ଅତାବିରା ଏନ୍ଏସି ନିର୍ବାଚନ: ଏଥର କିଏ ହାତେଇବ ପରିଷଦ ଅଧ୍ୟକ୍ଷ ପଦ ?

ଅତାବିରା : ଏପ୍ରିଲ ୩ ତାରିଖ ଅତାବିରା ବିଜ୍ଞାପିତ ଅଂଚଳ ପରିଷଦର ତୃତୀୟ ପରିଷଦ ପାଇଁ ନିର୍ବାଚନ ହେବ। ପ୍ରାର୍ଥୀ/ପ୍ରାର୍ଥିନୀମାନେ ନିଜ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରି ଦେଲେଣି। ବିଜେଡି ପ୍ରଚାର ଜୋର କରିଥିବା ବେଳେ ପୋଷ୍ଟର, ବ୍ୟାନର ପ୍ରଚାରରେ ବିଜେପି ଓ କଂଗ୍ରେସ କିଛିଟା ପଛରେ ଥିବା ଦେଖିବାକୁ ମିଳୁଛି। ତେବେ ଫଳାଫଳକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଏଥର ଅଧ୍ୟକ୍ଷ ପଦ କେଉଁ ଦଳ ହାତକୁ ଯିବ। ୨୦୧୩ ପ୍ରଥମ ଅତାବିରା ଏନ୍ଏସି ନିର୍ବାଚନରେ କଂଗ୍ରେସ ଓ ବିଜେଡି ୬ଟି ଲେଖାଏଁ ଅକ୍ତିଆର କରିଥିଲେ। ଅଧ୍ୟକ୍ଷ ପଦ ଆସି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ ହୋଇଥିଲା। ଦୁଇଟି ଯାକ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ୱାର୍ଡ ନଂ-୩ ଓ ୯ରେ କଂଗ୍ରେସ ଦଳ ବିଜୟୀ ହୋଇଥିବାରୁ ଅଧ୍ୟକ୍ଷ ପଦ କଂଗ୍ରେସ ହାତେଇଥିଲା। ବିଜେଡିକୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ସୁଯୋଗ ମଧ୍ୟ ମିଳିଲା ନାହିଁ। କିନ୍ତୁ ଉପାଧ୍ୟକ୍ଷ ପଦ ଅଣସଂରକ୍ଷିତ ଥିବାରୁ ଦୁଇ ଦଳ କଂଗ୍ରେସ ଓ ବିଜେଡି ପାଖରେ ୬ଟି ଲେଖାଏଁ କାଉନସିଲର ଥିବାରୁ ଭାଗ୍ୟ ଗୋଳାର ଆଶ୍ରୟ ନିଆ‌ଯାଇଥିଲା। ସୌଭାଗ୍ୟକୁ ବିଜେଡିର ‌ଲଟେରୀ ଫିଟିଲା । ଭାଗ୍ୟ ଗୋଲା ବିଜେଡିକୁ ଉପାଧ୍ୟକ୍ଷ ପଦରେ ବସାଇ ସମ୍ମାନ ରକ୍ଷା କଲା।

୨୦୧୮ ଏନ୍ଏସିର ନିର୍ବାଚନରେ ରାଜନୈତିକ ଦୃଶ୍ୟ ପଟ କିଛିଟା ପରିବର୍ତ୍ତନ ହୋଇଥିଲା। ବିଜେଡିର ନେତୃତ୍ବ ନେଉଥିବା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ଏହି ନିର୍ବାଚନରେ ବିଜେଡି ଏକତରଫା ବିଜୟ ହୋଇ ସମସ୍ତ ୧୨ଟି କାଉନସିଲର ପଦ ହାତେଇଥିଲା। ୨୦୧୩ ବିଜେଡିର ମୁଖ୍ୟ ବିରୋଧୀ ଥିବା କଂଗ୍ରେସକୁ ଶକ୍ତ ଧକ୍କା ଲାଗିଥିଲା। ବିଜେପି ଦଳର ସ୍ଥିତି ରାଜ୍ୟ ସାରା ନୈରାଶ୍ୟ ଜନକ ଥିଲା। ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବା ‌ପରେ ବିଜେପି ମୁଣ୍ଡ ଟେକିଥିଲା। ୨୦୧୮ ଏନ୍ଏସି ନିର୍ବାଚନରେ ଦୁଇ ବିରୋଧୀ ଦଳକୁ ପାଖାପାଖି ସମାନ ଭୋଟ ମିଳିଥିଲା। ଭୋଟରମାନେ ବିଜେଡି ପ୍ରତି ତଥା ଏଠାରୁ ନେତୃତ୍ବ ନେଉଥିବା ସ୍ନେହାଙ୍ଗିନୀଙ୍କ ପ୍ରତି ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ। ଭୋଟର ବିରାଟ ବ୍ୟବଧା‌ନରେ ଶଙ୍ଖକୁ ଜିତାଇଲେ।

କିନ୍ତୁ ଠିକ୍ ବର୍ଷକୁ ପରେ ୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ସ୍ଥିତି ସଂପୂର୍ଣ୍ଣ ଗୋଳମାଲିଆ ହୋଇଗଲା। ଏନ୍ଏସି ଅଂଚଳର ଭୋଟରମାନେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦ୍ବିତୀୟ ପସନ୍ଦର ପ୍ରାର୍ଥୀ ଭାବେ ଭୋଟ ଦେଇଥିଲେ। ଏହି ପରିଷଦ ଅଂଚଳରୁ ବିଜେପିର ବିଧାନସଭା ପ୍ରାର୍ଥୀ ମିଳନ ସେଠକୁ ସର୍ବାଧିକ ଭୋଟ ଦେଇଥିଲେ। ୧୨ଟି ‌ୱାର୍ଡରୁ କେବଳ ୨ଟି ୱାର୍ଡ ୨ ଓ ୩ ରେ ବିଜେଡି ପ୍ରଥମ ଥିବାବେଳେ ବାକି ୧୦ଟି ଯାକ ୱାର୍ଡରେ ଦଳ ଦ୍ବିତୀୟ ସ୍ଥାନରେ ରହିଥିଲା। ଠିକ୍ ବର୍ଷକ ପୂର୍ବରୁ ଅର୍ଥାତ ୨୦୧୮ରେ ହୋଇଥିବା  ଏନ୍ଏସି ନିର୍ବାଚନରେ ୧୨ଟି ଯାକ ୱାର୍ଡରେ ବିଜୟ ହୋଇଥିବା ସ୍ଥଳରେ ୧୦ଟି ୱାର୍ଡରେ ନୈରାଶ୍ୟଜନକ ପ୍ରଦର୍ଶନ ସ୍ନେହାଙ୍ଗିନୀଙ୍କୁ ଶକ୍ତ ଧକ୍କା ଲାଗିଥିଲା। ସାଧାରଣ ନିର୍ବାଚନ ପରେ ୪ ବର୍ଷ ଏଠାକାର ଭୋଟର ପ‌ୁଣି ନିର୍ବାଚନ ଦେବେ। କହିବାକୁ ଗଲେ ଏହାର ଫଳାଫଳ ବର୍ଷକ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳକୁ ବହୁ ମାତ୍ରାରେ ପ୍ରଭାବିତ କରିବ। ୨୦୧୯ ନିର୍ବାଚନର ପ୍ରଭାବ କିଛିଟା ପଡ଼ିବ ବୋଲି କିଛି ରାଜନୈତିକ ତଥ୍ୟଭିଜ୍ଞମାନେ ମତ ଦେଉଛନ୍ତି। ପ୍ରଶ୍ନ ହେଉଛି ନିଶ୍ଚୟ ଉଠୁଥିବ ୨୦୧୩ କଂଗ୍ରେସ କାଉନସିଲ ଗଠନ କଲା। ୨୦୧୮ରେ ବିଜେଡି ପୂର୍ଣ୍ଣ ବହୁମତରେ ଆଣି ସହଜରେ ପରିଷଦ ଗଢ଼ିଲା। ଏବେ ୨୦୨୩ରେ କିଏ? ଭୋଟର ଅଧ୍ୟକ୍ଷ ପ୍ରାର୍ଥୀ ବିଜେଡିର ବନମାଳି ବରିହା, ବିଜେପିର ଲକ୍ଷ୍ମୀ ବେହେରା ନା କଂଗ୍ରେସର ସବିତା ଭୁଏ କାହାକୁ ଜିତାଇବେ ତ‌ାହା ଭୋଟର, ଜନତା ଜନାର୍ଦ୍ଦନ ନିର୍ଦ୍ଧାରଣ କରିବେ।

ସମ୍ବନ୍ଧିତ ଖବର