ଘରେ ପଶି ପିଟିଲେ, ଏତଲାର ୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍‌

ଟାଙ୍ଗରପାଲି : ଭଷ୍ମା ଥାନା ଅନ୍ତର୍ଗତ ନିଆଳିପାଲି ଗ୍ରାମର ଯୁଗଳ ଦାଶଙ୍କ ଘରକୁ ପଶି କେତେକ ଯୁବକ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲାବେଳେ ଏତଲାର ୮ ଦିନ ପରେ ବି ଭଷ୍ମା ପୁଲିସ ପକ୍ଷରୁ  କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଫଳରେ ସଂପୃକ୍ତ ପୀଡ଼ିତ ପରିବାରଟି ଭୟଭୀତ ହୋଇ ରହିଛି ତଥା ପୁଲିସର ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି।

ସୂଚନାରୁ ପ୍ରକାଶ ଯେ ଗତ ୧୯ ତାରିଖ ଦିନ ନିଆଲିପାଲି ଗ୍ରାମରେ ଏକ ବାହାଘର ଚାଲିଥିଲା। ବାହାଘରରେ ଟେଣ୍ଟ ସଜାଇବା ପାଇଁ  ଆସିଥିବା କେତେକ ଯୁବକଙ୍କ ସହିତ ଯୁଗଳଙ୍କର କୌଣସି ବିଷୟକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ରାତି ପ୍ରାୟ ୧୨.୩୦ରେ ଟେଣ୍ଟ କାମକରୁଥିବା କେତେକ ଯୁବକ ସଂଘବଦ୍ଧ ହୋଇ ଯୁଗଳଙ୍କ ଘରକୁ ଯାଇ ଯୋର୍‌ଜବରଦସ୍ତି କବାଟ ଭାଙ୍ଗି ତାଙ୍କୁ ଆକ୍ରମଣ କରିଥିଲେ। ଘରେ ଥିବା ତାଙ୍କ ପତ୍ନୀ ଖୁସବୁ ଦାଶ ନିଜ ସ୍ବାମୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତଥାପି ସେମାନେ ତାଙ୍କ କଥାକୁ ଭୃକ୍ଷେପ ନକରି  ଯୁଗଳଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଯୁଗଳଙ୍କର ମୁଣ୍ତଫାଟି ରକ୍ତସ୍ରାବ ହୋଇଥିଲା। ଏନେଇ ତାଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ପକ୍ଷରୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ା ରାତିଅଧରେ ଜଣଙ୍କ ଘରକୁ ପଶି ମାଡ଼ ମାରିବା ଭଳି ମାମଲାରେ ପୁଲିସର ନିରବତା  ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏ ଦିଗରେ ସୁନ୍ଦରଗଡ ଅାରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର