ଥାନା ଭିତରେ ପଶି ହାଣିଲେ; ୩ ଆହତ, ପୁଲିସ୍‌ ଅସହାୟ

ବାଲେଶ୍ବର/ରେମୁଣା : ଗତକାଲି ରାତି ସାଢ଼େ ୧୧ଟା ହେବ। ଆକ୍ରମଣର ଶିକାର ହୋଇଥିବା ଏକ ପରିବାର ଥାନାରେ ଅଭିଯୋଗ ପାଇଁ ଆସିଥିଲେ। ଏହି ସମୟରେ ହଠାତ୍‌ ଶତାଧିକ ଲୋକ ବାଇକ୍‌ ରାଲିରେ ହାତରେ ଖଣ୍ଡା, କାତି ଆଦି ମାରଣାସ୍ତ୍ର ଧରି ଥାନା ଭିତରକୁ ପଶିଲେ। ଆଉ କେହି କିଛି ବୁଝିବା ପୂର୍ବରୁ ସେମାନେ ଗେଟ୍‌ ଭଙ୍ଗାରୁଜା କରିବା ସହ ଥାନା ବୋର୍ଡ ଭାଙ୍ଗିଲେ। ଆଇଆଇସି ଓ ଥାନା କର୍ମଚାରୀଙ୍କ ସମ୍ମୁଖରେ ଅଭିଯୋଗକାରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ। ଏହା ବଲିଉଡର କୌଣସି ଚଳଚ୍ଚିତ୍ର ଦୃଶ୍ୟ ଠାରୁ କମ୍‌ ନଥିଲା। ଏଭଳି ଘଟଣା ଘଟିଛି ବାଲେଶ୍ବରର ରେମୁଣା ଥାନାରେ। ଆକ୍ରମଣ ଯୋଗୁଁ ମାଧିପୁର ଅଞ୍ଚଳର ରଘୁନାଥ ସାହୁ, ପତ୍ନୀ ପ୍ରମିତା ଏବଂ ପୁଅ ବାଦଲ ଗୁରୁତର ଆହତ ହୋଇଛନ୍ତି। ଏନେଇ ପୁଲିସ ଦୁଇଟି ମାମଲା ରୁଜୁ କରିବା ସହ ୪ଜଣଙ୍କୁ ଅଟକ ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। କିଛିଦିନ ପୂର୍ବେ ନିଆଁବାଗ ଅଞ୍ଚଳରେ ମାଟିଖୋଳାକୁ ନେଇ ବିବାଦ ଯୋଗୁଁ ଆହତ ପକ୍ଷ ଗତ ୪ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ତିକ୍ତତା ବଢ଼ିଥିଲା। ମଙ୍ଗଳବାର ରାତି ସାଢ଼େ ୧୦ଟା ବେଳେ ରଘୁନାଥ ମନ୍ଦାରପୁରରେ ଏକ ଭୋଜି ସାରି ପତ୍ନୀ ଓ ପୁଅଙ୍କୁ ନେଇ ଘରକୁ ଫେରୁଥିଲେ। ଏହି ସମୟରେ କେତେକ ଯୁବକ ଗାର୍ଗେଶ୍ବର ମନ୍ଦିର ନିକଟରେ ସେମାନଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମାରପିଟ୍‌ କରିଥିଲେ। ହେଲେ ରଘୁନାଥ ସେଠାରୁ ଖସି ଘରକୁ ଚାଲିଆସିଥିଲେ। ହେଲେ ଏତିକିରେ ଶାନ୍ତ ପଡ଼ିନଥିଲେ ଉତ୍ତ୍ୟକ୍ତ ଯୁବକ। ସେମାନଙ୍କୁ ପିଛାକରି ତାଙ୍କ ଘର ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ତାଙ୍କ କାର ଓ ବାଇକ୍‌କୁ ଭଙ୍ଗାରୁଜା କରିବା ସହ ଆକ୍ରମଣ କରିଥିଲେ। ଭୟରେ ପରିବାର ଲୋକ ସିଧା ରେମୁଣା ଥାନାକୁ ଚାଲି ଯାଇଥିଲେ। ଥାନାରେ ପହଞ୍ଚିବାର କିଛି ସମୟ ପରେ ରାତି ୧୧ଟା ବେଳେ ହଠାତ୍ ଶତାଧିକ ଯୁବକ ମାରଣାସ୍ତ୍ର ଧରି ଥାନାରେ ପଶିଥିଲେ। ଆଉ ପୁଲିସ ଉପସ୍ଥିତିରେ ଥାନା ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ।

ଥାନାରେ ଏଭଳି ଆତଙ୍କ ରଚିଥିଲେ ଯେ, ପୁଲିସ ମଧ୍ୟ ସେମାନଙ୍କୁ ଅଟକାଇବାକୁ ସାହସ କରି ପାରି ନ ଥିଲା। ଥାନାରେ ପାଖାପାଖି ଘଣ୍ଟାଏ କାଳ ଧରି ହଙ୍ଗାମା କରିଥିଲେ ଆକ୍ରମଣକାରୀ। ସେମାନେ ଥାନାରୁ ଯିବା ପରେ ପୁଲିସ ଆହତମାନଙ୍କୁ ଚିକିତ୍ସା ପାଇଁ ବଡ଼ଡାକ୍ତରଖାନା ଆଣିଥିଲା। ଏହି ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକମାନେ ଥାନା ଘେରାଉ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର