ବ୍ରହ୍ମପୁର : ଜଣେ ଏଟିଏମ୍‌ ଲୁଟେରାକୁ ଧରିବା ପାଇଁ କମିସନରେଟ୍‌ ପୁଲିସର ଏକ ଟିମ୍‌ ବ୍ରହ୍ମପୁରରେ ପହଁଚିଥିବା ଜଣାପଡ଼ିଛି। ଅଭିଯୁକ୍ତର ମୋବାଇଲ୍ ଫୋନ୍‌କୁ ଟ୍ରାକିଂ କରି ତାକୁ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଅଂଚଳରୁ କାବୁ କରିଥିବା ସୂଚନା ମିଳିଛି। ଲୁଟ୍‌ ଟଙ୍କା ସମ୍ପର୍କରେ ପଚରାଉଚରା କରି ଅନ୍ୟଜଣେ ସୁନାରିକୁ ମଧ୍ୟ ଥାନାକୁ ଆଣି ଅଟକ ରଖିଥିବା ବେଳେ ତାର ପରିଚୟ ମିଳିନାହିଁ।

Advertisment

ସୂଚନା ଅନୁଯାୟୀ, କମିସନରେଟ୍ ପୁଲିସ ଧରିଥିବା ଅଭିଯୁକ୍ତ ହେଲା ମନୋଜ ସାହୁ। ସେ ଜଣେ ପେଶାଦାର୍‌ ଏଟିଏମ୍‌ ଲୁଟେରା। ମୁଖ୍ୟତଃ ବରିଷ୍ଠ ନାଗରିକଙ୍କୁ ସେ ଟାଗେର୍ଟ କରିଥାଏ। ଏଟିଏମ୍‌ରେ ଟଙ୍କା ଉଠାଇବାରେ ସହାୟତା ଦେବା ବାହାନାରେ ଟଙ୍କା ଲୁଟି ନେବା ଅଭିଯୋଗରେ ବ୍ରହ୍ମପୁର ପୁଲିସ ତାକୁ ପୂର୍ବରୁ ଗିରଫ କରିଥିଲା। କିଛିମାସ ତଳେ ସେ କୋର୍ଟରୁ ସର୍ତ୍ତମୂଳକ ଜାମିନ୍ ପାଇ ଜେଲ୍‌ରୁ ମୁକୁଳିଥିଲା। ଏହାପରେ ‌ଭୁବନେଶ୍ବର ଯାଇ ସେଠାରେ ମଧ୍ୟ ସମାନ ଢଙ୍ଗରେ ଏଟିଏମ୍‌ରୁ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଥାନା ଅଂଚଳରେ ଏଭଳି ମାମଲାର ତଦନ୍ତ କରୁଥିବା କମିସନରେଟ୍‌ ପୁଲିସର ଟିମ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ତା’ର ମୋବାଇଲ୍ ଟ୍ରାକ୍ କରି ସେ ବ୍ରହ୍ମପୁରରେ ଥିବା ଜାଣିବାକୁ ପାଇଥିଲା। ଆଜି ଉକ୍ତ ଟିମ୍ ବ୍ରହ୍ମପୁରରେ ପହଁଚି ଆଙ୍କୁଲି ଅଂଚଳରୁ ତାକୁ କାବୁ କରିବାରେ ସକ୍ଷମ ହୋଇଛି।