ଚାଉଳ ମାଗିବାରୁ ମହିଳାଙ୍କୁ ମାଡ଼, ଅବସ୍ଥା ସଂକଟାପନ୍ନ ,ଡାକ୍ତରଖାନାରେ ଭର୍ତ୍ତି

ଘଟଗାଁ: ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ବକେୟା ଚାଉଳ ମାଗିବାରୁ ଜଣେ ମହିଳାଙ୍କୁ କିଛି ଲୋକ ଅତ୍ୟନ୍ତ ନୃଶଂସ ଭାବେ ମାଡ଼ ମାରି ତଳେ କଚାଡ଼ି ଦେଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଘଟଗାଁ ମେଡିକାଲର ଭର୍ତ୍ତି କରାଯାଇଛି। ଗ୍ରାମରକ୍ଷୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ପଞ୍ଚାୟତର ଚାଉଳ ବଣ୍ଟନ ବାର ଅନୁଯାୟୀ ଗତକାଲି ରାମଚନ୍ଦ୍ରପୁର ଗ୍ରାମର ଲୋକଙ୍କୁ ଚାଉଳ ଦିଆଯାଉଥିଲା। ମୁକ୍ତାପୁର ପଞ୍ଚାୟତ ଡଳଙ୍ଗପାଣି ଗ୍ରାମର ଆଦିବାସୀ ମହିଳା ସରସ୍ବତୀ ମୁଣ୍ଡା (୪୫)। ସେ ଗତକାଲି ସ୍ବାମୀ ରବି ମୁଣ୍ଡାଙ୍କ ସହ ପଞ୍ଚାୟତକୁ ଚାଉଳ ନେବାକୁ ଆସିଥିଲେ। ପୂର୍ବ ମାସରେ ଚାଉଳ ସରିଯିବାରୁ ଏ ମାସରେ ସରସ୍ବତୀଙ୍କୁ ଦୁଇମାସର ଚାଉଳ ଦିଆଯିବ ବୋଲି କୁହାଯାଇଥିଲା। ସେ ଦୁଇମାସର ଚାଉଳ ମାଗିବାରୁ ତାଙ୍କୁ ଦିଆଯାଇ ନଥିଲା। ସରସ୍ବତୀ ଜିଦ୍‌ ଧରିବାରୁ ସେଠାରେ ଥିବା କିଛି ଲୋକେ ତାକୁ ମାଡ଼ ମାରିଥିଲେ। ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ମିଶି ସରସ୍ବତୀଙ୍କ ଚୁଟି ଘୋଷାରି ତଳେ କଚାଡ଼ି ଦେବା ସହିତ ପ୍ରବଳ ମାଡ଼ ମାରିଥିଲେ। ସରସ୍ବତୀ ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି କିଛି ସମୟ ପାଇଁ ଚାଉଳ ବଣ୍ଟନ ବନ୍ଦ ହୋଇଯାଇଥିଲା। କିଛି ଲୋକେ ପାଣି ଛିଞ୍ଚିବା ପରେ ସରସ୍ବତୀଙ୍କ ଚେତା ଫେରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ହୋଇ ସରସ୍ବତୀ ଘରକୁ ଫେରି‌ଥିଲେ। ମାତ୍ର ଆଜି ତାଙ୍କର ପ୍ରବଳ ମୁଣ୍ଡ ବୁଲାଇଥିଲା। ସେ କିଛି କାମ କରିପାରି ନଥିଲେ। ଫଳରେ ତାଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସଂପର୍କରେ ବ୍ଲକ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଚିତ୍ତରଞ୍ଜନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଇଥିଲେ। ଏନେଇ ସେ ଅବଗତ ଅଛନ୍ତି। ଚାଉଳ ତାଙ୍କ ଘରକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର