ବ୍ରାଉନ୍‌ସୁଗାର ଓ ନିଶା କାରବାରକୁ ନେଇ ହଣାହଣି, ୨ ଗୁରୁତର

ଖୋର୍ଦ୍ଧା: ଆଜି ବ୍ରାଉନ୍‌ସୁଗାର ଓ ନିଶା କାରବାରକୁ ନେଇ ଜନଗହଳି ରାସ୍ତାରେ ଦୁଇ ଯୁବକ ଉଭୟ ଉଭୟଙ୍କୁ ହାଣିବା ଘଟଣା ଖୋର୍ଦ୍ଧା ସହରରେ ନିଶା କାରବାରର ସାଂଘାତିକ ରୂପକୁ ପଦାରେ ପକାଇଛି । ସୂଚନାନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୫ଟା ୬ଟା ବେଳେ ଗୁରୁଜଙ୍ଗ ଜବରଦସ୍ତିପୁରର ରୋଶନ ତନ୍ତୀ ଓ ଟାଙ୍ଗୀ-ମାଳିସାହିର ସୁମନ୍ତ ବାରିକ ଓରଫ ଗୋଧି ଗୁରୁଜଙ୍ଗ-ଖୋର୍ଦ୍ଧା ରାସ୍ତାର ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଗୋଡ଼ିଆ ଗୋଡ଼ି ହୋଇ ପରସ୍ପରକୁ ହାଣିଥିଲେ । ଏଥିରେ ଉଭୟ ଗୁରୁତର ଆହତ ହୋଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଉଭୟଙ୍କ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ଦିଆଯାଇନଥିବା ବେଳେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ସୂଚନା ପାଇ ନିଜ ଆଡ଼କୁ ମାମଲାର ତଦନ୍ତ ହାତକୁ ନେଇଛି ।

ଏହି ଘଟଣାରେ ସମ୍ପୃକ୍ତ ଉଭୟଙ୍କ ବିରୋଧରେ ବ୍ରାଉନ୍ସୁଗାର କାରବାର କରିବାର ଅଭିଯୋଗ ରହିଛି । ସୁମନ୍ତ ବେହେରାର ପିତା ଖୋର୍ଦ୍ଧା ପୁଲିସ ବିଭାଗର ଜଣେ ହୋମଗାର୍ଡ଼ ଅଟନ୍ତି ଓ ସେ ଛୋଟାର ଜଣେ ଖାସ ସହଯୋଗୀ ଥିବା ଚର୍ଚ୍ଚା ହେଉଛି । ଉଭୟଙ୍କ ମଧ୍ୟରେ ନିଶା କାରବାରକୁ ନେଇ ବିବାଦ ରହିଥିଲା, ଆଜି ଏହା ବିସ୍ଫୋରକ ରୂପ ନେଇଥିଲା ।
ଆଜିର ଏହି ଘଟଣା ପରେ ସହରରେ ଏକ ପ୍ରକାରର ଆତଙ୍କର ବାତାବରଣ ଖେଳିଯାଇଛି । ଗତ ତିନ ବର୍ଷ ମଧ୍ୟରେ ଖୋର୍ଦ୍ଧା ସହରର ଯେତିକି ବଡ଼ ବ୍ରାଉନ୍ସୁଗାର ମାଫିଆ ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତମାନ ଜାମିନରେ ଜେଲରୁ ମୁକୁଳି ଆସିଛନ୍ତି । ବର୍ତମାନ ଖୋର୍ଦ୍ଧାରେ ବ୍ରାଉନ୍ସୁଗାର କାରବାରକୁ ନେଇ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ଆଜିର ଘଟଣା ସେହି ପ୍ରତିଦ୍ୱନ୍ଦ୍ୱିତାର ପ୍ରଥମ ଚରଣ ବୋଲି ସାଧାରଣରେ ଆଲୋଚନା ହେଉଛି ।

ଦଧିମାଛଗାଡ଼ିଆର ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କ ନିକଟରୁ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଥିଲା, କିଛି ମାସ ପୂର୍ବେ ସେ ଜାମିନରେ ମୁକୁଳିଛନ୍ତି । ପୁଲିସ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ସେହି ବ୍ୟକ୍ତିଜଣକଙ୍କ ଗୋଷ୍ଠୀର ସଦସ୍ୟମାନେ ଖୋର୍ଦ୍ଧା କୋର୍ଟ ମଧ୍ୟରେ ବନ୍ଧୁକ ଧରି ସାକ୍ଷୀଙ୍କୁ ଭୟଭୀତ କରାଇ ଜାମିନ ପାଇବାରେ ସକ୍ଷମ ହୋଇଥିଲେ । ପୁଲିସ ଏହି ଘଟଣା ଜାଣି ମଧ୍ୟ ଚୁପ ରହିଥିଲା । ଏବେ ଅନ୍ୟତମ ଚର୍ଚ୍ଚିତ ବ୍ରାଉନ୍‌ସୁଗାର ମାଫିଆ ଛୋଟା ମଧ୍ୟ ଜାମିନରେ ବାହାରକୁ ଆସିଛି । କେବଳ ଏହି ଦୁଇଜଣ ନୁହନ୍ତି, ପୂର୍ବରୁ ଏକାଧିକ ଥର ବ୍ରାଉନସୁଗାର କାରବାରରେ ଗିରଫ ହୋଇଥିବା ବ୍ୟକ୍ତିବିଶେଷ ମଧ୍ୟ ଜାମିନରେ ଆସି ପୁଣି ବ୍ରାଉନସୁଗାର କାରବାର ଆରମ୍ଭ କରିଛନ୍ତି । ବର୍ତମାନ ସହରର ପ୍ରତି ଗଳିକନ୍ଦି ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି କାରବାର ଏକ ପ୍ରକାର ସଂକ୍ରମଣ ଭଳି ବ୍ୟାପିଯାଇଛି ବୋଲି ସହରର ଅନେକ ବରିଷ୍ଠ ନାଗରିକ ମତ ଦେଇଛନ୍ତି । ପୁଲିସ ତୁରନ୍ତ ଏଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଏଭଳି ଘଟଣା ଘଟିବା ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର