ଓୟୁଏଟିରେ ୨ ଛାତ୍ରଙ୍କୁ ଆକ୍ରମଣ: ରୢାଗିଙ୍ଗ୍‌ ଅଭିଯୋଗ ଉପରେ ତନାଘନା

ଭୁବନେଶ୍ବର: ଓୟୁଏଟି କୃଷି ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଦୁଇ ଜଣ ପ୍ରଥମ ବାର୍ଷିକ ଛାତ୍ରଙ୍କୁ ଆକ୍ରମଣ ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଆହତ ଛାତ୍ରଦ୍ବୟ ହେ‌ଲେ ନିମାପଡ଼ା ଅଞ୍ଚଳର ସୗଭାଗ୍ୟ କୁମାର ନାୟକ ଓ କେନ୍ଦ୍ରାପଡ଼ା ଅଞ୍ଚଳର ସତ୍ୟସ୍ବରୂପ ନାୟକ। ଖଣ୍ଡଗିରି ଥାନା ପୁଲିସ ଆହତ ଛାତ୍ରଦ୍ବୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ରୢାଗିଙ୍ଗ୍‌ ଅଭିଯୋଗ ଥିବାରୁ ପୁଲିସ କଲେଜର ରୢାଗିଙ୍ଗ୍‌ କମିଟି ତଥା ଶୃଙ୍ଖଳା କମିଟିର ତଦନ୍ତକୁ ଅପେକ୍ଷା କରିଥିବା ସୂଚନା ମିଳିଛି। କଲେଜର ଉଭୟ କମିଟି ସିସିଟିଭି ଫୁଟେଜ୍‌କୁ ତନଖି କରିବା ସହ ଆହତ ଛାତ୍ରଙ୍କ ବୟାନ୍ ରେକର୍ଡ କରାଇଛି। ଏ ସଂପର୍କରେ ଅଭିଭାବକମାନଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ମାତ୍ର ତଦନ୍ତ ସରି ନଥିବାରୁ କଲେଜ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନାହିଁ। ତେବ‌େ ଏହି ଗଣ୍ଡଗୋଳରେ ରୢାଗିଙ୍ଗ୍‌ର ସୁରାକ୍ ମିଳିଲେ, ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ଆହତ ଦୁଇ ଛାତ୍ରଙ୍କ ଅଭିଯୋଗ ଅନୁସାରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାବେଳେ କଲେଜର ମୁଖ୍ୟ ଫାଟକ ନିକଟରେ ସେମାନଙ୍କୁ ୮/୯ ଜଣ ଛାତ୍ର ଆକ୍ରମଣ କରିଥିଲେ। ଗଣ୍ଡଗୋଳକାରୀଙ୍କ ମଧ୍ୟରେ ଅଧିକାଂଶ ସିନିଅର୍ ଛାତ୍ର(୪ର୍ଥ ଓ ୩ୟ ବାର୍ଷିକ) ଥି‌ଲେ ଓ କିଛି ପ୍ରଥମ ବାର୍ଷିକ ଛାତ୍ର ମଧ୍ୟ ଥିଲେ। ସେମାନେ କାହିଁକି ଛାତ୍ରାବାସରେ ରହୁନାହାନ୍ତି ବୋଲି ଧମକ ଦେଇ ମାଡ଼ ମାରିଥିଲେ। ଲୁହା ରଡ୍‌ ମାଡ଼ରେ ସେମାନଙ୍କ ହାତ ଓ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା। ପ୍ୟାଣ୍ଟସାର୍ଟ ମଧ୍ୟ ଚିରି ଯାଇଥିଲା। ଭୟରେ ସେମାନେ ଦୌଡ଼ି ଦୌଡ଼ି ଶିରିପୁର ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଯେ ଗତ ପ୍ରାୟ ୪ ମାସ ହେଲା ସେମାନଙ୍କ ଉପରେ ଏମିତି ନିର୍ଯାତନା ଚାଲିଛି। ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଆଜିର ଘଟଣା ପରେ ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଇଛି ବୋଲି ସେମାନେ କହିଛନ୍ତି। ଛାତ୍ରମାନଙ୍କୁ ପୁଲିସ ହସ୍ପିଟାଲରୁ ଥାନାକୁ ଆଣିବା ପରେ ଡିନ୍‌ ଓ କେତେଜଣ ପ୍ରଫେସର ଥାନାକୁ ଯାଇ ମାମଲାର ତଦନ୍ତରେ ପୁଲିସକୁ ସହଯୋଗ କରିବେ ବୋଲି ଜଣାଇଥିଲେ। ତେଣୁ ସନ୍ଧ୍ୟାରେ କଲେଜ କର୍ତ୍ତୃପକ୍ଷ ଆହତ ଛାତ୍ରଦ୍ବୟଙ୍କ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ଅଭିଭାବକମାନେ ପୁଣି ପୁରୁଣା ଅଭିଯୋଗକୁ ଦୋହରାଇଥିଲେ। ଛାତ୍ରାବାସ‌ରେ ରହୁଥିବାବେଳେ ଏଭଳି କାଣ୍ଡସବୁ ହେବାରୁ ତାଙ୍କ ପିଲା ବାହାରେ ରହି‌ବାକୁ ବାଧ୍ୟ ହେଲେ। ସେହି ରାଗରେ ସିନିଆର୍‌ ଛାତ୍ରମାନେ ତାଙ୍କ ପିଲାଙ୍କୁ ଏଭଳି ଆକ୍ରମଣ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଆଜି ରାତି ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରି ନଥିବା ଜଣାପଡ଼ିଛି। ଖଣ୍ଡଗିରି ଥାନା ତଦନ୍ତ ଅଧିକାରୀଙ୍କ କହିବା କଥା କଲେଜ କର୍ତ୍ତୃପକ୍ଷ ତଦନ୍ତ କରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ଓ ସେହି ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଘଟଣାପରେ କଲେଜର ଛାତ୍ର ୟୁନିଅନ୍ ଅସନ୍ତୋଷ ପ୍ରକାଶ କରିଛି। ଏଥିରେ ଆଦୌ ରୢାଗିଙ୍ଗ୍‌ର ପ୍ରଶ୍ନ ନାହିଁ ବୋଲି ୟୁନିଅନ୍ ପକ୍ଷରୁ କୁହାଯାଇଛି। ଏହା ଏକ ଗୋଷ୍ଠୀଗତ ଗଣ୍ଡଗୋଳ ଓ ଏଥିରେ ସିନିଅର୍ ଛାତ୍ରମାନଙ୍କ ସମ୍ପୃକ୍ତି ନାହିଁ ବୋଲି ସେମାନେ କହିଛନ୍ତି। ଏମିତିକି ସିସିଟିଭି ଫୁଟେଜ୍‌ ତଦନ୍ତକୁ ମଧ୍ୟ ସେମାନେ ସ୍ବାଗତ କରିଛନ୍ତି ଓ କଲେଜର ରୢାଗିଙ୍ଗ୍‌ କମିଟି ଯେଉଁ ନିଷ୍ପତ୍ତି ନେବ, ତାହାକୁ ମଧ୍ୟ ସେମାନେ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର