ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡ଼ଶଙ୍କର ଡୁଙ୍ଗୁରିପାଲିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ ଦିନ ହେଲା ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି। ଏହାଫଳରେ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ବିଶେଷକରି ବରିଷ୍ଠ ନାଗରିକ, ଶିଶୁ ଓ ରୋଗୀମାନଙ୍କ ଯନ୍ତ୍ରଣା କଥା ନକହିବା ଭଲ। ବଲାଙ୍ଗୀର ଜିଲ୍ଲା ପ୍ରଶାସନର ଏହି ଅମାନବୀୟ କାର୍ଯ୍ୟ ବିରୋଧରେ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ତଥା ସାମାଜିକ କର୍ମୀ ନରେନ୍ଦ୍ର ମହାନ୍ତି ଜାତୀୟ ମାନବାଧିକାର କମିସନ (ଏନଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Advertisment

ଲୋୟର ସୁକତେଲକୁ ବିରୋଧ କରି ସ୍ଥାନୀୟ ଅଧିବାସୀ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିଲେ। ମାତ୍ର ବିସ୍ଥାପିତମାନେ କ୍ଷତିପୂରଣ ଓ ପୁନର୍ବାସ ଥଇଥାନ ପ୍ୟାକେଜକୁ ଗ୍ରହଣ କରି ସାରିଛନ୍ତି। କିନ୍ତୁ ଅଦ୍ୟାବଧି ପ୍ରକଳ୍ପ ପ୍ରଭାବିତ ଅନେକ ଗ୍ରାମର ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ କ୍ଷତିପୂରଣ ମିଳିନାହିଁ। ପ୍ରଶାସନର ଏଭଳି ଅମାନବୀୟ ଓ ମାନବାଧିକାର ଉଲ୍ଲଘଂନର ଚିତ୍ର ପଦାକୁ ଆସିଛି। ଇତିମଧ୍ୟରେ ୭୦୦ରୁ ଊର୍ଦ୍ଧ୍ବ ପରିବାର ବାସ କରୁଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲି ଗ୍ରାମ ବିଦ୍ୟାଳୟକୁ ଭାଙ୍ଗି ଦିଆଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କ ଟ୍ରାନ୍ସଫର୍ ସାର୍ଟିଫିକେଟ ସେମାନଙ୍କ ଅଭିଭାବକମାନଙ୍କୁ ଜୋର ଜବରଦସ୍ତ ପ୍ରଦାନ କରାଯାଇଛି। ବାସହରାମାନଙ୍କୁ ଘୋଷିତ କ୍ଷତିପୂରଣ ମିଳି ନାହିଁ। ଏଭଳି ସ୍ଥିତିରେ ବର୍ଷା ଦିନେ ବିସ୍ଥାପିତମାନେ କୁଆଡ଼େ ଯିବେ ବୋଲି ଆବେଦନ ପତ୍ରରେ ପ୍ରଶ୍ନ କରାଯାଇଛି।

ମାନବାଧିକାର ଉଲ୍ଲଂଘନ ହୋଇଥିବା ପ୍ରତ୍ୟେକ ପରିବାରକୁ ୧୦ ହଜାର ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ନେଇ ନିର୍ଦ୍ଦେଶ ପାଇଁ ପିଟିସନରେ କୁହାଯାଇଛି। ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଉପଯୁକ୍ତ ଥଇଥାନ ବ୍ୟବସ୍ଥା ବିନା ଗଡ଼ଶଙ୍କର ଡୁଙ୍ଗୁରିପାଲିରୁ ଜୋର ଜବରଦସ୍ତି ଉଚ୍ଛେଦ ବନ୍ଦ କରିବା ପାଇଁ ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା ମଧ୍ୟ ଦାବି କରିଛନ୍ତି।