ଭୋଟ୍‌ ପାଇଁ ଟଙ୍କା ନନେବାରୁ ଆକ୍ରମଣ: କେନ୍ଦୁଝରରେ ଗୋଟିଏ ପରିବାରର ୪ ଆହତ

କେନ୍ଦୁଝର: ପ୍ରଚାର ସରିଲା। ପୌର ନିର୍ବାଚନ ପାଇଁ ଦିନକ ପରେ ଭୋଟ ପଡ଼ିବାକୁ ଥିବାବେଳେ କେନ୍ଦୁଝର ସହରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀମାନେ ଟଙ୍କା ବାଣ୍ଟୁଥିବା ବେଳେ ଟଙ୍କା ନ ନେବାରୁ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ବିଜେପି ନେତାମାନେ କେନ୍ଦୁଝର ଟାଉନ ଥାନା ଘେରାଉ କରିବା ସହ ଧାରଣାରେ ବସିଥିଲେ।

ବିଜେପି ନେତାମାନଙ୍କ ଅଭିଯୋଗ ଅନୁଯାୟୀ, ଆଜି ରାତି ପ୍ରାୟ ୯ଟାବେଳେ କେନ୍ଦୁଝର ସହରର ୪ ନମ୍ବର ୱାର୍ଡ ଆଟୋପୁର ବେହେରାସାହିରେ ବିଜେଡି କର୍ମୀମାନେ ଲୋକଙ୍କୁ ଟଙ୍କା ବାଣ୍ଟୁଥିଲେ। ବିଜେପିକୁ ସମର୍ଥନ କରୁଥିବା ଗୋଟିଏ ପରିବାର ଟଙ୍କା ନେବାକୁ ମନା କରିବାରୁ ବିଜେଡି କର୍ମୀମାନେ ସମ୍ପୃକ୍ତ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଜୁଲି ବେହେରା, ପୁଅ ରାକେଶ ବେହେରା, ଝିଅ ମୀନ ବେହେରା ଓ ଶ୍ରୁତି ବେହେରା ଆହତ ହୋଇଛନ୍ତି। ଜୁଲିଙ୍କ ମୁଣ୍ଡ ଫାଟିଯାଇଛି। ଏନେଇ ପରିବାର ପକ୍ଷରୁ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରାଯାଇଛି। ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟିବା ଏବଂ ଟଙ୍କା ନେବାକୁ ମନା କରିବାରୁ ଆକ୍ରମଣ ଘଟଣାକୁ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ଆକ୍ରମଣକାରୀଙ୍କ ବି‌ରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନେତାମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର