ଯାଜପୁରସଦର: ଯାଜପୁର ଥାନା ଅନ୍ତର୍ଗତ ବଡ଼ଆଦମପୁର ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ଜଣେ ଯୁବକଙ୍କୁ ପ୍ରଥମେ ଗାଡି ଧକ୍କା କରିବା ପରେ ତାଙ୍କୁ ସଂଘବଦ୍ଧ ଭାବେ ଫାର୍ସାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ଲୁହା ରଡ଼୍ରେ ମଧ୍ୟ ତାଙ୍କୁ ନିର୍ଘାତ ପିଟିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ଛାଡ଼ି ଦେଇ ଚାଲି ଯାଇଥିଲେ। କେବଳ ସେତିକି ନୁହେଁ ସାଙ୍ଗରେ ଥିବା ଭଉଣୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଅସଦାଚରଣ କରିବାକୁ ଭୁଲି ନଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠଇଥିଲେ।
ସୂଚନା ଅନୁସାରେ ଯାଜପୁର ଥାନା ବଡଆଦମପୁର ଗ୍ରାମର ସତ୍ୟନାରାୟଣ ମହାନ୍ତିଙ୍କ ପୁଅ ସୂର୍ଯ୍ୟକାନ୍ତ ମହାନ୍ତି ଆଜି ନିଜର ଭଉଣୀ ସହ ତଳିହା ମଲିକ ସାହି ପୋଲ ନିକଟରେ କଟକ ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିଲେ। ଅଭିଯୁକ୍ତ ଭାଲୁ ବିଶ୍ୱାଳ, ପ୍ରକାଶ ବିଶ୍ୱାଳ, ଶୁକଦେବ ବିଶ୍ୱାଳ, କାଳିଆ ବିଶ୍ୱାଳ ଓ ବଣ୍ଟି ଦାସ ତାଙ୍କୁ ଗୋଡ଼େଇ ଗୋଡ଼େଇ ଫାର୍ସାରେ ହାଣିବା ସହିତ ଲୁହା ରଡରେ ମୁଣ୍ଡ ଓ ହାତଗୋଡକୁ ନିର୍ଘାତ ପିଟିଥିଲେ। ଏହି ସମୟରେ ଅନ୍ୟ କେତେକ ବ୍ୟକ୍ତି ତାଙ୍କ ଭଉଣୀକୁ ଅଶାଳୀନ ବ୍ୟବହାର କରିଥିଲେ। ଏମିତିକି ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ସୂର୍ଯ୍ୟକାନ୍ତଙ୍କ ଉଭଣୀ ପ୍ରୀୟଦର୍ଶିନୀଙ୍କୁ ଧମକ ଦେଇଥିଲେ। ଆକ୍ରମଣରେ ଅଞ୍ଚଳର ଚଗଲା ବାରିକ, କାଠିଆ ଦାସ, ପରୀକ୍ଷିତ ବିଶ୍ୱାଳ, ରବି ବିଶ୍ୱାଳ, ହାଉଡା ଜେନା, କୁନି ଦାସ ପ୍ରମୁଖ ସଂପୃକ୍ତ ଥିବା ଦର୍ଶାଇ ସେମାନଙ୍କ ନାମରେ ମଧ୍ୟ ଟାଉନ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଥାଉକିି ୨୪ ତାରିଖ ସନ୍ଧ୍ୟାରେ ସୂର୍ଯ୍ୟକାନ୍ତ ଘରକୁ ଫେରୁଥିବା ବେଳେ ଏକ ଟାଟା ଏସି(ଓଡି-୩୪-ବି-୭୨୮୧)ତାଙ୍କୁ ଧକ୍କା ଦେଇଥିଲା। ସେଠାରେ ସୂର୍ଯ୍ୟକାନ୍ତ ଆହତ୍ ହୋଇଥିଲେ। ପରିବାର ପକ୍ଷରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତିି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ। ଏହି ଘଟଣାରେ ଗାଡି ମାଲିକ ଓ ଡ୍ରାଇଭର ଭାଲୁ ବିଶ୍ୱାଳଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିବା ବେଳେ ରାମବାଗ ଫାଣ୍ଡି ପୁଲିସ ଦୁଇଟି ଗାଡିକୁ କେବଳ ଜବତ କରିଥିଲା। ଆଜି ଭାଇଉଭଣୀ କଟକ ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ ସୂର୍ଯ୍ୟକାନ୍ତଙ୍କୁ କେତେକ ଦୁର୍ବୃତ୍ତ ଉଠାଇ ନେଇ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେ ଏବେ ସର୍ଜରୀ ଓ୍ଵାର୍ଡରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
ଅନ୍ୟପଟେ ପୁଲିସ ଘଟଣାର ତଦନ୍ତକୁ ତ୍ୱରାନ୍ଵିତ କରିଛି। ପରିବାର ଲୋକ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/JAJPURSADA-JUBAK-KAN-KU-MARANATANKA-AKRAMANA.jpg)