ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଲୁଟ୍‌ ଘଟଣା: ଡ୍ରାଇଭର୍‌ ହିଁ ମୁଖ୍ୟ ଖଳନାୟକ, ୩ ଜଣ ବନ୍ଧାହେଲେ ହେଲେ

୨୦.୯୦ ଲକ୍ଷ ଟଙ୍କା, ବାଇକ୍‌, ୪ ମୋବାଇଲ୍‌ ଜବତ

ପୁଲିସକୁ ବାଟବଣା କରିବାକୁ ହୋଇଥିଲା ଚକ୍ରାନ୍ତ
ଲୁଟ୍‌ ଘଟଣାର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲା ଆଶିଷ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଆସିକା‌ ରୋଡ଼ରୁ ଏଟିଏମ୍‌ ଟଙ୍କା ଲୋଡିଂ ଭ୍ୟାନ୍‌ ଅପହରଣ ଓ ଟଙ୍କା ଲୁଟ୍‌ ଡ୍ରାମା ଉପରୁ ପରଦା ହଟାଇଛି ପୁଲିସ। ଏହି ଘଟଣାରେ ପୁଲିସ୍‌ ଭ୍ୟାନ୍‌ର ଡ୍ରାଇଭର୍‌ ସମେତ ୩ ଜଣଙ୍କୁ ଗିରଫ କରିଛି।

ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏହି ଲୁଟ୍‌ ଡ୍ରାମାର ମାଷ୍ଟର୍‌ମାଇଣ୍ଡ୍‌ ହେଉଛି ଖୋଦ୍‌ ଗାଡ଼ିର ଡ୍ରାଇଭର୍‌ ଆଶିଷ କୁମାର ଦିଗାଲ। ଆଶିଷ ତା’ର ଦୁଇଜଣ ସହଯୋଗୀଙ୍କ ସହିତ ଟଙ୍କା ଲୁଟ୍‌ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ଅପରେସନ୍‌ ସଫଳ ପରେ ପୁଲିସକୁ ବାଟବଣା କରିବା ପାଇଁ ଘଟଣାକୁ ଭିନ୍ନମୋଡ଼ ଦେଇଥିଲା ଆଶିଷ। ଯାହାକି ପୁଲିସ ପର୍ଦ୍ଦାଫାସ୍‌ କରିଛି। ଏହି ଘଟଣାରେ ବଡ଼ବଜାର ଥାନା ପୁଲିସ କେସ୍ ନମ୍ବର ୧୭୨/୨୧ରେ ଭ୍ୟାନ୍‌ ଡ୍ରାଇଭର୍‌ ତଥା କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଆଡ଼ାସିକୁପା ଗ୍ରାମର ଆଶିଷ ଓ ତା’ର ଦୁଇଜଣ ସହଯୋଗୀ ସାରଙ୍ଗଗଡ଼ ଥାନା କଟ୍ରିଙ୍ଗିଆ ଗ୍ରାମର ମାନ୍ୟବର ନାୟକ ଓ ରାଣୀପଡ଼ା ଗ୍ରାମର କାର୍ତ୍ତିକ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ନିକଟରୁ ୨୦ଲକ୍ଷ ୯୦ହଜାର ଟଙ୍କା, ୪ଟି ମୋବାଇଲ୍‌ ଓ ଲୁଟ୍‌ ଘଟଣାରେ ବ୍ୟବହାର ହୋଇଥିବା ଏକ ବାଇକ୍‌ ଜବତ ହୋଇଥିବା ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏଜିଏସ୍‌ ସିକ୍ୟୋର୍‌ ନାମକ ଏକ ଘରୋଇ ସଂସ୍ଥା ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମ୍‌ କାଉଣ୍ଟର୍‌ରେ ଭର୍ତ୍ତି କରିଥାଏ। ଗତ ୧୮ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସଂସ୍ଥାର ୪ଜଣ କର୍ମଚାରୀ ୨୬ଲକ୍ଷ ଟଙ୍କା ଭ୍ୟାନ୍‌ରେ ଧରି ବାହାରିଥିଲେ। ରଜାସାହି ସ୍ଥିତ ଏଟିଏମ୍‌ କାଉଣ୍ଟର୍‌ରେ ୨ଲକ୍ଷ ଟଙ୍କା ଭର୍ତ୍ତି କରିବା ପରେ ଆସିକା ରୋଡ଼ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟର୍‌କୁ ଯାଇଥିଲା। ଗନ୍‌ମ୍ୟାନ୍‌ ଓ ଦୁଇଜଣ କର୍ମଚାରୀ ଗାଡ଼ିରୁ ଓହ୍ଲାଇ ବ୍ୟାଙ୍କ ଭିତରକୁ ଯାଇଥିଲେ। ସେଠାରୁ ହଠାତ୍‌ ଭ୍ୟାନ୍‌ଟି ରହସ୍ୟଜନକ ଭାବେ ଉଭାନ୍‌ ହୋଇ ଯାଇଥିଲେ। ପରେ ଗାଡ଼ିର ଜିପିଏସ୍‌ ଲୋକେସନ୍‌ ଟ୍ରାକ୍‌ କରି ଆନ୍ଧ୍ର ସୀମାନ୍ତ ଗିରିସୋଲା ଆଡ଼କୁ ଦେଖାଉଥିଲା। ପୁଲିସ ଗିରିସୋଲା ସୋରଳ ରୋଡ଼ ନିକଟରୁ ଭ୍ୟାନ୍‌ଟିକୁ ଠାବ କରିଥିଲା। ଭ୍ୟାନ୍‌ରେ ଡ୍ରାଇଭର୍‌ ଆଶିଷ ଦିଗାଲ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କୁ ପ୍ରଥମେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚ ପରେ ଭ୍ୟାନ୍‌ରୁ ୨୪ଲକ୍ଷ ଟଙ୍କା ଗାଏବ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର