ଜଟଣୀ: ଚଞ୍ଚକତା କରି ଜଣେ ମହିଳାଙ୍କ କାର୍ଡରୁ ୧୪ ହଜାର ଟଙ୍କା ଚଳୁ କରିଥିବା ଅଭିଯୋଗରେ ଆଜି ଜଟଣୀ ଥାନା ପୁଲିସ ଜଣେ ଏଟିଏମ୍ ସୁରକ୍ଷାକର୍ମୀକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଡେଲାଙ୍ଗ ଥାନା ହରିରାଜପୁର ଅଞ୍ଚଳର ରୋହିତଲାଲ୍ ପଣ୍ଡା ଓରଫ୍ କାହ୍ନା(୨୬)। ପୁଲିସ ତା ନିକଟରୁ ମହିଳାଙ୍କ ଏଟିଏମ୍ କାର୍ଡ ଓ ଟଙ୍କା ଜବତ କରିଛି। ପୁଲିସ ସୂଚନାନୁସାରେ ଆଜି ସକାଳେ ଅଭିଯୋଗକାରିଣୀ ମହିଳା ଆକ୍ସିସ୍ ବ୍ୟାଙ୍କ୍କୁ ଯାଇଥିଲେ। ତାଙ୍କ ଏଟିଏମ୍ କାର୍ଡର ପାସ୍ୱାର୍ଡ ବଦଳାଇବାକୁ ଯାଇଥିଲେ। ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ ଥିବା କାହ୍ନାକୁ ସେ ସାହାଯ୍ୟ ମାଗିଥିଲେ। କିନ୍ତୁ ଧୂର୍ତ୍ତ କାହ୍ନା କୌଶଳକ୍ରମେ ମହିଳାଙ୍କ ଏଟିଏମ୍ କାର୍ଡକୁ ନିଜ ପାଖରେ ରଖି ତାଙ୍କୁ ଅନ୍ୟ ଏକ କାର୍ଡ ଧରାଇଦେଇଥିଲା।
ମହିଳା ଚାଲିଯିବା ପରେ କାହ୍ନା ତାଙ୍କ ଏଟିଏମ୍ କାର୍ଡକୁ ବ୍ୟବହାର କରି ୧୪ ହଜାର ଟଙ୍କା ଉଠାଇ ନେଇଥିଲା। ମହିଳା ଜଣଙ୍କ ଘରେ ପହଞ୍ଚିବା ପରେ ତାଙ୍କ ମୋବାଇଲ୍କୁ ୧୪ ହଜାର ଟଙ୍କା ଉଠାଣ ମେସେଜ୍ ଯାଇଥିବା ଦେଖିଥିଲେ। ତୁରନ୍ତ ସେ ଏଟିଏମ୍କୁ ଯାଇ କାହ୍ନାକୁ ପଚାରିବାରୁ ସେ ପାଲଟା ଧମକଚମକ ଦେଇଥିଲା। ତେଣୁ ତୁରନ୍ତ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ସଙ୍ଗେସଙ୍ଗେ ଏଟିଏମ୍ରେ ଚଢ଼ଉ କରି କାହ୍ନାକୁ ଉଠାଇଆଣିଥିଲା। ଥାନାରେ ତାକୁ ଯାଞ୍ଚ କଲା ବେଳେ ତା’ ପକେଟ୍ରୁ ଟଙ୍କା ଓ ମହିଳାଙ୍କ କାର୍ଡ ମିଳିଥିଲା। ଏନେଇ ପୁଲିସ ଆକ୍ସିସ୍ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ସିକ୍ୟୁରିଟି ସଂସ୍ଥାକୁ ଜଣାଇଛି।