ଯାଜପୁର: ସାବଧାନ ! ଯାଜପୁରରେ ମାତିଛନ୍ତି ଏଟିଏମ ଲୁଟେରା। ଚାହୁଁ ଚାହୁଁ ଲୁଟ ହୋଇଯାଉଛି ହଜାର ହଜାର ଟଙ୍କା। ମାତ୍ର କେଇ ମିନିଟରେ ଖାଲି ହୋଇଯାଉଛି ବ୍ୟାଙ୍କ୍ ଆକାଉଣ୍ଟ। ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଏଟିଏମରୁ ଟଙ୍କା ଉଠାଇ ନେଉଛନ୍ତି ଦୁର୍ବୃତ୍ତ। ପାଖରେ ଏଟିଏମ କାର୍ଡ ଥିଲେ ବି ଅନ୍ୟ ଆକାଉଣ୍ଟକୁ ଚାଲିଯାଉଛି ଟଙ୍କା। ବାରମ୍ବାର ଏଭଳି ହେବା ପରେ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାହକ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଡୁବୁରୀ ପ୍ରୋଜେକ୍ଟ ଶାଖାର ଜଣେ ଗ୍ରାହକ ଏଭଳି ଠକାମୀର ଶିକାର ହୋଇଛନ୍ତି। ଜଖପୁରା ଅଂଚଳର ତରୁଣ କୁମାର ଧଳ ନାମକ ଜଣେ ଯୁବକ ଘରେ ଶୋଇଥିବା ସମୟରେ ହଠାତ୍ ନିଜ ମୋବାଇଲକୁ ଟଙ୍କା ଉଠାଣ ନେଇ ମେସେଜ ଆସିଲା। ମାତ୍ର ୧୦ମିନିଟରେ ଯାଜପୁର ଓ ସମ୍ବଲପୁରର ବିଭିନ୍ନ ଏଟିଏମରୁ ୬୦ହଜାର ଟଙ୍କା ଉଠାଣ ଓ ଟ୍ରାନ୍ସଫର ହୋଇଗଲା। ଏଟିଏମ ବ୍ଲକ କରିବା ପୂର୍ବରୁ ସବୁ କିଛି ଖାଲି ହୋଇଯାଇଥିଲା। ଏ ନେଇ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଓ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ବୋଲି ଜଣାପଡ଼ିଛି। ହେଲେ ଏ ପର୍ଯ୍ୟନ୍ତ ଲୁଟେରାର କୌଣସି ଟେର୍ ମିଳିପାରିନାହିଁ।
/sambad/media/post_attachments/d298ce19a300fcc29fbd03d323dea4d165594a133c8e0b103c98c024b0bb7806.jpg)
ଯାଜପୁରରେ ବାରମ୍ବାର ହେଉଛି ଏଭଳି ଏଟିଏମ ଠକେଇ। ବିଶେଷ କରି ଏଟିଏମ କାଉଂଟର ଗୁଡିକରୁ ସୁରକ୍ଷାକର୍ମୀ ମାନଙ୍କୁ ହଟାଇ ଦିଆଯିବା ପରେ ଏଭଳି ଠକେଇ ଘଟଣା ବଢ଼ିବାରେ ଲାଗିଛି। କୁହାଯାଉଛି କି, ଏଟିଏମ ମେସିନରେ ଲୁଟେରାମାନେ ଏକ ହାର୍ଡୱେୟାର ରଖି ଏଟିଏମକୁ ଆସୁଥିବା ଗ୍ରାହକଙ୍କ ଡାଟା ନେବା ପରେ ତାକୁ କ୍ଲୋନିଂ କରି ଟଙ୍କା ଲୁଟ କରୁଛନ୍ତି।
ଏଟିଏମ ଠକାମୀ ଘଟଣା ଯୋଗୁଁ ଗ୍ରାହକମାନେ ବ୍ୟାଙ୍କରେ ଟଙ୍କା ରଖିବାକୁ ଏବେ ଭୟ କରୁଛନ୍ତି। ସେପଟେ ଏଭଳି ଠକାମୀ ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚାରିବା ପରେ, ଏଟିଏମ ବ୍ୟବହାର କରିବା ସମୟରେ ଗ୍ରାହକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଲୁଟ୍ ସପଂର୍କରେ ଏଟିଏମ ସୁଇଚ ସେଣ୍ଟରରୁ ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।