ରାଜଧାନୀ ପୁଲିସ ସାମ୍ନାରେ ଆକ୍ରମଣ: ସାଇଡ୍ ମାଗିବାରୁ ଯୁବକଙ୍କୁ ନିର୍ଧୂମ୍‌ ଛେଚିଲେ

ଥାନାରେ ଏତଲା, ୨ ଗିରଫ ପିସିଆର୍‌ ଭ୍ୟାନ୍‌ ଇନଚାର୍ଜ ନିଲମ୍ବିତ

ଭୁବନେଶ୍ୱର: ରାସ୍ତା ସାଇଡ୍‌ ମାଗିବାରୁ ଆକ୍ରମଣ। ଆକ୍ରମଣରୁ ବର୍ତିବା ପାଇଁ ପୁଲିସକୁ ଫୋନ୍ କଲେ। ପୁଲିସ୍‌ ମଧ୍ୟ ଆସିଲା। କିନ୍ତୁ ପୁଲିସ୍‌କୁ ମଧ୍ୟ ଖାତିର କଲେନି ଦୁର୍ବୃତ୍ତ। ପୁଣି ଥରେ ପୁଲିସ ସମ୍ମୁଖରେ ଆକ୍ରମଣ କଲେ। କାହିଁକି ପୁଲିସକୁ ଫୋନ୍ କଲୁ କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ବି କଲେ। ଏ ହେଉଛି ରାଜଧାନୀର ଚିତ୍ର। ‘ଆମ ପୁଲିସ ଆମ ସୁରକ୍ଷା’ ନାରା ଦେଉଥିବା ପୁଲିସ କେମିତି କେତେକ ଦୁର୍ବୃତ୍ତଙ୍କ ସମ୍ମୁଖରେ ଅସହାୟ ହୋଇ ପଡ଼ିଥିଲା, ତା’ର ଏକ ବିକଳ ଚିତ୍ର ଆଜି ଦେଖିବାକୁ ମିଳିଥିଲା ଲକ୍ଷ୍ମୀସାଗର ଥାନା ଭଗବାନ ଆପାର୍ଟମେଣ୍ଟ ନିକଟରେ।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ପରବିନ୍ଦର ପାଲ ନାମକ ଯୁବକ ସ୍କୁଲ ଛୁଟି ପରେ ନିଜ ଝିଅକୁ ନେଇ ଘରକୁ ଯାଉଥିଲେ। ଏହି ସମୟରେ କେତେକ ଯୁବକ ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତାକୁ ଅବରୋଧ କରି ରଖିଥିଲେ। ପରବିନ୍ଦର ସେମାନଙ୍କୁ ସାଇଡ୍‌ ମାଗିଥିଲେ। କିନ୍ତୁ ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ସେହି ଯୁବକମାନେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପରବିନ୍ଦରଙ୍କୁ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ପରବିନ୍ଦର ଆପାର୍ଟମେଣ୍ଟ ଭିତରକୁ ପଶି ପୁଲିସ କ‌ଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ। ଖବର ପାଇ ପିସିଆର୍‌ ଭ୍ୟାନ୍‌ ମଧ୍ୟ ଘଟଣାସ୍ଥଳକୁ ଆସିଥିଲା। ପୁଲିସକୁ ଦେଖି ପରବିନ୍ଦରଙ୍କ ସାହସ ହୋଇଥିଲା। ସେ ପିସିଆର୍‌ ଭ୍ୟାନ୍‌ ନିକଟକୁ ଆସିଥିଲେ। ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଉଥିବା ବେଳେ ୫ରୁ ୬ଜଣ ଯୁବକ ପୁଣିଥରେ ସେଠାରେ ପହଞ୍ଚି ପରବିନ୍ଦରଙ୍କୁ ଗାଳିଗୁଲଜ କରିବା ସହିତ ମୁଥ ଉପ‌ରେ ମୁଥ ମାରି ଚାଲିଥିଲେ। ଏଥିରେ ତାଙ୍କ ଆଖି, କାନ, ନାକ ଓ ପେଟରେ ଗଭୀର ଆଘାତ ଲାଗିଛି। ଏପରିକି ଯୁବକମାନେ ତାଙ୍କ ପଗଡ଼ିକୁ କାଢ଼ି ତଳକୁ ଫିଙ୍ଗି ଦେଇଥିଲେ। ପରେ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେବାକୁ ଉଦ୍ୟମ କରିଥିଲେ। ପୁଲିସ ସମ୍ମୁଖରେ ଏସବୁ ଘଟଣା ଘଟିଥିଲେ ମଧ୍ୟ ପୁଲିସ ଚୁପ ଥିଲା। ଆକ୍ରମଣକାରୀ ଯୁବକ ପରବିନ୍ଦରଙ୍କୁ ଆକ୍ରମଣ କରିବା ପରେ ପୁଲିସ ସହ କଥାବାର୍ତ୍ତା ହୋଇ ସେଠାରୁ ଖସି ଯାଇଥିଲେ।

ଅପରପକ୍ଷେ ଏହି ଘଟଣାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ଘଟଣାସ୍ଥଳରେ ଉପସ୍ଥିତ ପିସିଆର୍‌ ଭ୍ୟାନ୍‌ ଇନ୍‌ଚାର୍ଜଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ଅତିରିକ୍ତ ପୁଲିସ କମିସନର୍‌ ଅନୁପ ସାହୁ କହିଛନ୍ତି। ସେହିପରି ଅଭିଯୁକ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୁକାନ୍ତ ରାଉତ ଏବଂ ଦୀପକ ମହାନ୍ତି। ପରବିନ୍ଦରଙ୍କ ଉପରେ ଏଭଳି ଆକ୍ରମଣ ହେଉଥିବା ବେ‌ଳେ ତାଙ୍କ ଝିଅ ଏହାକୁ ଦେଖୁଥିଲେ। ତାଙ୍କୁ ମାନସିକ ଆଘାତ ଦେଇଛି। ପରବିନ୍ଦର ଏନେଇ ଥାନା‌ରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ ଆରମ୍ଭ କରିଛି। ଘଟଣାସ୍ଥଳରେ ଲାଗିଥିବା ସିସି କ୍ୟ‌ାମେରା ଯାଞ୍ଚ କରି କେଉଁମାନେ ପରବିନ୍ଦରଙ୍କୁ ଆକ୍ରମଣ କରିଥିଲେ, ସେମାନଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି ପୁଲିସ। ପୁଲିସ ପରବିନ୍ଦରଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଚିକିତ୍ସା କରାଇଛି। ଲକ୍ଷ୍ମୀସାଗର ଥାନା ପୁଲିସ କହିଛି, ଘଟଣା ସତ। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର