ବିଷାକ୍ତ ହେଲାଣି ବାୟୁମଣ୍ଡଳ, ହେଜୁନି ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶାର ଜଳ, ସ୍ଥଳ ଓ ଆକାଶ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଜଳବାୟୁ ପରିବର୍ତ୍ତନ ମୁକାବିଲା ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ବିଭିନ୍ନ କଳକାରଖାନାରୁ ନିର୍ଗତ ଗ୍ରିନ୍ ହାଉସ୍ ଗ୍ୟାସ ଯୋଗୁଁ ରାଜ୍ୟର ଜଳ, ସ୍ଥଳ ଓ ଆକାଶରେ ଅଙ୍ଗାରକାମ୍ଳ ଓ ମିଥେନ୍ ଭଳି ବିଷାକ୍ତ ଗ୍ୟାସ ପରିମାଣ ବଢ଼ି ବଢ଼ି ଚାଲିଛି। କେବଳ ତାପଜ ବିଦ୍ୟୁତ ପ୍ଲାଣ୍ଟରୁ ବର୍ଷକୁ ୫ କୋଟି ୪୯ଲକ୍ଷ ଟନ୍ ଅଙ୍ଗାରକାମ୍ଳ ଓଡ଼ିଶାରେ ଗଚ୍ଛିତ ହେଉଛି। ଯେଉଁଥିପାଇଁ ତାପମାତ୍ରା ବୃଦ୍ଧି ଜନିତ ଜଳବାୟୁ ପରିବର୍ତ୍ତନର ଉତ୍କଟ ପ୍ରଭାବ ରାଜ୍ୟବାସୀଙ୍କ ପାଇଁ ବିପଦ ସୃଷ୍ଟି କଲାଣି। ଏହାର ମୁକାବିଲା କରିବା ଲାଗି ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ କେନ୍ଦ୍ର ସରକାର ଓ ବିଶେଷଜ୍ଞମାନେ ଗୁରୁତ୍ବ ଦେଉଛନ୍ତି।

ଓଡ଼ିଶାରେ ଅକ୍ଷୟ ଶକ୍ତିର ପ୍ରୋତ୍ସାହନ ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇ୍‌ଆର୍‌ସି) ୨୦୧୫ରୁ ନିୟମ ଜାରି କରି ସାରିଛନ୍ତି। ୨୦୧୩ରୁ ଜେଡ୍‌କଲ (ଗ୍ରିନ୍ ଏନର୍ଜି ଡେଭଲେପମେଣ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍) ପ୍ରତିଷ୍ଠା ହେଲାଣି। ରାଜ୍ୟ ସରକାର ୨୦୧୬ରୁ ଅକ୍ଷୟ ଶକ୍ତି ନୀତି କରିସାରିଲେଣି।

ETEnergyworld

ହେଲେ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ଦ୍ବାରା ୨୦୧୯-୨୦ ବର୍ଷର ସାଧାରଣ ସମୀକ୍ଷା ରିପୋର୍ଟରେ ଚମକାଇବା ଭଳି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଦେଶରେ ୨୦୨୦ ସୁଦ୍ଧା ୪ଲକ୍ଷ ୪୬ ହଜାର ୩୪୮ ମେଗାଓ୍ୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଏଥିରୁ ଅକ୍ଷୟ ଶକ୍ତି କ୍ଷମତା ୯୧ହଜାର ୫୦୫ ମେଗାଵାଟ୍‌। ଅର୍ଥାତ୍ ଜାତୀୟ ହାର ୨୧%। କିନ୍ତୁ ଉଦ୍‌ବେଗର ବିଷୟ ହେଲା ଯେ ଓଡ଼ିଶାର ସମସ୍ତ ସୂତ୍ରରୁ ଶକ୍ତି ଉତ୍ପାଦନ କ୍ଷମତା ୧୯ ହଜାର ୭୯୧ ମେଗାଓ୍ୱାଟ୍ ଅଟେ। ହେଲେ ଏଥିରେ ଅକ୍ଷୟ ଶକ୍ତିରୁ ଯୋଗଦାନ ୧%ରୁ ବି କମ୍। ରାଜ୍ୟରେ ମାତ୍ର ୫୭୦ ମେଗାଓ୍ୱାଟ୍‌ ବିଦ୍ୟୁତ୍ ଅକ୍ଷୟ ଶକ୍ତି କ୍ଷେତ୍ରରୁ ଉତ୍ପାଦନ ହେଉଛି। ଅର୍ଥାତ୍ ତାପଜ ବିଦ୍ୟୁତ୍‌ ଉପରେ ଆମେ ମୁଖ୍ୟତଃ ନିର୍ଭରଶୀଳ। ରାଜ୍ୟରେ ୧୭ହଜାର ୧୫୯ ମେଗାଓ୍ୱାଟ୍ (୮୬.୭%) ତାପଜ କ୍ଷେତ୍ରରୁ କେବଳ ଉତ୍ପାଦନ ହେଉଛି। ଆହୁରି ସାଂଘାତିକ କଥା ହେଲା ଯେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ନାହିଁ।

ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ ୧%ରୁ କମ୍
ମାତ୍ର ୫୭୦ ମେଗାଓ୍ୱାଟ୍‌ ଉତ୍ପାଦନ କରୁଛି ଓଡ଼ିଶା
୧୦ବର୍ଷ ପରେ ବି ପ୍ରମୁଖ ୧୦ରାଜ୍ୟ ଭିତରେ ନାହିଁ
ତାପଜରେ ମାତିଛନ୍ତି, ଜେଡ୍‌କଲ୍ ଆଣ୍ଠେଇ ପଡ଼ିଛି

ପ୍ରଶ୍ନ ଉଠୁଛି, ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ସରକାର ୧ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ଲାଗି କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ଲାଗି ଧାର୍ଯ୍ୟ ସମୟ ୨୦୨୩ ମସିହା ରଖାଯାଇଛି। ସ୍ବାଭାବିକ ଭାବେ ସମସ୍ତେ ଆଶା କରିବା କଥା ଯେ ଏହାର ସିଂହଭାଗ ଅର୍ଥ ଖର୍ଚ୍ଚ ହୋଇସାରିଥିବ। ଅନ୍ୟପକ୍ଷରେ ପରିବେଶ ପାଇଁ ସତର୍କ ଥିବା ରାଜ୍ୟ ସରକାର ଜଳବାୟୁକୁ ବିଷାକ୍ତ କରୁଥିବା ଭଳି ମନେ ହେଉଛି। ଏମିତି କେମିତି ହେଉଛି? ଗ୍ରିନ୍ ଏନର୍ଜି ଉତ୍ପାଦନ ପାଇଁ କାହିଁକି ପଛଘୁଞ୍ଚା ଦେଉଛି ଓଡ଼ିଶା?

ତଥ୍ୟ କହୁଛି ଯେ ଓଡ଼ିଶା ଅକ୍ଷୟ ଶକ୍ତିକୁ ଉତ୍ସାହିତ କରିବା ଲାଗି ୨୦୧୩ ମସିହାରୁ ସରକାର ପଦକ୍ଷେପ ନେଲେଣି। ଗତ ୧୦ ବର୍ଷ ଧରି ଏ କ୍ଷେତ୍ରଟି କାହାର ଅବହେଳା ବା ଦାୟିତ୍ବହୀନତା ଲାଗି ସଙ୍କୁଚିତ ହୋଇରହିଛି? ରାଜ୍ୟ ଲୋକସେବା ଭବନରେ ବସିଥିବା ଏ ବାବୁମାନେ କିଏ, ଯେଉଁମାନଙ୍କୁ ଏଥିଲାଗି ଦାୟୀ କରାଯିବା ଉଚିତ୍? ଏ ଦିଗଟିକୁ କେହି ତର୍ଜମା କରୁଥିବା ଦେଖାଯାଉନାହିଁ।

YouTube

ଶକ୍ତି ବିେଶଷଜ୍ଞଙ୍କର କହିବା କଥା ହେଉଛି, ରାଜ୍ୟ ସରକାର ଜଳବିଦ୍ୟୁତ ଉତ୍ପାଦନ କ୍ଷେତ୍ରକୁ ସଙ୍କୁଚିତ କରିଦେଲେ। ଏ କ୍ଷେତ୍ରରେ ଗତ ୨୦ବର୍ଷ ଭିତରେ ସେଭଳି କୌଣସି ବିଶେଷ ଯୋଗଦାନ ସରକାରଙ୍କର ନାହିଁ କହିଲେ ଚଳେ। ଏତେ ଜଳ ଉତ୍ସ ଥାଇ ରାଜ୍ୟ ୨୦୬୨ ମେଗାଵାଟ୍ ଏ କ୍ଷେତ୍ରରୁ ବିଦ୍ୟୁତ ଉତ୍ପାଦନ କରୁଛି। ଏହାର ସିଂହଭାଗ ୨୦ବର୍ଷ ପୂର୍ବରୁ ଉତ୍ପାଦନ ହେଉଛି। ଏଣୁ ଅକ୍ଷୟଶକ୍ତି କ୍ଷେତ୍ର ହେଉଛି ବିକଳ୍ପ ସୂତ୍ର, ଯାହାକୁ ଆୟୁଧ କରି ସରକାର ଜଳବାୟୁ ଉପରେ ପ୍ରଭାବ ରୋକିପାରିବେ ଏବଂ ଲୋକେ ଶସ୍ତାରେ ବିଦ୍ୟୁତ୍‌ ପାଇପାରିବେ। ଆହୁରି ସରଳ ଭାବେ କହିଲେ, ଅକ୍ଷୟଶକ୍ତି କ୍ଷେତ୍ରରେ ବିଫଳତା କେବଳ ପରିବେଶକୁ ପ୍ରଭାବିତ କରୁଛି ତା ନୁହେଁ, ବିଦ୍ୟୁତ୍‌ ଦର ଉପରେ ମଧ୍ୟ ଗଭୀର ପ୍ରଭାବ ରଖୁଛି।

ଏହି ମହଲ ଆହୁରି କହୁଛନ୍ତି ଯେ ଓଡ଼ିଶାରେ ଅକ୍ଷୟ ଶକ୍ତିକୁ ଉତ୍ସାହିତ ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ୨୦୧୫ରୁ ନିୟମ ଜାରି କରି ସାରିଛନ୍ତି। ରାଜ୍ୟ ସରକାର ୨୦୧୬ରୁ ଅକ୍ଷୟ ଶକ୍ତି ନୀତି କରିସାରିଲେଣି। ହେଲେ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ତଥ୍ୟ କହୁଛି, ଓଡ଼ିଶାରେ ମୋଟ ୧୯ହଜାର ୭୯୧ ମେଗାଵାଟ୍ ମଧ୍ୟରୁ ମାତ୍ର ୫୭୦ ମେଗାଵାଟ୍ ଅକ୍ଷୟ ଶକ୍ତି କ୍ଷେତ୍ରରୁ ଉତ୍ପାଦନ ହେଉଛି। କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସେମାନଙ୍କ ମୋଟ ଶକ୍ତି ଉତ୍ପାଦନ କ୍ଷମତାର ୪୯% ରହିଛି।

କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣର ପରିସଂଖ୍ୟାନକୁ ବିଶ୍ବାସ କଲେ ଦେଖାଯାଉଛି ଯେ ତାମିଲନାଡୁ ୧୫ ହଜାର ୮୬୬ ମେଗାଓ୍ୱାଟ୍, କର୍ଣ୍ଣାଟକ ୧୫ ହଜାର ୫୭୪ ମେଗାଓ୍ୱାଟ୍, ଗୁଜରାଟ ୧୧ ହଜାର ୧୧୧ ମେଗାଓ୍ୱାଟ୍, ମହାରାଷ୍ଟ୍ର ୧୦ ହଜାର ୨୫୯ ମେଗାଓ୍ୱାଟ୍, ରାଜସ୍ଥାନ ୯ ହଜାର ୫୮୪ ମେଗାଵାଟ୍, ଆନ୍ଧ୍ରପ୍ରଦେଶ ୮ ହଜାର ୧୫୩ ମେଗାଓ୍ୱାଟ୍, ମଧ୍ୟପ୍ରଦେଶ ୪ ହଜାର ୯୨୦ ମେଗାଓ୍ୱାଟ୍, ତେଲେଙ୍ଗାନା ୪ ହଜାର ୭୩ ମେଗାଓ୍ୱାଟ୍, ଉତ୍ତରପ୍ରଦେଶ ୩ ହଜାର ୨୬୨ ମେଗାଓ୍ୱାଟ୍ ଏବଂ ପଞ୍ଜାବ ୧ ହଜାର ୪୬୯ ମେଗାଓ୍ୱାଟ୍ ଅକ୍ଷୟ ଶକ୍ତି ସୂତ୍ରରୁ ଉତ୍ପାଦନ କରୁଛନ୍ତି। ସେମାନଙ୍କର ଏହି କ୍ଷେତ୍ରରେ ଈର୍ଷଣୀୟ ସଫଳତା ଓଡ଼ିଶା ପାଇଁ ଲଜ୍ଜାଜନକ ନୁହେଁ କି?

smart-energy.com

ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ପଛୁଆ ଥିବା ବିହାର ସରକାର ଲକ୍ଷ୍ୟ ରଖିଛନ୍ତି ଯେ ୨୦୨୨ରେ ସେମାନେ ୩୪୩୩ ମେଗାଓ୍ୱାଟ ଗ୍ରିନ୍ ଏନର୍ଜି ଉତ୍ପାଦନ କରିବେ। ସୌର ଶକ୍ତିରୁ ୨୯୬୯ ମେଗାଓ୍ୱାଟ୍, ବାୟୋମାସରୁ ୨୪୪ ମେଗାଓ୍ୱାଟ ଏବଂ ଛୋଟ ଛୋଟ ହାଇଡେଲ୍ ପ୍ରକଳ୍ପରୁ ୨୨୦ ମେଗାଓ୍ୱାଟ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଓଡ଼ିଶା ସରକାରଙ୍କ ଉପର କିନ୍ତୁ ପଡ଼ୋଶୀ ରାଜ୍ୟର ଏଭଳି ସଫଳତାର କୌଣସି ପ୍ରଭାବ ପଡ଼ୁଥିବା ଭଳି ମନେ ହେଉନାହିଁ।

ନିକଟରେ ବିଧାନସଭାରେ ଓଡ଼ିଶା ସରକାର ତଥ୍ୟ ରଖିଛନ୍ତି ଯେ ରାଜ୍ୟ ୫୪୭.୧୫ ମେଗାଓ୍ୱାଟ୍ ଅକ୍ଷୟ ଶକ୍ତିରୁ ଉତ୍ପାଦନ କରୁଛି। ସେ ମଧ୍ୟରୁ ସୌର ଶକ୍ତିରୁ ୪୨୭ ମେଗାଓ୍ୱାଟ୍ ଓ ୧୨୦.୧୫ ଅଣ ସୌର ଶକ୍ତି ଉତ୍ସରୁ ଉତ୍ପାଦନ ହେଉଛି। କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ସଂସ୍ଥାର ରିପୋର୍ଟ କହୁଛି ଯେ ଓଡ଼ିଶା ଅକ୍ଷୟ ଶକ୍ତିରୁ ୫୭୦ ମେଗାଓ୍ୱାଟ୍ ବିଦ୍ୟୁତ୍‌ ଉତ୍ପାଦନ କରୁଛି।

ବିଶେଷଜ୍ଞମାନଙ୍କର କହିବା କଥା ୨୦୨୨ରେ ଅତି କମରେ ୧୫୦୦ ମେଗାଓ୍ୱାଟ୍‌ ବିଦ୍ୟୁତ୍ ଅକ୍ଷୟ ଶକ୍ତିରୁ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖି ସରକାର ଆଗକୁ ବଢ଼ିବା କଥା। ହେଲେ ଏମିତି କିଛି ପରିଦୃଷ୍ଟ ହେଉନାହିଁ କି ଏ ସଂକ୍ରାନ୍ତରେ ବଜେଟ୍ ବ୍ୟବସ୍ଥା ନାହିଁ।

ପରିବେଶ ଓ ଜଳବାୟୁ ପରିବର୍ତ୍ତନର କେତେ ଅଧିକ ପ୍ରଭାବ ପଡ଼ିଲେ ସରକାର ହେଜିବେ?

ସମ୍ବନ୍ଧିତ ଖବର