ବରଗଡ଼, (ଅଞ୍ଜନ ପ୍ରଧାନ/ନ‌ରେନ୍ଦ୍ର ଦାଶ): ଅତାବିରା ଓ ଭେଡ଼େନ ବ୍ଳକକୁ ନେଇ ଅତାବିରା ବିଧାନସଭା ନିର୍ବାଚନମଣ୍ଡଳୀ।  ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ଏହି ଆସନରେ ୨୦୦୯ରେ କଂଗ୍ରେସର ନିହାର ରଂଜନ ମହାନନ୍ଦ ଓ ୨୦୧୪ରେ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ନିର୍ବାଚିତ ହୋଇଥିଲେ। ଗତଥର ନିହାରଙ୍କୁ ୨୫,୪୭୪ ଭୋଟରେ ହରାଇ ସ୍ନେହାଙ୍ଗିନୀ  ପ୍ରଥମ ପାଳିରେ ହିଁ ମନ୍ତ୍ରୀ ପଦ ହାତେଇ ଥିଲେ। ଗତ ଏନ୍‌ଏସସି ନିର୍ବାଚନରେ ତାଙ୍କ ପ୍ରତିନିଧିତ୍ବରେ ବିଜେଡି ସମସ୍ତ ୧୨ଟି ୱାର୍ଡରେ ମୂଳପୋଛ କରିଥିଲା। ତେଣୁ ତାଙ୍କୁ ବିଜେଡି ଟିକେଟ୍‌ ଧରାଇବା ନିଶ୍ଚିତ ମନେ ହେଉଛି। କିନ୍ତୁ କେଇ ଦିନ ହେଲା ସ୍ନେହାଙ୍ଗିନୀଙ୍କୁ କାଳେ ଲୋକସଭା ଟିକେଟ୍‌ ଦିଆଯିବ ବୋଲି ଗୋଟିଏ ଚର୍ଚ୍ଚା ବିଜୁଳି ବେଗରେ ଖେଳି ଯାଇଛି। ଏହି ଚର୍ଚ୍ଚାକୁ ସ୍ନେହାଙ୍ଗିନୀଙ୍କ ସମର୍ଥକମାନେ ଖଣ୍ଡନ କରୁଛନ୍ତି।

Advertisment

ଚର୍ଚ୍ଚା ଅନୁସାରେ, ଯଦି ସ୍ନେହାଙ୍ଗିନୀଙ୍କୁ ଲୋକସଭା ଟିକେଟ୍‌ ମିଳିଲା, ତେବେ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁରଙ୍କୁ ଅତାବିରା ଆସନ ପାଇଁ ଦଳ ପରଖିବ। ଶ୍ରୀ କୁଅଁର ୨୦୧୪ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। କିନ୍ତୁ ଗତଥର ତାଙ୍କୁ ଟିକେଟ୍‌ ମିଳିଲା ନାହିଁ। ସେହି ଦିନଠୁ ଶ୍ରୀ କୁଅଁର ନିରବ ଥିଲେ। ଏବେ ତାଙ୍କ ଆନୁଗତ୍ୟକୁ ଦଳ ନଜରଅନ୍ଦାଜ କରିବନି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ସ୍ନେହାଙ୍ଗିନୀ ହିଁ ଅତାବିରା ଟିକେଟ୍‌ ପାଇବେ ବୋଲି ସମର୍ଥକମାନେ ଦୃଢ଼ ଯୁକ୍ତି ରଖୁଛନ୍ତି। ଦଳରେ ଅନ୍ୟ ଆଶାୟୀ ବି ଟିକେଟ୍‌ ଅପେକ୍ଷାରେ ଅଛନ୍ତି। ତେଣୁ ଟିକେଟ୍‌ ସୁନିଶ୍ଚିତ କରିବା ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଥମ ଅଗ୍ନି ପରୀକ୍ଷା ହେବ ବୋଲି ସମୀକ୍ଷକମାନେ କହୁଛନ୍ତି। କଂଗ୍ରେସରେ ପୂର୍ବତନ ବିଧାୟକ ନିହାର ମହାନନ୍ଦ, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷା ସୁନିତା ବାଗ ସମେତ ଅନେକ ଆଶାୟୀ। ସୁନିତା ଏଆଇସିସି ସଦସ୍ୟ  ସହ ରାଜ୍ୟ ସଂପାଦକ ଦାୟିତ୍ବରେ ଅଛନ୍ତି। ଏକଦା ନିହାରର ଅନୁଗତ କୁହାଯାଉଥିବା ସୁନିତା ଏବେ ନିହାରକୁ ଟକ୍କର ଦେଉଛନ୍ତି। ନିହାର ନିର୍ବାଚନମଣ୍ଡଳୀର ମଂଗ ଧରିଛନ୍ତି। ପୂର୍ବ ଅଭିଜ୍ଞତା ଆଧାରରେ ଟିକେଟ ଦୌଡ଼ରେ ନିହାର ଆଗରେ ଥିବା କୁହାଯାଉଛି। ବିଜେପିର ଆଶାୟୀ ତାଲିକା ଖୁବ୍‌ ଲମ୍ବା।  ମିଳନ ସେଠ, ଉର୍କୁଲୁ ତାଣ୍ଡିଙ୍କୁ ମିଶାଇ ଆଶାୟୀ ସଂଖ୍ୟା ଡଜନେ ପାଖାପାଖି। ୨୦୦୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଏବଂ ୨୦୧୪ରେ ବିଜେପିରୁ ମିଳନ ସେଠ ପରାଜୟ ହୋଇଥିଲେ। ୨୦୧୪ ନିର୍ବାଚନ ପରେ ବିଜେପିରେ ମିଶିଥିବା ଶ୍ରମିକ ନେତା ଉର୍କୁଲୁ ତାଣ୍ଡି ଭେଡ଼େନ ବ୍ଳକ ସାଂଗଠାନିକ ଦାୟିତ୍ବରେ ଅଛନ୍ତି। ତେଣୁ ଅତାବିରା ନିର୍ବାଚନମଣ୍ଡଳୀ ପ୍ରାର୍ଥିତ୍ବକୁ ନେଇ ଗଣ୍ଡଗୋଳିଆ ସ୍ଥିତିରେ ଅଛି।