ଏଟିଏମ୍‌ରୁ ଉଠାଉଥିଲେ ୨୫୦୦ ଟଙ୍କା, ବାହାରିଲା ୬୧୦୦ : ବ୍ୟାଙ୍କକୁ ଯାଇ ଟଙ୍କା ଫେରାଇଲେ ଯୁବକ

ବଲାଙ୍ଗୀର : ବାଉଳା ହୋଇଗଲା ଏଟିଏମ୍‌। ୨୫୦୦ ଟଙ୍କା ଉଠାଇଲା ବେଳକୁ ବାହାରିଲା ୬୧୦୦ ଟଙ୍କା। ତେବେ ଏହି ଅଧିକା ଟଙ୍କାକୁ ଚୁପଚାପ ନିଜ ପକେଟରେ ରଖି ଘରକୁ ଯିବା ବଦଳରେ ଜଣେ ଯୁବକ ସିଧା ବ୍ୟାଙ୍କକୁ ଯିବା ଓ ଅଧିକ ଉଠିଥିବା ଟଙ୍କା ଫେରାଇବା ବଲାଙ୍ଗୀର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ସିଭିଲ କୋର୍ଟରେ କାମ କରୁଥିବା ସମୀର ରଂଜନ ପ୍ରଧାନ ଗତ ୧୪ ତାରିଖରେ ମୁଖ୍ୟ ଡାକ୍ତରଖାନା ନିକଟରେ ଥିବା ସିଣ୍ଡିକେଟ ବ୍ୟାଙ୍କର ଏଟିଏମ୍‌ରୁ ୨୫ଶହ ଟଙ୍କା ଉଠାଇଥିଲେ। କିନ୍ତୁ ଏଟିଏମ୍‌ରୁ ବାହାରିଲା ୬ହଜାର ଶହେ ଟଙ୍କା। ୩୬ ଶହ ଟଙ୍କା ଅଧିକ! ତେବେ ଶ୍ରୀ ପ୍ରଧାନ ବଳକା ଟଙ୍କା ନେଇ ପହଞ୍ଚିଥିଲେ ସିଣ୍ଡିକେଟ ବ୍ୟାଙ୍କରେ। ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ଅଧିକ ୩୬ଶହ ଟଙ୍କା ବାହାରିଥିବା ସୂଚନା ଦେବା ପରେ ବ୍ୟାଙ୍କ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଖୋଦ୍‌ ବ୍ୟାଙ୍କର ପରିଚାଳକ ଆସି ତାଙ୍କୁ ଭେଟିଥିଲେ। ପ୍ରଥମ ଥର ପାଇଁ କେହି ଏମିତି ଟଙ୍କା ଫେରାଇଲେ ବୋଲି ଶ୍ରୀ ପ୍ରଧାନଙ୍କୁ କହିବା ସହ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର