ଭୁବନେଶ୍ୱର: ରାଜମହଲ ଟ୍ରେନ୍ ଲାଇନ ଉପରେ ଆଜି ଦୁଇ ଜଣ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ଯୁବକଦ୍ୱୟ ହେଲେ, ସୁଜିତ ଜେନା ଓ ଟିକିରା ନାୟକ। ଉଭୟଙ୍କ ଘର ଗୌତମନଗର ଅଞ୍ଚଳରେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସୁଜିତ୍ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରାଇଛନ୍ତି। ଶେଷ ଖବର ଲେଖା ହେବା ବେଳକୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ନରସିଂହା ରାଓ ଓ ରାମ ରାଓ ନାମକ ଦୁଇ ଦୁର୍ଦାନ୍ତ ଅପରାଧୀଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗତ କିଛି ଦିନ ତଳେ କ୍ୟାପିଟାଲ ଥାନା ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଦୁହେଁ ଏବେ ଝାରପଡ଼ା ଜେଲରେ ଅଛନ୍ତି। ଏହି ଗିରଫଦାରୀ ପଛରେ ସୁଜିତ୍ର ହାତ ଅଛି ବୋଲି ନରସିଂହାର ଭଣଜା ପ୍ରକାଶ ସନ୍ଦେହ କରିଥିଲା। ଏ ସଂପର୍କରେ ସେ ସୁଜିତଙ୍କୁ ବିଭିନ୍ନ ସମୟରେ ଧମକଚମକ ଦେଇ ଆସୁଥିଲା। ତେବେ ଆଜି ସଂଧ୍ୟା ବେଳେ କୌଣସି କାମରେ ସୁଜିତ୍ ବାହାରକୁ ଯାଉଥିବା ବେଳେ ପ୍ରକାଶ ଓ ତାର ମା’ ଚେନ୍ଦ୍ରି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରୁ ବର୍ତ୍ତିବା ପାଇଁ ପ୍ରାଣ ବିକଳରେ ରାଜମହଲ ତଳ ଟ୍ରେନ୍ଲାଇନ ଉପରେ ଦୌଡ଼ିଥିଲେ ହେଁ ମା’ ପୁଅ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ପନିକି ଓ ଚାପଡ଼ରେ ହାଣିଥିଲେ। ଏଥିରେ ସୁଜିତଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେଠାରେ ଉପସ୍ଥିତ ଟିକିରା ଏହା ଦେଖିଦେବାରୁ ମା’-ପୁଅ ମିଶି ତାଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଟିକିରାଙ୍କ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେ ତଳେ ପଡ଼ିଯିବା ପରେ ମା’-ପୁଅ ସେଠାରୁ ଫେରାର୍ ହୋଇଯାଇଥିଲେ। ଉଭୟଙ୍କ ଯନ୍ତ୍ରଣା ଜର୍ଜରିତ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ସହ ପୁଲିସକୁ ଖବର ଦେଇଥିଲେ।
ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ
ପୁଲିସ ଖବରୀ ସନ୍ଦେହରେ ଯୁବକଙ୍କୁ ଆକ୍ରମଣ, ଦେଖଣାହାରୀକୁ ବି ଛାଡ଼ିଲେନି
/sambad/media/post_attachments/wp-content/uploads/2018/06/attack-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)