ତାଲିକାରେ ନାମ ନଥିବାରୁ ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଖରମୁଣ୍ଡାର ଦୁଇଟି ବୁଥ୍‌ରେ ମତଦାନ ଶୂନ

ସାନି ମତଦାନ ଦାବିରେ ଧାରଣା, ପୋଲିଂ ପାର୍ଟି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଟକ

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଖରମୁଣ୍ଡା ହାଇସ୍କୁଲରେ ଥିବା ୮ଟି ବୁଥ ମଧ୍ୟରୁ ୨ଟି ବୁଥରେ ପଞ୍ଚାୟତର କୌଣସି ଭୋଟରଙ୍କ ନାମ ନଥିବାରୁ ମତଦାନ ଶୂନ ହୋଇଥିବ‌ା ଭଲି ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା। ସାନି ମତଦାନ ଦାବି କରି ଗ୍ରାମବାସୀମାନେ ‌ସ୍କୁଲ ଗେଟ୍ ଭିତରେ ଧାରଣା ଦେବା ସହ ପୋଲିଂ ପାର୍ଟିକୁ ଯିବାକୁ ଦେଇ ନଥିଲେ। ପୁନର୍ବାର ମଦଦାନ ନ ହେବା ପର୍ଯ୍ୟନ୍ତ ପୋଲିଂ ପାର୍ଟିକୁ ଛଡ଼ାଯିବ ନାହିଁ ବୋଲି ସେମାନେ ଅଡ଼ି ବସିଥିଲେ। ଫଳରେ ପରିସ୍ଥିତି ଅଣାୟତ୍ତ ହୋଇଥିବା ଦେଖି ଥାନାଧିକ‌ାରୀ ଅନିଲ ପ୍ରଧାନ ସମେତ ପୁଲିସ ଫୋର୍ସ ଘଟଣା ସ୍ଥଳକୁ ପହଞ୍ଚିଥିଲେ। ପରେ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ, ଏସ୍‌ଡିପିଓ ଦିଲୀପ ଗୋଚ୍ଛାୟତ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଭୋଟ ତାଲିକା ପ୍ରକାଶ ପରେ ବିଡିଓଙ୍କୁ ଏ ସଂପର୍କରେ ଜଣାଯାଇଥିଲେ ହେଁ ପ୍ରଶାସନ ଲୋକଙ୍କ ଦାବିକୁ ଅଣଦେଖା କରୁଥିବାର ଏଭଳି ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ। ତେବେ ଏ ନେଇ ନିର୍ବାଚନ କମିସନଙ୍କ ପାଖକୁ ଜଣାଯାଇଥିବା ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଧାରଣା ଯୋଗୁଁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ୮ଟି ବୁଥ୍‌ର ପୋଲିଂ ପାର୍ଟି ଅଟକି ରହିଥିଲେ। ଧାରଣା ପ୍ରତ୍ୟାହାର ପରେ ପୁଲିସ୍‌ ସୁରକ୍ଷା ପରେ ସେମାନେ ଓ ଭୋଟ୍‌ ବାକ୍ସଗୁଡ଼ିକ ଯାଇଥିଲା।

ଅଭିଯୋଗ ଅନୁସାରେ ଏହି କେନ୍ଦ୍ରରେ ଖରମୁଣ୍ଡା, ଯୁଯୁଗାଁ ଗ୍ରାମର ମୋଟ ୮ଟି ‌ବୁଥ ଖୋଲିଥିଲା। ସେଥି ମଧ୍ୟରୁ ବୁଥ୍ ନଂ. ୫ରେ ୩୫୨ ଜଣ, ବୁଥ ନଂ. ୬ରେ ୨୧୬ ଜଣ ଓ ବୁଥ ନଂ. ୧୭୯ ଜଣ ଭୋଟର୍‌ଙ୍କ ନାମ ତାଲିକାରେ ଥିଲା। କିନ୍ତୁ ବୁଥ ନଂ. ୬ ଓ ୭ରେ ପ୍ରକାଶ ପାଇଥିବା ଭୋଟରମାନେ ଖରମୁଣ୍ଡା ପଞ୍ଚାୟତର ନହୋଇ ଟାଙ୍ଗରପାଲି ପଞ୍ଚାୟତର ବୋଲି ଜଣାପଡ଼ିଥିଲା। ଯଦ୍ବାରା ଉକ୍ତ ବୁଥ୍‌ ଦ୍ବୟରେ ଗୋଟିଏ ବି ଭୋଟ୍‌ ପଡ଼ି ନଥିଲା। ବୁଥ ନଂ. ୫ରେ ଖରମୁଣ୍ଡା ଓ ଟାଙ୍ଗରପାଲି ପଞ୍ଚାୟତର ଭୋଟର ତାଲିକା ଥିବାରୁ କେବଳ ଖରମୁଣ୍ଡା ପଞ୍ଚାୟତର ୫୮ ଜଣ ହିଁ ଭୋଟ୍‌ ଦେଇ ପାରିଥିଲେ। ଦିନ ୧ଟାରେ ନିର୍ବାଚନ ସମୟ ସମାପ୍ତ ହେବା ପରେ ପ୍ରତିବାଦ ଜଣାଇ ଖରମୁଣ୍ଡାବାସୀ ଗେଟ୍‌ ଭିତରେ ଉପରୋକ୍ତ ଦାବି ନେଇ ଧାରଣାରେ ବସିଥିଲେ।

ଆନ୍ଦୋଳନକାରୀମାନେ ବିଡିଓଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଥିଲେ ଯେ, ଭୋଟର ତାଲିକା ପ୍ରକାଶ ପାଇବା ପରେ ଏ ବିଷୟରେ ଜାଣି ପାରି ଗ୍ରାମବାସୀ ବିଡିଓଙ୍କୁ ମାସେ ତଳେ ଆସି ଲିଖିତ ଅଭିଯୋଗ କରିଥିଲେ। ତାଲିକା ସଂଶୋଧନ ନ ହେଲେ ପଂଚାୟତ ଅଫିସରେ ତାଲା ପକାଇବାକୁ ମଧ୍ୟ ଚେତାବନୀ ଦେଇଥିଲେ। ମଝିରେ ମଝିରେ ଗ୍ରାମବାସୀ ଆସି ବିଡିଓଙ୍କ ମନେ ମଧ୍ୟ ପକାଇ ଦେଉଥିଲେ। କିନ୍ତୁ ବିଡିଓ ଏହାକୁ ଧ୍ୟାନ ନ ଦେବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଓ ସେମାନେ ଭ‌ୋଟ୍‌ଦାନରୁ ବଞ୍ଚିତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବିଡିଓ ବିଶ୍ବନାଥ ସାହୁଙ୍କ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ନ ଉଠାଇବାରୁ ପ୍ରତିକ୍ରିୟା ନିଆଯାଇ ପାରିନାହିଁ। ନିର୍ବାଚନ କମିସନ ଓ ରାଜ୍ୟ ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର