଟଙ୍କା ଉଠାଣ ହୋଇଥିଲା। ରାତିରେ ଦୁର୍ବୃତ୍ତମାନେ କାଉଣ୍ଟର୍ ଭିତରେ ପଶି ଶକ୍ତିଶାଳୀ ଧାରୁଆଅସ୍ତ୍ରରେ ମେସିନ୍କୁ ତାଡ଼ିବା ସହ ଲୁହାକଟର୍ରେ ଏହାକୁ ସଂପୂର୍ଣ୍ଣ ଭାବେ କାଟିଦେଇଥିଲେ। ୪ଟି ଟ୍ରେରେ ଥିବା ୯ ଲକ୍ଷ ୨୦ହଜାର ଟଙ୍କା ଲୁଟି ସେଠାରୁ ଚମ୍ପଟ୍ ମାରିଥିଲେ। ଆଜି ସକାଳେ ଏଟିଏମ୍ କାଉଣ୍ଟର୍ ହୋଇଥିବା ଘରର ମାଲିକ ଏହି ଘଟଣା ଦେଖି ତାଜୁବ୍ ହୋଇଯାଇଥିଲେ। ସଂଗେ ସଂଗେ ଏହାର ଫଟୋ ଉଠାଇ ଥାନା ମାଲିକଙ୍କ ନିକଟକୁ ପଠାଇବା ସହ ଫୋନ୍ ଦ୍ବାରା ଅବଗତ କରିଥିଲେ।
ପୁରୁଷୋତ୍ତମପୁର ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଓ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯାଇଥିଲା। ଏଟିଏମ୍ ମେସିନ୍ରେ ଟଙ୍କା ରଖିବା ଦାୟିତ୍ବ ନେଇଥିବା ସିଏମଏସ୍ ସଂସ୍ଥାର ଚିଫ୍ ମ୍ୟାନେଜର୍ ସଂଗ୍ରାମଜିତ୍ ସିଂହଙ୍କ ଏତଲା କ୍ରମେ କେସ୍ ନମ୍ବର ୧୦୮ ଅନୁସାରେ ମାମଲା ରୁଜୁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତକୁ ତ୍ବରାନ୍ବିତ କରିଛି। ଏହାସହ ସିସି କ୍ୟାମେରାର ଫୁଟେଜ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ତେବେ ଏଯାଏ ପୁଲିସ ଲୁଟେରାଙ୍କ ସୁରାକ୍ ପାଇପାରିନି।
ଅନ୍ୟପକ୍ଷରେ ଜନଗହଳି ଇଲାକାରେ ଥିବା ଏହି ଏଟିଏମ୍କୁ ଲୁଟିବାରେ ଲୁଟେରା ମାନେ କେମିତି ସଫଳ ହେଲେ ? ଏଥିରେ କୌଣସି ଅନ୍ତଃଜିଲ୍ଲା ଲୁଟେରାଙ୍କ ହାତ ରହିଛି କି ? ଏଟିଏମ୍ କାଉଣ୍ଟର୍ର ସାଇରନ୍ କାହିଁକି ବାଜି ନଥିଲା ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।