ଅତାବିରା : ଆସନ୍ତା ଏପ୍ରିଲ ୩ ତାରିଖ  ଅତାବିରା ବିଜ୍ଞାପିତ ଅଂଚଳ ପରିଷଦର ତୃତୀୟ ପରିଷଦ ଗଠନ ପାଇଁ ନିର୍ବାଚନ ହେବ। ୧୨ଟି ୱାର୍ଡ ବିଶିଷ୍ଟ ଏହି ବିଜ୍ଞାପିତ ପରିଷଦରେ ‌ପୁରୁଷ ୬,୭୪୩ ଓ ମହିଳା ୬,୭୭୭ ଭୋଟର୍‌ ଅଛନ୍ତି। ଅର୍ଥାତ ମୋଟ୍ ୧୩, ୫୨୦ ଜଣ ଭୋଟର୍‌। ଅତାବିରା ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ପୁରୁଷ ଭୋଟର୍‌ ସଂଖ୍ୟା ତୁଳନାରେ ମହିଳା ଭୋଟର୍‌ ସଂଖ୍ୟା ୩୪ଟି ଅଧିକ ରହିଛି। ଗତ ଥର ୧୨ଟି ୱାର୍ଡକୁ ୧୩ଟି ମତଦାନ କେନ୍ଦ୍ର ଥିଲା। ‌ୱାର୍ଡ ନଂ-୧୧ ରେଂଗାଲିପାଲିରେ ୨ଟି ବୁଥରେ ମତଦାନ ଦେଇଥିଲେ। କିନ୍ତୁ ଏଥର ମତଦାତାଙ୍କ ସଂଖ୍ୟା ୧୩ ହଜାରରୁ ଉର୍ଦ୍ଧ୍ବ ଥିବାରୁ ୧୬ଟି ‌ମତଦାନ କେନ୍ଦ୍ର କରାଯାଇଛି। ଭାଲୁପାଲି ସ୍କୁଲ୍‌, ଅତାବିରା ସରକାରୀ ବାଳିକା ହାଇସ୍କୁଲ‌, ଲାଦରାପାଲି ସେବାଶ୍ରମ ସ୍କୁଲ ଓ ରେଂଗାଲିପାଲି ପ୍ରାଥମିକ ସ୍କୁଲରେ ଦୁଇଟି ଲେଖାଏଁ ବୁଥ୍‌ ବ୍ୟବସ୍ଥା କରାଯାଇଛି। ଅତାବିରା ସରକାରୀ ବାଳିକା ହାଇସ୍କୁଲରେ ମହିଳାଙ୍କ ପାଇଁ ପିଙ୍କ ବୁଥ୍‌ ରହିବ।

Advertisment

୨୦ ତାରିଖ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହା ପରେ ତହସିଲଦାର ଓ ବିଡିଓ ଦୁଇଟି ସ୍ବତନ୍ତ୍ର ଟିମ୍‌ରେ ଏନ୍ଏସିର ସବୁ ଅଂଚଳକୁ ଯାଇ ତୀକ୍ଷ୍ଣ ଦୃଷ୍ଟି ରଖିବେ। ପ୍ରାର୍ଥୀଙ୍କ ସଭା, ନିର୍ବାଚନୀ ସଭା, ପ୍ରଚାର, ଭାଷଣ ଆଦି ଭି‌ଡିଓଗ୍ରାଫି କରାଯିବ। ଧମକଚମକ, ଟଙ୍କା କାରବାର, ଭୋଟରଙ୍କୁ ପ୍ରଭାବିତ କଲା ଭଳି କାର୍ଯ୍ୟଶୈଳୀ, ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ହେବ। ଏହି ନିର୍ବାଚନରେ ମତଦାତାମାନେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ଦୁଇଟି ଲେଖାଏଁ  ଭୋଟ୍‌ ଦେବେ। ୧୬ଟି ବୁଥ୍‌ ପାଇଁ  ୩୨ଟି ଇଭିଏମ୍ ବ୍ୟବସ୍ଥା  ସହ ସେକ୍ଟର ଅଫିସରଙ୍କ ପାଖରେ ୪ଟି ଅତିରିକ୍ତ ଏବଂ ସଂରକ୍ଷିତ ଭାବେ ଅତିରିକ୍ତି ଇଭିଏମ୍ ରହିବ। ବ୍ଳକ୍‌ ଅଫିସରେ  ଇଭିଏମ୍ ମେସିନ ରହିବ। ପୁଲିଂ ପାର୍ଟିମାନେ ବ୍ଳକ୍‌ ଅଫିସ୍ରୁ ଇଭିଏମ୍ ସହ ନିଜ ବୁଥ୍‌କୁ ଯିବେ। ଏପ୍ରିଲ ୩ ତାରିଖ ଭୋଟ ସରିବା ପରେ ପୁଣି ବ୍ଳକ୍‌ ଅଫିସ୍‌ରେ ଇଭିଏମ୍ ରଖାଯିବ। ସିସିଟିଭି‌ ନଜରରେ ଇଭିଏମ୍ ମେସିନ୍‌ ରହିବ। ୫ ତାରିଖ ସକାଳ ୮ଟାରୁ ବ୍ଳକ୍‌ ଅଫିସ୍‌  ସଭାକକ୍ଷରେ ଭୋଟ୍‌ ଗଣତି କରାଯିବ। ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ପୁଲିସ ଫୋର୍ସର ବ୍ୟବସ୍ଥା ହେବ ବୋଲି ଏନ୍ଏସିର ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଲଲାଟ  ଲୁହା ସୂଚନା ଦେଇଛନ୍ତି।

ପ୍ରଥମ ଦିନରେ ଗୋଟିଏ ନାମାଙ୍କନ ପତ୍ର ବିକ୍ରି

ଅତାବିରା : ଆସନ୍ତା ଏପ୍ରିଲ ୩ ତାରିଖ ଅତାବିରା ଏନ୍ଏସି ନିର୍ବାଚନର ନାମାଙ୍କନ ପତ୍ର ବିକ୍ରି ଓ ଦାଖଲ ଦିବସର ପ୍ରଥମ ଦିନରେ ଆମ୍ ଆଦମୀ ପାର୍ଟି ସମର୍ଥିତ ପ୍ରାର୍ଥୀ ୱାର୍ଡ ନମ୍ବର୨ ର ମହମ୍ମଦ ହନିବ ନାମାଙ୍କନ ପତ୍ର ନେଇଛନ୍ତି। ନିଜ ସମର୍ଥକଙ୍କ ସହ ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଲଲାଟ ଲୁହାଙ୍କ ଦସ୍ତଖତକ୍ରମେ ପଦସ୍ଥ କର୍ମଚାରୀଙ୍କଠାରୁ ସେ ନାମାଙ୍କନ ପତ୍ର ନେଇଥିଲେ। ମାର୍ଚ୍ଚ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର କିଣା ଓ ଜମା ଅବଧି ଧାର୍ଯ୍ୟ ରହିଛି। ୧୭ ତାରିଖ ନାମାଙ୍କନ ପତ୍ର ଯାଂଚ, ୧୮ରେ ତାଲିକା ପ୍ରକାଶ ପାଇବ। ୨୦ ତାରିଖ ଅପରାହ୍ଣ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।