ଝାରସୁଗୁଡା : ଝାରସୁଗୁଡ଼ା ଏସ୍ପି ବିକାଶ ଚନ୍ଦ୍ର ଦାଶ ଆଦିବାସୀ ମହିଳାମାନଙ୍କୁ ଅପମାନିତ କରିଥିବା ନେଇ ସମ୍ମିଳିତ ଆଦିବାସୀ ସମାଜ ଅଭିଯୋଗ କରି ପୁଲିସ ମହାନିର୍ଦ୍ଦେଶକଙ୍କଠାରେ ଏକ ଅଭିଯୋଗ ଦାଖଲ କରିଛି। ଏଥିରେ ଏସ୍ପି ଶ୍ରୀ ଦାଶଙ୍କ ବିରୋଧରେ ଆଟ୍ରୋସିଟି ମାମଲା ରୁଜୁ କରାଯିବା ସହିତ ତାଙ୍କୁ ଗିରଫ କରିବା ଓ ଚାକିରିରୁ ବରଖାସ୍ତ କରିବାକୁ ଦାବି କରାଯାଇଛି।
ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ମହେନ୍ଦ୍ର ନାଏକ ଜଣାଇଛନ୍ତି, ନଭେମ୍ବର ୩ ତାରିଖ ଦିନ ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗର ସଭ୍ୟ ଅନନ୍ତ ଚରଣ ନାୟକ ଝାରସୁଗୁଡା ଗସ୍ତ କରି ଆଦିବାସୀମାନଙ୍କ ଜୀବନଯାପନ ବିରୋଧରେ କରାଯାଇଥିବା ବେଆଇନ କାମଗୁଡିକର ତଦାରଖ କରି ଝାରସୁଗୁଡା ସର୍କିଟ ହାଉସଠାରେ ଝାରସୁଗୁଡା ଜିଲ୍ଲାରେ ଏଫ୍ଆଇଆର୍ ହୋଇଥିବା ଆଟ୍ରୋସିଟି ଆକ୍ଟଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲା। ଶତାଧିକ ସଂଖ୍ୟାରେ କେସ ଜିଲ୍ଲାରେ ପଡ଼ି ରହିଥିବାରୁ କମିସନ ଏହା ଉପରେ ଜାଣିବାକୁ ଚାହିଁବାରୁ ଏସ୍ପି ଶ୍ରୀ ଦାଶ ଅଭିଯୋଗ ବାଢ଼ିଥିଲେ ଯେ ଆଦିବାସୀ ମହିଳାମାନେ ପଇସା ପାଇଁ ଆଟ୍ରୋସିଟି କେସ କରୁଛନ୍ତି। ଫଳରେ କେସଗୁଡ଼ିକ ବଢ଼ି ବଢ଼ି ଚାଲିଛି। ଏସ୍ପିଙ୍କ ଏହି ଉକ୍ତିକୁ ଆଦିବାସୀ ସଂଗଠନ ତୀବ୍ର ବିରୋଧ କରି ଏହା ସମଗ୍ର ଭାରତ ବର୍ଷର ଆଦିବାସୀ ମହିଳାଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ କରିଥିଲା। ଏସ୍ପିଙ୍କ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ବିରୋଧରେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରାଯିବା ପରେ ସମ୍ମିଳିତ ଆଦିବାସୀ ସମାଜ ଜିଲ୍ଲାର ସମସ୍ତ ଥାନାରେ ଏସ୍ପି ଶ୍ରୀ ଦାଶଙ୍କ ବିରୋଧରେ ଏତଲା ଦେଇଥିଲା।
ସେହି ସମୀକ୍ଷା ବୈଠକରେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଶ୍ରୀ ନାୟକ ଅଧ୍ୟକ୍ଷତା କରୁଥିବା ବେଳେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ ଲକ୍ଷେଶ୍ବର ଅମାତ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆର୍ଡିଏ ତପିରାମ ମାଝୀ, ଉପ ଜିଲ୍ଲାପାଳ ଶିବ ଟପ୍ପୋ, ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀଙ୍କ ସହିତ ସମସ୍ତ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀ ଆୟୋଗଙ୍କ ପଦାଧିକାରୀ ତଥା ସମ୍ମିଳିତ ଆଦିବାସୀ ସମାଜର ସଭାପତି ମାଧବ ସିଂହ ନାଏକ, ଉପସଭାପତି ଅଶୋକ କୁମାର ମାଝୀ, ରୁକ୍ମଣ ଧୁରୁଆ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଶ୍ରୀ ନାୟକ କହିଛନ୍ତି। ଏ ନେଇ ଆଜି ଶ୍ରୀ ନାଏକ, ପ୍ରଭାକର ଓରାମ, ତ୍ରିଲୋଚନ ଡନସନା ଡିଜିପି ଅଫିସରେ ଏକ ଏତଲା ଦାୟାର କରିଥିବା ସୂଚନା ଦେଇଛନ୍ତି।