ଓଏମ୍‌ସି ଦୈତାରୀ ପାର୍କିଂ ପ୍ଲାଜାରେ ଗୁଣ୍ଡାରାଜ: ୫ ଯବାନଙ୍କୁ ଆକ୍ରମଣ

କାଳିଆପାଣି : ଦୈତାରୀ ଥାନା ଅଧୀନ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦୈତାରୀ ଲୌହଖଣି ବଳିପର୍ବତ ଟିପ୍ପର ପାର୍କିଂ ପ୍ଲାଜାରେ ଗତକାଲି ଭଙ୍ଗାରୁଜା ଓ ଲୁଟ୍‌ପାଟ୍‌ ସହ କର୍ତବ୍ୟରତ ଓଆଇଏସ୍‌ଏଫ ଯବାନଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ୫ ଜଣ ଓଆଇଏସ୍‌ଏଫ୍‌ ଯବାନ ଲହୁଲୁହାଣ ହୋଇ ଏବେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ହାବିଲଦାର ଗାଇଚାନ୍ଦ ହେମ୍ବ୍ରମ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଆହତ ହାବିଲଦାରଙ୍କ ଏତଲାକୁ ଭିତ୍ତି କରି ପୁଲିସ ଆଇପିସିର ଦଫା ୧୪୭, ୧୪୮, ୩୪୧, ୨୯୪, ୩୩୨, ୩୩୩, ୪୨୭, ୩୭୯, ୩୦୭, ୫୦୬ ଓ ୧୪୯ ଆଧାରରେ ଏକ କେସ୍ ୭୭/୨୦ ରୁଜୁକରି ଅଧିକ ତଦନ୍ତ କରୁଥିବା କହିଛି। ସମସ୍ତ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି। ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗତକାଲି ବଳିପର୍ବତ ପାର୍କିଂ ୟାର୍ଡରେ ଟିପ୍ପର ଅନୁପ୍ରବେଶକୁ ନେଇ ଗଣ୍ଡଗୋଳ ହୋଇଥିଲା। ଲୁହା ପଥର ବୋଝେଇ ଯୋଜନାରେ ଟିପ୍ପର ନଂ ଓଆର୍-୧୬ଡି-୧୫୬୨, ଓଆର୍-୦୯ପି-୯୮୦୮, ଓଆର୍-୦୯ଏଚ୍-୯୮୦୦ ଓ ଓଆର୍-୧୬ସି-୯୯୫୦ ଚଳାଉଥିବା ସ୍ଥାନୀୟ ୪ ଡ୍ରାଇଭର ଏଠାରେ ଗାଡ଼ି ପୁରାଇବା ଯୋଜନା କରିଥିଲେ। ‌ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଥିବା ଦର୍ଶାଇ ଏଠାରେ ନିରାପତ୍ତା ଦାୟିତ୍ବରେ ଥିବା ଓଆଇଏସ୍ଏଫ୍ ଯବାନ ଗୌରାଙ୍ଗ ଚନ୍ଦ୍ର ମଲ୍ଲିକ ସେମାନଙ୍କୁ ବାରଣ କରିଥିଲେ। କିନ୍ତୁ ସଂପୃକ୍ତ ଡ୍ରାଇଭରମାନେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଡ୍ରାଇଭର ବାବୁଲାଲ୍‌ ଦାସ ଓ ୩ ସାଥୀ ପାର୍କିଂୟାର୍ଡ ସମ୍ମୁଖରେ ଗାଡ଼ି ଆଡ଼ ପକାଇ ରାସ୍ତା ଅବରୋଧ କରିଥିଲେ। ଏଭଳି କାର୍ଯ୍ୟକୁ ହାବିଲଦାର ସେକ୍. ଜାମୁଲାଲ୍‌ ଲେଲ୍ ଓ କନଷ୍ଟେବଲ୍‌ ଲିଙ୍ଗରାଜ ବେହେରା ବିରୋଧ କରି ଏଠାରୁ ଗାଡ଼ି ‌ହଟାଇନେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ସେମାନେ ଦବିଯିବା ପରିବର୍ତେ ତାଙ୍କ ମାଲିକଙ୍କୁ ଡକାଇ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବ୍ରାହ୍ମଣୀପାଳର ଜନୈକ ଟିପ୍ପର ମାଲିକ ବିଶ୍ବନାଥ ଦାସ ଏକ ସ୍କର୍ପିଓ(ଓଆର୍-୦୫ଏଚ୍-୯୮୦୯)ରେ ୭ ରୁ ୮ ଜଣ ସହଯୋଗୀଙ୍କୁ ଆଣି ଲୁହାରଡ୍, ସ୍ଲାଇ ରେଞ୍ଚ୍ ଓ ପଥରରେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ବୋଲି ହାବିଲଦାର ଶ୍ରୀ ହେମ୍ବ୍ରମ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଅଭିଯୁକ୍ତମାନେ ଯବାନଙ୍କୁ ପାର୍କିଂ ପ୍ଲାଜା ରୁମ୍‌ ମଧ୍ୟରେ ପୂରାଇ ନିସ୍ତୁକ ପିଟିଥିଲେ। ଅଭିଯୁକ୍ତମାନେ ଏକ ଧାରୁଆ ଅସ୍ତ୍ର ଦ୍ବାରା ଆକ୍ରମଣ କରିବାରୁ ହାବିଲଦାର ଶ୍ରୀ ହେମ୍ବ୍ରମ୍‌ ଲହୁ ଲୁହାଣ ହୋଇଥିଲେ। ପାର୍କିଂ ପ୍ଲାଜାରେ ଲାଗିଥିବା ଏକ କମ୍ପ୍ୟୁଟରକୁ ଭାଙ୍ଗିଦେବା ସହ ଏଠୁ ଏକ ଯାବ୍ରା ଫୋନ୍ ଓ ପ୍ରିଣ୍ଟର ଲୁଟି ନେଇଥିଲେ। ପରେ ଅଭିଯୁକ୍ତମାନେ ଗାଡ଼ି ଧରି ବ୍ରାହ୍ମଣୀପାଳ ଆଡ଼କୁ ପଳାଇଥିଲେ। ଏ ସଂପର୍କରେ ଓଆଇଏସ୍‌ଏଫ୍‌ ପକ୍ଷରୁ ବ୍ରାହ୍ମଣୀପାଳ ଚେକ୍‌ ଗେଟ୍‌କୁ ସୂଚନା ଦିଆଯାଇଥିଲା। ହାବିଲଦାର ଡି.ଏନ୍‌. କର, କନଷ୍ଟେବଲ ସନାତନ ମହାନ୍ତି, ଅନ୍ତର୍ଯ୍ୟାମୀ ନାୟକ ଓ ବିଶ୍ବଜିତ ନାୟକ ଅଭିଯୁକ୍ତମାନଙ୍କୁ ଅଟକାଇବା ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ୨ ପୁଲିସକୁ ନିସ୍ତୁକ ମାଡ଼ ମାରି ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରି ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏ ସଂପର୍କରେ ଥାନା ଅଧିକାରୀ ତୁଳସୀ ମଞ୍ଜରୀ ଭୂୟାଁଙ୍କୁ ଯୋଗାଯୋଗ କରିବାରେ ଗଣ୍ଡ‌ଗୋଳ ହୋଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର